ଭୁବନେଶ୍ୱର : ବିଧାନସଭାର ଦ୍ୱିତୀୟ ପର୍ଯ୍ୟାୟ ଅଧିବେଶନ ଅଗଷ୍ଟ ୨୦ରୁ ଆରମ୍ଭ ହୋଇଛି। ଗଞ୍ଜାମ ଜିଲ୍ଲାରେ ହୋଇଥିବା ମଦ ମୃତ୍ୟୁକୁ ନେଇ ବିଧାନସଭା ସରଗରମ ରହିଛି। ବିରୋଧୀଙ୍କ କଡ଼ା ଆଭିମୁଖ୍ୟ ଏ ଦିଗରେ ସରକାରଙ୍କ ଉପରେ କିଛିଟା ପ୍ରଭାବ ପକାଇଛି। କିନ୍ତୁ ମୁଖ୍ୟ ବିରୋଧୀ ଦଳ ବିଜେଡି ପ୍ରସଙ୍ଗକୁ ନେଇ ବାଟବଣା ହେଲା ଭଳି ଦେଖାଦେଇଛି। ଏକ ନିର୍ଦ୍ଦିଷ୍ଟ ଲକ୍ଷ ଓ ନୀତିକୁ ଆଧାର କରି ଯେପରି ଏକ ଦାୟିତ୍ୱ ସମ୍ପର୍ଣ୍ଣ ବିରୋଧୀ ଦଳ କାର୍ଯ୍ୟ କରିବା କଥା ସେପରି ପରିଲକ୍ଷିତ ହେଉ ନାହିଁ। ଦଳ ଭିତରେ କେଉଁଠି ନା କେଉଁଠି ପ୍ରସଙ୍ଗକୁ ନେଇ ଆଗେଇବା କ୍ଷେତ୍ରରେ କିଛିଟା ଅଡ଼ୁଆ ହେଉଥିବା ଅନୁଭବ ହେଉଛି। ସଫଳ ବିରୋଧୀ ଦଳର ଭୂମିକା ନିଭାଇବାରେ ବିଜେଡି ଏଯାଏଁ ସକ୍ଷମ ହୋଇ ପାରୁନାହୁଁ। ପ୍ରସଙ୍ଗକୁ ନେଇ କି ପ୍ରକାର ଆଭିମୁଖ୍ୟ ଗ୍ରହଣ କରିବ ସେ ନେଇ ମଧ୍ୟ ଦଳ ସ୍ଥିର ନିଶ୍ଚିନ୍ତ ନୁହେଁ। ଏହି ଘଟଣା ଏବେ ରାଜନୈତିକ ମହଲରେ ଆଲୋଚ୍ୟର ବିଷୟ ହୋଇଛି। ଏହାର ମୂଳ କାରଣ ଭାବରେ କୁହାଯାଉଛି ଗୃହ ମଧ୍ୟରେ ନେତୃତ୍ୱ ନେଉଥିବା ନେତାମାନେ କୌଣସି ଠୋସ୍ ପଦକ୍ଷେପ ନେବା ଦିଗରେ ସେତେଟା ଅଭିଜ୍ଞତା ନାହିଁ କିମ୍ବା ମନ ଭିତରେ କିଛି ସଂଶୟ ରହୁଛି ବୋଲି କୁହାଯାଉଛି।
ଦ୍ୱିତୀୟାର୍ଦ୍ଧ ଅଧିବେଶନ ଆରମ୍ଭ ହେଲା ପରେ କଂଗ୍ରେସ ଭିନ୍ନ ଭିନ୍ନ ପ୍ରସଙ୍ଗକୁ ନେଇ ଅଚଳାବସ୍ଥା ସୃଷ୍ଟି କରୁଛି। କଂଗ୍ରେସ ତା’ର ଜାତୀୟ ନୀତି ଅନୁସାରେ ପଦକ୍ଷେପ ନେଉଛି। ରାଜ୍ୟ ପ୍ରସଙ୍ଗ ଅପେକ୍ଷା ଦଳକୁ ଜାତୀୟ ପ୍ରସଙ୍ଗ ଉପରେ କାର୍ଯ୍ୟକରିବାର ବାଧ୍ୟବାଧକତା ରହିଛି। କିନ୍ତୁ ବିଜେଡି ଏ କ୍ଷେତ୍ରରେ ସମ୍ପୂର୍ଣ୍ଣ ଭିନ୍ନ। ହେଲେ ଦଳ କ’ଣ କରିବ କି ପ୍ରକାର ଆଭିମୁଖ୍ୟ କେଉଁ ସମୟରେ ନେବ ସେ ନେଇ କୂଳ କୀନାରା ପାଉ ନାହାଁନ୍ତି। ବିରୋଧୀ ଦଳର ନେତା ନବୀନ ପଟ୍ଟନାୟକ ଗୃହକୁ ଆସୁ ନାହାଁନ୍ତି ଉପନେତା ପ୍ରସନ୍ନ ଆଚାର୍ଯ୍ୟ ବି ଅସୁସ୍ଥତା କାରଣକୁ ଗୃହକୁ ଆସି ପାରୁ ନାହାଁନ୍ତି। ଫଳରେ ଯିଏ ଦାୟିତ୍ୱରେ ରହୁଛନ୍ତି କିଛି ଠୋସ୍ ପଦକ୍ଷେପ ନେବା ସ୍ଥିତିରେ ନାହାଁନ୍ତି। ଦ୍ୱିତୀୟ ଅଧିବେଶନର ଆଜି ଥିଲା ଚତୁର୍ଥ ଦିନ। ପ୍ରଥମ ଦିନ ରାଜ୍ୟପାଳଙ୍କ ପୁଅ ପ୍ରସଙ୍ଗରେ ଗୃହ ଆରମ୍ଭରୁ ବିଜେଡି ପାଟିତୁଣ୍ଡ କଲା। ତା’ ପରଦିନ ଗଞ୍ଜାମ ମଦ ମୃତ୍ୟୁ କଥା ଉଠାଇଲା। ଏହି କଥା ଉଠାଇ ଆର୍ଡିସି ତଦନ୍ତ ଦାବି କଲା। ପ୍ରଶ୍ନ ଉତ୍ତର କାର୍ଯ୍ୟ କିମ୍ବା ଗୃହରେ ଅନ୍ୟ କୌଣସି କାର୍ଯ୍ୟ କରିବାକୁ ଦେଲା ନାହିଁ। ତୃତୀୟ ଦିନ ଦଳର ରଣନୀତି ବଦଳିଲା। ଏଥିରେ ଅବକାରୀ ମନ୍ତ୍ରୀଙ୍କ ଇସ୍ତଫା ଦାବି ଆସିଲା। ଆର୍ଡିସି ତଦନ୍ତ ଦାବିକୁ ସରକାର ଗ୍ରହଣ କଲେ। ମନ୍ତ୍ରୀ ତଦନ୍ତ ନେଇ ଘୋଷଣା ବି କଲେ। ହଠାତ୍ ବିଜେଡି ଇସ୍ତଫା ଦାବି କଥା ଉଠାଇ ଅଚଳ କଲା। ଆଜି ଚତୁର୍ଥ ଦିନରେ ଏହି ଦାବି ଦୋହରାଇଲେ। ଉଭୟ କଂଗ୍ରେସ ବିଜେଡି ଏକାଠି ହୋଇ ଏହି ଦାବି ରଖିଲେ। ଆଜି ମଦ ମୃତ୍ୟୁ ଆଲୋଚନା ପାଇଁ ମଲତବୀ ପ୍ରସ୍ତାବ ଦିଆଯାଇଥିଲା। ଏହାର ଆଲୋଚନା ପାଇଁ ସରକାର ଗ୍ରହଣ କରିଥିଲେ। ହେଲେ ଆଶ୍ଚର୍ଯ୍ୟର କଥା ଉଭୟ ବିଜେଡି ଓ କଂଗ୍ରେସ ହୋହଲ୍ଲା କରି ପ୍ରଶ୍ନ ଉତ୍ତର କାର୍ଯ୍ୟକୁ ବନ୍ଦ କରାଇଥିଲେ। ପରେ ଆଲୋଚନାରେ ଭାଗ ନେଇଥିଲେ।
