ଢାକା: ବାଂଲାଦେଶରେ ଶେଖ୍ ହାସିନା ସରକାରର ପତନ ପରେ ଅରାଜକତା ଲାଗିରହିଛି । ଲୁଟ୍ପାଟ ଓ ଡକାୟତି ଭୟରେ ଲୋକମାନେ ରାତିରେ ନ ଶୋଇ ଦଳବଦ୍ଧ ହୋଇ ରାସ୍ତାଘାଟ ଓ ଗଳିଗୁଡ଼ିକରେ ପହରା ଦେଉଛନ୍ତି । ସୋମବାର ଶେଖ୍ ହାସିନା ଦେଶ ଛାଡ଼ି ପଳାଇବା ପରେ ଦେଶର ସୁରକ୍ଷାକୁ ନେଇ ଚିନ୍ତା ବଢ଼ିଛି । ସୁରକ୍ଷା ଯବାନଙ୍କ ଉପରେ ମରଣାନ୍ତକ ଆକ୍ରମଣ ହେଉଥିବାରୁ ପୋଲିସ ଡ୍ୟୁଟିରେ ଯୋଗ ଦେଉନାହିଁ । ଆନ୍ଦୋଳନକାରୀଙ୍କ ଦ୍ୱାରା ସୃଷ୍ଟ ଅରାଜକତା ଓ ଭୟ ଏବେ ମଧ୍ୟ ଲାଗିରହିଛି ।
୨ ଦିନ ହେଲା ଆଇନ ଶୃଙ୍ଖଳା ସ୍ଥିତି ଅଭାବରୁ ଅପରାଧୀ ଗ୍ୟାଙ୍ଗ୍ଗୁଡ଼ିକ ଲୁଟ୍ ଓ ଡକାୟତିରେ ମାତିଛନ୍ତି । ମଙ୍ଗଳବାର ରାତିରେ ଦୁର୍ବୃତ୍ତମାନେ ଉକ୍ତ ଅଞ୍ଚଳରେ ଆତଙ୍କ ଖେଳାଇଥିଲେ । ଫଳରେ ଲୋକମାନଙ୍କୁ ସତର୍କ ରହିବାକୁ ମସ୍ଜିଦଗୁଡ଼ିକ ନିୟମିତ ଘୋଷଣା କରିଥିଲେ । ବୁଧବାର ରାତିରେ ରାଜଧାନୀ ଢାକାର ଉତ୍ତରାଠାରୁ ମହମ୍ମଦପୁର ପର୍ଯ୍ୟନ୍ତ ଲୋକମାନେ ସେମାନଙ୍କ ପଡୋଶୀମାନଙ୍କ ସହ ମିଶି ପହରା ଦେଉଥିବାର ଭିଡିଓ ସୋସିଆଲ ମିଡିଆରେ ପୋଷ୍ଟ କରାଯାଇଛି । ମଦ୍ରାସାଗୁଡ଼ିକର ଶହ ଶହ ଛାତ୍ର ମଧ୍ୟ ସହରର ବିଭିନ୍ନ ସ୍ଥାନରେ ଜଗୁଥିବା ଦେଖାଯାଇଛି ।