ଯାଜପୁର: ଯାଜପୁର ଜିଲ୍ଲା ର ବରୀ ରାମଚନ୍ଦ୍ରପୁର ଥାନାରେ ଡବଲ ଏତଲା । ଗୋଟିଏ ପଟେ ବରୀ ବିଧାୟକ ବିଶ୍ବ ରଂଜନ ମଲ୍ଲିକଙ୍କ ନାମରେ ଏତଲା ଦେଇଛନ୍ତି ଜଣେ ସରକାରୀ କର୍ମଚାରୀ । କର୍ମଚାରୀ ଜଣକ ହେଲେ ବରୀ ବ୍ଲକର କନିଷ୍ଠ ରାଜସ୍ବ ସହାୟକ ଅମର ରଞ୍ଜନ ନାଏକ । ଅନ୍ୟପଟେ ସମ୍ପୃକ୍ତ କର୍ମଚାରୀଙ୍କ ବିରୋଧରେ ଏତଲା ଦେଇଛନ୍ତି ବ୍ଲକ ଉପାଧ୍ୟକ୍ଷା ଅର୍ଚ୍ଚନା ମଲିକ । ବ୍ଲକ୍ ଅଧ୍ୟକ୍ଷଙ୍କ କାର୍ଯ୍ୟାଳୟ ପରିସରରେ ଅଧ୍ୟକ୍ଷ, ଉପାଧ୍ୟକ୍ଷଙ୍କ ଉପସ୍ଥିତରେ ବିଧାୟକ ଶ୍ରୀ ମଲ୍ଲିକ କନିଷ୍ଠ ରାଜସ୍ବ ସହାୟକଙ୍କୁ ଦୁର୍ବ୍ୟବହାର କରିବା ସହ ଆକ୍ରମଣ କରିଥିବା ଅଭିଯୋଗ କରିଛନ୍ତି ସରକାରୀ ଅଧିକାରୀ ଶ୍ରୀ ନାଏକ । ଏପରିକି ତାଙ୍କୁ ଗୋଇଠା, ବିଧା, ଚାପୁଡ଼ା ମରାଯିବା ସହ ଜାତିଆଣ ଆକ୍ଷେପ କରାଯାଇଥିବା ଅଭିଯୋଗରେ ଦର୍ଶାଇଛନ୍ତି। ସେହିପରି ବ୍ଲକ ଉପାଧ୍ୟକ୍ଷ ଅର୍ଚ୍ଚନା ମଲିକ ଦଳିତ ଶ୍ରେଣୀର ହୋଇଥିବା ବେଳେ ସେ ମଧ୍ୟ ସମ୍ପୃକ୍ତ କର୍ମଚାରୀଙ୍କ ବିରୋଧରେ ପାଲଟା ଅଭିଯୋଗ କରିଛନ୍ତି । ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ବରୀ ବ୍ଲକ ଅଧ୍ୟକ୍ଷ ଓ ଉପାଧ୍ୟକ୍ଷା କର୍ମଚାରୀଙ୍କ ଅଭିଯୋଗକୁ ଖଣ୍ଡନ କରିବା ସହିତ ଏହା ମିଥ୍ୟା ଓ ଭିତ୍ତିହୀନ ବୋଲି କହିଛନ୍ତି । କହିଲେ ସେଭଳି କିଛି ହୋଇନାହିଁ । ଅଯଥା ବିଧାୟକଙ୍କୁ ବଦନାମ କରିବା ପାଇଁ ଏପରି ଏକ ଷଢଯନ୍ତ୍ର ରଚାଯାଇଛି । ଅନ୍ୟପଟେ ବିଧାୟକ ଶ୍ରୀ ମଲ୍ଲିକ ଏହାକୁ ଅସ୍ବୀକାର କରିଛନ୍ତି । ବିଧାୟକ କହିଛନ୍ତି ଏ କଥାରେ କିଛି ସତ୍ୟତା ନାହିଁ । ଏହା ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ। ଅଭିଯୋଗର ଉପଯୁକ୍ତ ତଦନ୍ତ ହେଲେ ସତ ସାମ୍ନାକୁ ଆସିବ ଏବଂ ତଦନ୍ତ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ହେଉ ବୋଲି ସେ କହିଛନ୍ତି। ଏପଟେ ତାଙ୍କୁ ନିର୍ଦ୍ଦୋଷ ଦର୍ଶାଇ ବିଧାୟକଙ୍କ ସମର୍ଥନରେ ଯୁକ୍ତି ବାଢିଛନ୍ତି ବ୍ଲକ ଅଧ୍ୟକ୍ଷ ଓ ଉପାଧ୍ୟକ୍ଷା । ତେବେ ଉଭୟ ଅଭିଯୋଗକୁ ଭିତ୍ତି କରି ପୋଲିସ ଦୁଇଟି ମାମଲା ରୁଜୁ କରିଛି। ଆଜି ବରୀ ଥାନାରେ ଅତିରିକ୍ତ ଏସପି ଓ ଏସଡ଼ିପିଓ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି।ଯାଜପୁର ଅତିରିକ୍ତ ଏସପି କହିଛନ୍ତି ଘଟଣାର ତଦନ୍ତ କରାଯାଉଛି । ତଦନ୍ତରୁ ଯାହା ଜଣାପଡିବ ତଦନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବ। ଏହି ଘଟଣା ସମଗ୍ର ଅଞ୍ଚଳରେ ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ପୋଲିସ ପକ୍ଷରୁ ମଧ୍ୟ ଗମ୍ଭୀରତାର ସହିତ ଘଟଣାର ତଦନ୍ତ ଜାରି ରହିଛି । ତେବେ ଏଥିରେ ସତ୍ୟତା କଣ ରହିଛି ଏବଂ ପୋଲିସ ପକ୍ଷରୁ କଣ କାର୍ଯ୍ୟାନୁଷ୍ଠାନ ନିଆଯାଉଛି ତାହା ଉପରେ ହିଁ ସମସ୍ତଙ୍କ ନଜର।