21.1 C
Bhubaneswar
Thursday, January 16, 2025
Homeଦେଶ ବିଦେଶପାକିସ୍ତାନର ନିକଟତର ହେଉଛି ବାଂଲାଦେଶ, ଚିନ୍ତାରେ ଭାରତ

ପାକିସ୍ତାନର ନିକଟତର ହେଉଛି ବାଂଲାଦେଶ, ଚିନ୍ତାରେ ଭାରତ

ନୂଆଦିଲ୍ଲୀ: ଦୁବାଇରେ ଭାରତୀୟ ବୈଦେଶିକ ସଚିବ ବିକ୍ରମ ମିଶ୍ର ଏବଂ ଆଫଗାନିସ୍ତାନର କାର୍ଯ୍ୟକାରୀ ବୈଦେଶିକ ମନ୍ତ୍ରୀ ମୁଲ୍ଲା ଆମିର ଖାନ ମୁତାକିଙ୍କ ମଧ୍ୟରେ ଏକ ଜୁରୁରୀ ଆଲୋଚନା ହୋଇଛି । ନିକଟରେ ଶେଷ ହୋଇଥିବା ଏହି ବୈଠକ ଦକ୍ଷିଣ-ଏସିଆର ପରିବର୍ତ୍ତିତ ସ୍ଥିତିରେ ସଦ୍ୟତମ ଘଟଣା । ଗତବର୍ଷ ଅଗଷ୍ଟରେ ବାଂଲାଦେଶରେ ଶେଖ ହାସିନା ଶାସନର ପତନ ସହିତ ରାଜନୈତିକ ସ୍ଥିତି ମଧ୍ୟ ବଦଳିବା ଆରମ୍ଭ ହୋଇଥିଲା । ସେବେଠାରୁ ବାଂଲାଦେଶକୁ ଭାରତରୁ ନିରନ୍ତର ସମର୍ଥନ ସତ୍ତ୍ୱେ ମଧ୍ୟ ଢାକା କ୍ରମଶଃ ପାକିସ୍ତାନ ଆଡକୁ ଆକର୍ଷିତ ହେଉଥିବା ପରି ଦୃଶ୍ୟମାନ ହେଉଛି । ପାକିସ୍ତାନରୁ ଗୋଳାବାରୁଦ ଏବଂ ଖାଦ୍ୟଶସ୍ୟ ଆମଦାନୀ ଏବଂ ପାକ୍ ବୈଦେଶିକ ମନ୍ତ୍ରୀ ଇସାକ ଦାରଙ୍କ ଆଗାମୀ ବାଂଲାଦେଶ ଗସ୍ତ ଏହି ପରିବର୍ତ୍ତିତ ସ୍ଥିତିର ସୂଚକ ଭାବେ ସାମ୍ନାକୁ ଆସିଛି । ଇଶାକ ଦାର ଏକ ମନ୍ତବ୍ୟରେ ଉଲ୍ଲେଖ କରିଥିଲେ, ବାଂଲାଦେଶ ପାକିସ୍ତାନର ‘ହଜିଯାଇଥିବା ଭାଇ’ । ବାଂଲାଦେଶର ମଧ୍ୟବର୍ତ୍ତୀକାଳୀନ ସରକାର ମୁଖ୍ୟ ପରାମର୍ଶଦାତା ମହମ୍ମଦ ୟୁନୁସ ଏବଂ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶାହବାଜ ସରିଫଙ୍କ ମଧ୍ୟରେ ଏକାଧିକ ବୈଠକ ହେବା ପରେ ଇଶାକ ଦାରଙ୍କ ଏହି ଗସ୍ତ ଚୂଡାନ୍ତ ହୋଇଛି ।

ଏହି ପ୍ରସ୍ତାବିତ ଗସ୍ତରେ ଉଭୟ ଦେଶର ସମ୍ପର୍କକୁ ପୁନଃନିର୍ମାଣ କରିବାକୁ ଚେଷ୍ଟା କରାଯିବ ବୋଲି ସୂଚନା ମିଳିଛି । ‘ସାର୍କ’କୁ ପୁଣି ଥରେ ସକ୍ରିୟ କରିବା ପାଇଁ ୟୁନୁସଙ୍କ ବାରମ୍ବାର ଆହ୍ୱାନ ନୂଆଦିଲ୍ଲୀ ପାଇଁ ହତାଶାର କାରଣ ହୋଇଛି । ଭାରତ ୟୁନୁସଙ୍କ ଦାବିକୁ ଅଣଦେଖା କରି ଉଭୟ ଦେଶର ଦ୍ୱିପାକ୍ଷିକ ସମ୍ପର୍କରେ ଉନ୍ନତି ଆଣିବାକୁ ଆଶା ରଖିଥିଲା । ସେହି ଆଭିମୁଖ୍ୟ ସହ ନୂଆଦିଲ୍ଲୀ ଢାକା ସହ ଆଲୋଚନା ମଧ୍ୟ ଜାରି ରଖିଥିଲା । ଏବେ ସେହି ସ୍ଥିତିରେ କୌଣସି ସୁଫଳ ମିଳିବା ପରି ଦୃଶ୍ୟମାନ ହେଉନାହିଁ । ପାକିସ୍ତାନ ଏବଂ ବାଂଲାଦେଶ ମଧ୍ୟରେ ସାମରିକ ସହଯୋଗ ବୃଦ୍ଧି ପାଉଥିବା ନେଇ ରିପୋର୍ଟ ମଧ୍ୟ ସାମ୍ନାକୁ ଆସିଲାଣି । ସୂଚନା ଅନୁଯାୟୀ, ଭାରତ ବିପକ୍ଷରେ ପ୍ରତିରୋଧ ସ୍ୱରୂପ ବାଂଲାଦେଶ ପାକିସ୍ତାନରୁ ସ୍ୱଳ୍ପ ଦୂରଗାମୀ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ଏବଂ ତୁର୍କୀରୁ ଟ୍ୟାଙ୍କ କିଣିବା ବିଷୟରେ ବିଚାର ମଧ୍ୟ ଆରମ୍ଭ କରିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking