26.1 C
Bhubaneswar
Thursday, December 18, 2025
Homeଦେଶ ବିଦେଶବାନୁ ମୁସ୍ତାକ୍‌ଙ୍କୁ ବୁକର୍ ୨୦୨୫ ସମ୍ମାନ

ବାନୁ ମୁସ୍ତାକ୍‌ଙ୍କୁ ବୁକର୍ ୨୦୨୫ ସମ୍ମାନ

ବେଙ୍ଗାଲୁରୁ: ସାହିତ୍ୟ କ୍ଷେତ୍ରରେ ଉଲ୍ଲେଖନୀୟ କୃତିତ୍ୱର ପୁରସ୍କାର ସ୍ୱରୂପ ‘ବୁକର’ ସମ୍ମାନକୁ ଶ୍ରେଷ୍ଠ ସମ୍ମାନ ଭାବେ ବିବେଚନା କରାଯାଏ। ତେବେ ଚଳିତ ବର୍ଷ ଅର୍ଥାତ୍ ୨୦୨୫ ପାଇଁ କନ୍ନଡ ସାହିତ୍ୟିକା ବାନୁ ମୁସ୍ତାକ୍‌ଙ୍କୁ ବୁକର ସମ୍ମାନରେ ସମ୍ମାନିତ କରାଯାଇଛି। କନ୍ନଡ ଭାଷାକୁ ଏପ୍ରକାର ସ୍ୱୀକୃତି ପ୍ରଥମ ଥର ପାଇଁ ଦେଖିବାକୁ ମିଳିଛି। ବାନୁ ମୁସ୍ତାକ ତାଙ୍କର ଗଳ୍ପ ପୁସ୍ତକ ‘ହାର୍ଟ ଲ୍ୟାମ୍ପ’ ପାଇଁ ଏହି ସମ୍ମାନ ଲାଭ କରି ଏହି ଇତିହାସ ସୃଷ୍ଟି କରିଛନ୍ତି। ହାର୍ଟ ଲ୍ୟାମ୍ପ’ ପୁସ୍ତକକୁ ଦୀପା ଭାରତୀ କନ୍ନଡରୁ ଇଂରାଜୀ ଭାଷାକୁ ଅନୁବାଦ କରିଥିଲେ। ମଙ୍ଗଳବାର ରାତିରେ ଟେଟ୍ ମଡର୍ଣ୍ଣରେ ଆୟୋଜିତ ଏକ ଉତ୍ସବରେ ବାନୁ ତାଙ୍କ ଅନୁବାଦକ ଦୀପା ଭାଷ୍ଟିଙ୍କ ସହ ଏହି ପୁରସ୍କାର ଗ୍ରହଣ କରିଛନ୍ତି। ହାର୍ଟ ଲ୍ୟାମ୍ପ,୧୨ଟି କାହାଣୀର ଏକ ସଂଗ୍ରହ ହୋଇଥିବା ବେଳେ ଏହାର ସମସ୍ତ ବିଷୟବସ୍ତୁ ଦକ୍ଷିଣ ଭାରତରେ ପୁରୁଷତନ୍ତ୍ରର ଏକ ପ୍ରତିବିମ୍ବ ଭାବେ ବିବେଚନା କରାଯାଉଛି। ଦୀପା ଭାଷ୍ଟି ୨୦୨୨ ମସିହାରୁ ଏହି କାହାଣୀଗୁଡ଼ିକୁ ଅନୁବାଦ କରିବା ଆରମ୍ଭ କରିଥିଲେ। ଏହି ପୁସ୍ତକରେ ୧୯୯୦ରୁ ୨୦୨୩ ପର୍ଯ୍ୟନ୍ତ ଲେଖାଯାଇଥିବା କାହାଣୀଗୁଡ଼ିକର ଏକ ସଂଗ୍ରହ ରହିଛି। ମୋଟାମୋଟି ଭାବରେ, ପୁସ୍ତକଟି ୩୦ ବର୍ଷରୁ ଅଧିକ ସମୟ ଧରି ଲେଖାଯାଇଥିଲା।

୧୯୪୮ ମସିହାରେ କର୍ଣ୍ଣାଟକରେ ଜନ୍ମଗ୍ରହଣ କରିଥିବା ବାନୁ ମୁସ୍ତାକ୍ ଜଣେ ଲେଖିକା, ଓକିଲ ଏବଂ ସାମାଜିକ କର୍ମୀ। ଇଂରାଜୀ ବ୍ୟତୀତ ତାଙ୍କର କୃତି ଊର୍ଦ୍ଦୁ, ହିନ୍ଦୀ, ତାମିଲ ଏବଂ ମାଲାୟଲମ ଭାଷାରେ ମଧ୍ୟ ଅନୁବାଦିତ ହୋଇଛି। ମୁସ୍ତାକ, ଯିଏ ବହୁତ କମ୍ ବୟସରୁ ଲେଖାଲେଖି କରିଆସୁଛନ୍ତି, ସେ ଜଣେ ସାମ୍ବାଦିକ ମଧ୍ୟ ଥିଲେ କିନ୍ତୁ ସେ ୨୯ ବର୍ଷ ବୟସରେ ବୃତ୍ତିଗତ ଭାବରେ ତାଙ୍କର ଅଭିଜ୍ଞତା ଲେଖିବା ଆରମ୍ଭ କରିଥିଲେ। ତାଙ୍କ କାହାଣୀଗୁଡ଼ିକ ମହିଳା ଜୀବନର ବିଭିନ୍ନ ସମସ୍ୟାକୁ ସୂଚାଇଥାଏ। କାହାଣୀ ବ୍ୟତୀତ ସେ ଉପନ୍ୟାସ, ପ୍ରବନ୍ଧ ଏବଂ କବିତା ମଧ୍ୟ ଲେଖିଛନ୍ତି। ତାଙ୍କ ପୁସ୍ତକ କରୀ ନାଗାରାଗାଲୁକୁ ନେଇ ୨୦୦୩ରେ ହସିନା ନାମକ ଏକ ଚଳଚ୍ଚିତ୍ର ନିର୍ମିତ ହୋଇଥିଲା। ବୁକର ୨୦୨୫ ଜୁରିର ଅଧ୍ୟକ୍ଷ ଲେଖକ ମ୍ୟାକ୍ସ ପୋର୍ଟର କହିଛନ୍ତି, ହାର୍ଟ ଲ୍ୟାମ୍ପ ଅନେକ ବର୍ଷ ପରେ ଇଂରାଜୀ ପାଠକଙ୍କ ପାଇଁ କିଛି ନୂଆ ଆଣିଛି। ଏହା ଅନୁବାଦ ପ୍ରତି ଆମର ବୁଝାମଣାକୁ ଚ୍ୟାଲେଞ୍ଜ କରେ ଏବଂ ଏହାକୁ ଭଲ ଭାବରେ କରିବାକୁ ଆମକୁ ପ୍ରେରଣା ପ୍ରଦାନ କରିଥାଏ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking