ଢାକା: ବାଂଲାଦେଶରେ ସଂରକ୍ଷଣ ବିରୋଧୀ ହିଂସାତ୍ମକ ଆନ୍ଦୋଳନ ଥମିବାର ନାଁ ଧରୁନି । ହିଂସାରେ ଅଦ୍ୟାବଧି ୨୦୦ରୁ ଅଧିକ ମୃତ୍ୟୁ ହେଲାଣି, ମାତ୍ର ଏହି ସରକାରୀ ବିରୋଧୀ ଆନ୍ଦୋଳନ ଥମିବା ବଦଳରେ ଦିନକୁ ଦିନ ଅଧିକ ଉଗ୍ର ହେଉଛି । ଆଜି ପୁଣିଥରେ ଢାକାରେ ହିଂସାକାଣ୍ଡ ଘଟିଛି । ଆନ୍ଦୋଳନକାରୀ ଛାତ୍ର ଗୋଷ୍ଠୀ ଏବଂ ଶାସକ ଆୱାମୀ ଲିଗ୍ ସମର୍ଥକଙ୍କ ମଧ୍ୟରେ ସଂଘର୍ଷ ହେବାରୁ ୮ ଜଣଙ୍କର ମୃତ୍ୟୁ ହୋଇଛି, ଏଥିରେ ଅନେକ ଆହତ ହୋଇଛନ୍ତି ।
ଆନ୍ଦୋଳନକାରୀମାନେ ଢାକାର ମୁନିସଗଞ୍ଜ ଠାରେ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କ ଇସ୍ତଫା ଦାବିରେ ଅସହଯୋଗ ଆନ୍ଦୋଳନ ଆରମ୍ଭ କରିଥିବାବେଳେ ଆୱାମୀ ଲିଗ୍, ଛାତ୍ର ଲିଗ୍ ଏବଂ ଯୁବୋ ଲିଗ୍ କାର୍ଯ୍ୟକର୍ତ୍ତାଙ୍କ ସହିତ ସଂଘର୍ଷ ହୋଇଥିଲା । ଦୁଇ ପକ୍ଷର ମୁହାଁମୁହିଁରେ ଏହି ଆନ୍ଦୋଳନ ଉଗ୍ର ହିଂସାତ୍ମକ ରୂପ ନେଇଥିଲା । ତେବେ ଏଥିରେ ମୃତ୍ୟୁବରଣ କରିଥିବା ୮ ଜଣଙ୍କ ପରିଚୟ ମିଳିପାରିନି । ଘଟଣା ପରେ ଶତାଧିକ ଛାତ୍ରଙ୍କ ସମେତ ଜନସାଧାରଣ ଢାକା ସାହାବଗଠାରେ ରାସ୍ତା ଅବରୋଧ କରିଛନ୍ତି ।
ଆଣ୍ଟି-ଡିସ୍କ୍ରିମିନେସନ(ଭେଦଭାବ ବିରୋଧି) ଛାତ୍ର ଆନ୍ଦୋଳନର ବିକ୍ଷୋଭକାରୀମାନ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କ ଇସ୍ତଫା ଏବଂ ହିଂସାରେ ପ୍ରାଣ ହରାଇଥିବା ଆନ୍ଦୋଳନକାରୀଙ୍କ ପାଇଁ ନ୍ୟାୟ ଦାବିରେ ନାରାବାଜି କରୁଛନ୍ତି । ଏଥିସହ ଢାକା ସାଇନ୍ସ ଲାବୋରଟୋରୀ, ଧାନମୋଣ୍ଡି, ମହମ୍ମଦପୁର, ମିରପୁର ୧୦, ରାମପୁରା, ତେଜଗାଓଁ, ଫାର୍ମଗେଟ, ପାନ୍ଥପଥ, ଉତ୍ତରାଠାରେ ବିକ୍ଷୋଭ ପ୍ରଦର୍ଶନ ଓ ରାଲି ପାଇଁ ଘୋଷଣା କରିଛନ୍ତି ।