ଭୁବନେଶ୍ୱର: ଭାରତରେ ଇଡ୍ଲି ବେଶ୍ ଲୋକପ୍ରିୟ ଖାଦ୍ୟ । ଅନେକ ସ୍ଥାନରେ ଏହାକୁ ଜଳଖିଆରେ ଖାଇବାକୁ ଲୋକ ପସନ୍ଦ କରନ୍ତି । ଖାସ୍ କରି ସାଉଥ ଇଣ୍ଡିଆରେ ଲୋକମାନଙ୍କ ସକାଳର ଆରମ୍ଭ ଦୋସା ଇଡଲିରୁ ହୋଇଥାଏ । ଏଠିକାର ଲୋକମାନଙ୍କର ପ୍ରିୟ ଖାଦ୍ୟ ହେଉଛି ‘ଇଡ୍ଲି-ସାମ୍ବର’। ବ୍ରେକଫାଷ୍ଟ ଭାବରେ ଏହାର ଚାହିଦା ଖୁବ ଅଧିକ । କିନ୍ତୁ ଏବେ ଏହା କେବଳ ସାଉଥ ଇଣ୍ଡିଆ ନୁହେଁ ଦେଶର ସବୁସ୍ଥାନରେ ଲୋକପ୍ରିୟ ହୋଇପାରିଛି । ଆଜିକାଲି ଭାରତର ପ୍ରତ୍ୟେକ ସହରରେ ଆପଣ ଅତି ସହଜରେ ଇଡ୍ଲି ଦୋକାନ ପାଇଯିବେ ।
ଆପଣ ମାନେ ମଧ୍ୟ ନିଶ୍ଚିତ ଭାବରେ ଦୋକାନରେ ‘ଇଡ୍ଲି-ସାମ୍ବର’, ‘ଇଡ୍ଲି-ଆଳୁଦମ’ ଖାଇଥିବେ । ତେବେ ହୋଇଯାଆନ୍ତୁ ସାବଧାନ! ଇଡ୍ଲି ଖାଇଲେ ହୋଇପାରେ କ୍ୟାନସର । କର୍ଣ୍ଣାଟକର ରାଜଧାନୀ ବେଙ୍ଗାଲୁରୁରେ ଖାଦ୍ୟ ସୁରକ୍ଷା ବିଭାଗ ଇଡଲି ବ୍ୟାଟରର କିଛି ନମୁନା ନେଇଥିଲା ଯେଉଁଥିରେ ଏକ ଆଶ୍ଚର୍ଯ୍ୟଜନକ ଖୁଲାସା କରିଛି । ତଦନ୍ତରୁ ଜଣାପଡିଛି ଯେ ଇଡ୍ଲିରେ କ୍ୟାନ୍ସର ରୋଗ ସୃଷ୍ଟିକାରୀ ରାସାୟନିକ ପଦାର୍ଥ ମିଳିଛି । ଇଡଲି ବ୍ୟାଟର ପରୀକ୍ଷା ପାଇଁ ଅନେକ ରାସ୍ତା ବିକ୍ରେତା, ହୋଟେଲ ଏବଂ ରେଷ୍ଟୁରାଣ୍ଟରୁ ନମୁନା ନିଆଯାଇଥିଲା । ଏହି ସମୟରେ ୫୦୦ରୁ ଅଧିକ ଇଡଲି ନମୁନା ପରୀକ୍ଷା ପାଇଁ ପଠାଯାଇଥିଲା ଯେଉଁଥିରୁ ୩୫ଟିରେ କ୍ୟାନସର୍ ରୋଗ ସୃଷ୍ଟିକାରୀ ରାସାୟନିକ ପଦାର୍ଥ ରହିଛି ।
ତଦନ୍ତରୁ ଏହା ମଧ୍ୟ ଜଣାପଡ଼ିଥିଲା ଯେ ଇଡଲି ତିଆରି ପାଇଁ ବ୍ୟବହୃତ ଚାଉଳ ଏବଂ ବିରି ଅପମିଶ୍ରିତ ଏବଂ ନିମ୍ନମାନର ଥିଲା । ଇଡଲିକୁ ଧଳା ରଙ୍ଗ ଦେବା ପାଇଁ ବ୍ଲିଚିଂ ପାଉଡର ବ୍ୟବହାର କରାଯାଉଛି । କୃତ୍ରିମ ରଙ୍ଗ ଏବଂ ରାସାୟନିକ ପଦାର୍ଥ ମିଶାଯାଉଛି । ଏହି କ୍ଷତିକାରକ ଉପାଦାନଗୁଡ଼ିକ ଶରୀରକୁ ଗମ୍ଭୀର କ୍ଷତି ପହଞ୍ଚାଇପାରେ । ତଦନ୍ତ ରିପୋର୍ଟରେ ଏହା ମଧ୍ୟ ଜଣାପଡ଼ିଛି ଯେ ପୂର୍ବରୁ ଇଡଲି ପ୍ରସ୍ତୁତ କରିବା ପାଇଁ ସୁତା କପଡା ବ୍ୟବହାର କରାଯାଉଥିଲା, କିନ୍ତୁ ଏବେ ସୁତା କପଡା ବଦଳରେ ପ୍ଲାଷ୍ଟିକ୍ ବ୍ୟବହାର କରାଯାଉଛି । ଇଡଲିଗୁଡ଼ିକୁ ପ୍ଲାଷ୍ଟିକ୍ ବ୍ୟାଗରେ ପ୍ୟାକ୍ କରି ପଠାଯାଉଛି । ଗରମ ହେଲେ ପ୍ଲାଷ୍ଟିକ ବିଷାକ୍ତ ରାସାୟନିକ ପଦାର୍ଥ ନିର୍ଗତ କରିବା ଆରମ୍ଭ କରେ। ଯାହା ଫଳରେ ଏହାକୁ ଅଧିକ ଦିନ ପର୍ଯ୍ୟନ୍ତ ଖାଇବା ଦ୍ୱାରା କ୍ୟାନ୍ସର ରୋଗ ଭଳି ଅନେକ ଗମ୍ଭୀର ରୋଗ ହେବାର ଆଶଙ୍କା ବଢ଼ିଯାଏ । ଏହି ଘଟଣା ସାମ୍ନାକୁ ଆସିବା ପରେ ଇଡଲି ଖାଉଥିବା ଲୋକମାନଙ୍କୁ ସତର୍କ ରହିବାକୁ କହିଛନ୍ତି ସ୍ୱାସ୍ଥ୍ୟ ବିଶେଷଜ୍ଞ ।










