ଭୁବନେଶ୍ୱର: ନିଜ ଦେହରେ ନିଜେ କିରୋସିନି ଢାଳି ନିଆଁ ଲଗାଇଥିଲେ ବଳଙ୍ଗା ପୀଡିତା । ଏଭଳି କିଛି ତଥ୍ୟ ବିଧାନସଭାରୁ ଆସିଛି ।ବିଜେଡି ବିଧାୟକ, ଅନନ୍ତ ନାରାୟଣ ଜେନା ଏନେଇ ପ୍ରଶ୍ନ କରିଥିଲେ । ଯାହାର ଉତ୍ତର ରଖିଥିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ପଚାରିଥିଲେ ଯେ, ବଳଙ୍ଗା ପୀଡିତାଙ୍କ ଘଟଣାରେ ୩ ଜଣ ଦୁର୍ବୃତ୍ତ ସମ୍ପୃକ୍ତି ଅଛି ବୋଲି ପୀଡିତା ବୟାନ ଦେଇଥିଲେ କି? ନା ଅନ୍ୟ କେହି ସାକ୍ଷୀ ନଥିବା ଜାଣି ପୁଲିସ ପ୍ରକୃତ ଅପରାଧୀଙ୍କୁ ସୁରକ୍ଷା ଦେବାକୁ ଚେଷ୍ଟା କରିଥିଲା ? ଏ ସମ୍ପର୍କରେ ଲିଖିତ ଉତ୍ତର ରଖି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଥିଲେ , ଜୁଲାଇ ୧୯ ତାରିଖରେ ପୁରୀ ବଳଙ୍ଗା ଥାନାରେ ପୀଡିତାଙ୍କ ମାଆ ଅଭିଯୋଗ କରିଥିଲେ । କିଛି ଅଜଣା ଲୋକ ତାଙ୍କ ଝିଅକୁ ବଳପୂର୍ବକ ନଦୀ କୂଳକୁ ନେଇ କିରୋସିନି ଏବଂ ପେଟ୍ରୋଲ ଢାଳି ହତ୍ୟା କରିବାକୁ ଚେଷ୍ଟା କରିଥିଲେ ।ଏହି ଆଧାରରେ ମାମଲା ରୁଜୁ କରାଯାଇ ତଦନ୍ତ କରାଯାଇଥିଲା । ପରେ ପରେ ପୀଡିତାଙଅକ ଚିକିତ୍ସା ପାଇଁ ତାଙ୍କୁ ଦିଲ୍ଲୀ ଏମ୍ସକୁ ପଠାଯାଇଥିଲା ।









