ସାଲେପୁର: ମଣିଷ ଜୀବନ । କେତେବେଳେ କଣ ଘଟିବ କହିବା ଅସମ୍ଭବ । ପରିସ୍ଥିତି ଆଣି କେଉଁଠୁ କେଉଁଠି ପହଁଚାଇବ କିଏ ବା କହିବ। ଯିଏ ଘରର ବୋଝକୁ ନିଜ ମୁଣ୍ଡକୁ ନେଇ ଦୁଃଖ କଷ୍ଟରେ ନିଜ ସଂସାର ରଥକୁ ଆଗେଇ ନେଉଥିଲେ ସେ ଆଜି ଶଯ୍ୟାଶାୟୀ । ଏବେ ଅସହାୟ ବାପା ମା’ଙ୍କ ଉପରେ ଦୁଃଖ ଯନ୍ତ୍ରଣାର ପଥର ଲଦି ହୋଇଛି । ଆଖିରୁ ଲୁହ ଶୁଖିଯାଇଛି ସିନା ହୃଦୟ ଛଟ ପଟ ହୋଇ କାନ୍ଦୁଛି । ବୟସର ଅପରାହ୍ନରେ ପୁଅ ଚିନ୍ତା ସବୁ ଖୁସିକୁ ଛଡ଼ାଇ ନେଇଛି । ଯେଉଁ ବୟସରେ ଘରେ ବସି ଆରାମ କରିବା କଥା ସେହି ବୟସରେ ଭେଣ୍ଡିଆ ପୁଅର ଚିନ୍ତାରେ ଭାଙ୍ଗି ପଡ଼ିଛନ୍ତି ବାପା ମା’ । ଭେଣ୍ଡିଆ ପୁଅ ପାଇଁ କାନ୍ଦୁଛନ୍ତି ବାପା ମା’ । ଦୀର୍ଘ ଦୁଇ ବର୍ଷ ହେଲାଣି ଶଯ୍ୟାଶାୟୀ ଗୋଟିଏ ବୋଲି ଭେଣ୍ଡିଆ ପୁଅ । ଟ୍ରଲି ଟାଣି ପରିବାର ପ୍ରତିପୋଷଣ କରୁଛନ୍ତି ବୁଢ଼ା ବାପା । କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ କଟିକଟା ପଞ୍ଚାୟତ ବ୍ରଜରାଜ ପାଟଣା ଗାଁର ତ୍ରିଲୋଚନ ଦାସଙ୍କ ଏକ ମାତ୍ର ପୁଅ ବିଜୟ କୁମାର ଦାସ । ବୟସ ମାତ୍ର ୩୦ । ହେଲେ ଜୀବନ ଯୁଦ୍ଧରେ ଘରର ଚାରିକାନ୍ଥ ଭିତରେ ଅନ୍ଧକାରକୁ ଆପଣାଇ ନେଇଛନ୍ତି ବିଜୟ । ଦୀର୍ଘ ଦୁଇ ବର୍ଷ ହେଲାଣି ଶଯ୍ୟାଶାୟୀ ହୋଇ ପଡ଼ି ରହିଛନ୍ତି । ନା ବନ୍ଧୁ ବାନ୍ଧବ, ନା ଗ୍ରାମବାସୀ, ନା ପ୍ରଶାସନ, ନା ସରକାର କାହାର ସହଯୋଗ ନପାଇ – ଅସହାୟ ଅବସ୍ଥାରେ ଅଛନ୍ତି ବାପା ମା’ । ବିଜୟଙ୍କ ବାପା ଟ୍ରଲି ଟାଣି ଦୁଇ ପଇସା ଯୋଗାଡ଼ କଲେ କଷ୍ଟେ ମଷ୍ଟେ ଘର ଚଳିଯାଏ । ସେଥିରେ ଶଯ୍ୟାଶାୟୀ ଭେଣ୍ଡିଆ ପୁଅର ସେବା କରିବା ସହ ଲୁହରେ ଭିଜିଯାଉଛି ଗାମୁଛା ।
ଦୁଇ ବର୍ଷ ତଳେ କାମରୁ ଆସି ଏକ ନାଳ ପୋଲ ଉପରେ ବସିଥିବା ବେଳେ ହଠାତ ପଛୁଆ ତଳକୁ ଖସି ପଡ଼ିଥିଲେ ବିଜୟ । ତଳେ ପଡ଼ିଥିବା ମାଙ୍କଡା ପଥରରେ ତାଙ୍କ ପଛ ମେରୁଦଣ୍ଡ ମାଡ଼ ହୋଇଥିଲା । ସ୍ଥାନୀୟ ଗ୍ରାମବାସୀ ବିଜୟଙ୍କୁ ମେଡିକାଲ ନେଇଗଲା ବେଳେ ଡାକ୍ତରଖାନାରେ କିଛି ମାସ ରହି ଘରକୁ ଫେରିଥିଲେ । ହେଲେ ହଠାତ ବିଜୟଙ୍କ ଶରୀରର ଅଙ୍ଗ ଗୁଡ଼ିକ କାମ କରିବା ବନ୍ଦ କରିଦେଲା । ଉଠିବାକୁ ଚେଷ୍ଟା କଲେ ବି ଉଠି ପାରିଲେ ନାହିଁ । ଧିରେ ଧିରେ ଘରେ ପଡିରହିବା ରହିବା ସହିତ ଜୀବନ ମରଣ ସହ ସଂଘର୍ଷ କରି ବଞ୍ଚିଛନ୍ତି । ପାଖରେ କାହାର ସହଯୋଗ ନଥିବାରୁ ଉନ୍ନତମାନର ଚିକିତ୍ସା ପାଇ ପାରୁନାହାନ୍ତି ବିଜୟ । ସରକାରୀ ସହାୟତା କହିଲେ କେବଳ ରାସନ ପାଉଛନ୍ତି । କିନ୍ତୁ ଦୁଃଖର ବିଷୟ ଏପର୍ଯ୍ୟନ୍ତ ପ୍ରଶାସନ ତରଫରୁ କୌଣସି ସହଯୋଗ ମିଳୁପାରୁନି । ଏ ବାବଦରେ ନିଶ୍ଚିନ୍ତକୋଇଲି ବିଡିଓ ଦିୱେନ୍ଦୁ କୁମାର ଦାସଙ୍କୁ ପଚାରିବାରୁ ସେ ବିଜୟଙ୍କ ପାଇଁ ପ୍ରଶାସନ ତରଫରୁ ସହଯୋଗ ଯୋଗାଇ ଦିଆଯିବ ବୋଲି ପ୍ରତିଶୃତି ଦେଇଛନ୍ତି ।