ଏଠାରେ ପ୍ରଶ୍ନ ଉଠୁଛି ଆଜି ମୁଲତବୀ ପ୍ରସ୍ତାବରେ ଆଲୋଚନା ପାଇଁ ଭାଗନେବାକୁ ନିଷ୍ପତ୍ତି ନେଇଥିବା ବେଳେ ପ୍ରଶ୍ନ ଉତ୍ତର କାର୍ଯ୍ୟକୁ କାହିଁକି ଅଚଳ କଲେ ତାହା ବୁଝା ପଡ଼ୁ ନାହିଁ। ସାଧାରଣତ ଦେଖାଯାଏ ବିରୋଧୀ କୌଣସି ଦାବି ଉଠାଇଲେ ତାକୁ ଯଦି ସରକାର ଗ୍ରହଣ ନ କରନ୍ତି ତେବେ ରାଜ୍ୟପାଳଙ୍କ ନିକଟରେ ଯାଇ ଫେରାଦ ହୁଅନ୍ତି ନଚେତ୍ ବିଧାନସଭା ପରିସରରେ ଥିବା ମାହାତ୍ମା ଗାନ୍ଧୀ ପ୍ରତିମୂର୍ତ୍ତି ତଳେ ବସି ଧାରଣା ଦେଇ ପ୍ରସଙ୍ଗକୁ ସମାପ୍ତ କରିଥାଆନ୍ତି। ଏହି ଦୃଷ୍ଟିରୁ ଗତକାଲି ବିଜେଡି ଗାନ୍ଧୀଙ୍କ ମୂର୍ତ୍ତି ତଳେ ଧାରଣା ଦେଇ ପ୍ରତିବାଦ ଜଣାଇଥିଲା। ଏଣୁ ଆଜି ଗୃହର ସ୍ୱାଭାବିକ କାର୍ଯ୍ୟ ପରିଚାଳନାରେ ବିଜେଡି ସହଯୋଗ କରିବ ବୋଲି ସୂଚନା ଦେଲା। ହେଲେ ପ୍ରଶ୍ନ ଉତ୍ତର କାର୍ଯ୍ୟ ଆରମ୍ଭ ହେବା କ୍ଷଣି ବିଜେଡି ବିଧାୟକମାନେ ଗୃହ ମଧ୍ୟଭାଗକୁ ଆସି ପ୍ରବଳ ହଙ୍ଗାମା କଲେ ଓ ବାଚସ୍ପତିଙ୍କ ପୋଡିୟମ ଉପରକୁ ଉଠିବାକୁ ଉଦ୍ୟମ କଲେ। ଏହି ବିଶୃଙ୍ଖଳାକୁ ନେଇ ବାଚସ୍ପତି ପ୍ରଶ୍ନ ଉତ୍ତର କାର୍ଯ୍ୟକୁ ବାତିଲ୍ କଲେ। ସାଢ଼େ ୧୧ରେ ଗୃହ କାର୍ଯ୍ୟ ଆରମ୍ଭ ହେବା ପରେ ସେଥିରେ ଭାଗ ନେଲେ ଏବଂ କଂଗ୍ରେସ ଆଣିଥିବା ମଦ ମୃତ୍ୟୁ ମୁଲତବୀ ପ୍ରସ୍ତାବ ଆଲୋଚନାରେ ବି ଭାଗ ନେଲେ।
ବିଜେଡିର ଏପରି ଆଭିମୁଖ୍ୟ ନେଇ ସ୍ୱତ ପ୍ରଶ୍ନ ଉଠୁଛି ମୁଲତବୀ ପ୍ରସ୍ତାବ ଆଲୋଚନାରେ ଯଦି ଭାଗ ନେବାରେ ଥିଲା ତେବେ ପ୍ରଶ୍ନ ଉତ୍ତର ଭଳି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକୁ ବାତିଲ୍ କରିବା ଦିଗରେ କାହିଁକି ପ୍ରମୁଖ ଭୂମିକା ଗ୍ରହଣ କରୁଥିଲା। ଏଥିରୁ ଜଣାପଡ଼ୁଛି ବିଜେଡି ବିରୋଧୀ ଦଳରେ ବସିବା ପରେ କେଉଁ ଆଭିମୁଖ୍ୟ କେତେବେଳେ ଗ୍ରହଣ କରିବ ସେ ନେଇ ପୂର୍ବରୁ ରଣନୀତି ନିର୍ଦ୍ଧାରଣ କରିପାରୁ ନାହିଁ। ଏବେବି କିଛି ଅଦୃଶ୍ୟ ଶକ୍ତିର ଭୟ ରହୁଛି ବୋଲି କୁହାଯାଉଛି।










