ମୟୁରଭଞ୍ଜ : ବେଆଇନ ଗୋ ଚାଲାଣ ରୋକିବା ପାଇଁ ଉଦ୍ୟମ କଲେ ମିଳୁଛି ଧମକ। ବୁଲୁଛି ଖଣ୍ଡା,ଭୁଜାଲି ଫୁଟିବ ବନ୍ଧୁକ ଗୁଳି । ଅନ୍ୟପଟେ ନିକଟରେ ବେଆଇନ ଗୋ ଚାଲାଣ ରୋକିବା ଉଦ୍ୟମ କରି ଗୋ ମାଫିଆଙ୍କ ବନ୍ଧୁକ ଗୁଳିର ସାମ୍ନା କରିଛି ପୋଲିସ । ତେବେ ଏଠି ଭୟରେ ନା ଲୋଭରେ ନୀରବ ପୋଲିସ। ଅନ୍ୟପଟେ ଗୋ ଚାଲାଣ ଏକ ସମ୍ବେଦନଶୀଳ ପ୍ରସଙ୍ଗ। ଗୋ ଚାଲାଣକୁ ହିନ୍ଦୁ ସଙ୍ଗଠନ ପକ୍ଷରୁ ପ୍ରାୟତଃ ବିରୋଧ କରାଯାଉଥିବା ଦେଖିବାକୁ ମିଳିଛି । କାହିଁ କେଉଁକାଳରୁ ସନାତନି ହିନ୍ଦୁ ଧର୍ମାବଲମ୍ବୀ ଗୋରୁଗାଈଙ୍କୁ ପୂଜାକରି ଆସୁଛନ୍ତି । ଅପରପକ୍ଷରେ ଭାରତ ଏକ ହିନ୍ଦୁ ବହୁଳ ରାଷ୍ଟ୍ର ହୋଇଥିବାରୁ ବେଆଇନ ଗୋ ଚାଲାଣ ସାଙ୍ଗକୁ ଗୋହତ୍ଯା ନିଷେଧ ପାଇଁ ହିନ୍ଦୁ ସଙ୍ଗଠନ ଗୁଡିକ ପକ୍ଷରୁ ବିଭିନ୍ନ ସମୟରେ ଦାବି ମଧ୍ୟ ହେଉଛି। ଏହିସବୁ ଘଟଣାକ୍ରମରେ କିନ୍ତୁ ଗୋ ଚାଲାଣ କମିବା ବଦଳରେ ବଢ଼ି ଚାଲୁଥିବା ଦେଖିବାକୁ ମିଳୁଛି। ଦିନକୁଦିନ ଗୋମାତାଙ୍କ ପ୍ରତି ଅତ୍ୟାଚାର ମଧ୍ୟ ମାତ୍ରାଧିକ ଭାବେବଢି ଚାଲିଛି । ଓଡିଶା ସୀମାନ୍ତ ତଥା ମୟୂରଭଞ୍ଜ ଜିଲ୍ଲା ମୋରଡା ଥାନା ଅନ୍ତର୍ଗତ ଝିଙ୍କିରିଆଛକ ଦେଇ ପଡୋଶୀ ପଶ୍ଚିମବଙ୍ଗକୁ ହେଉଛି ବେଆଇନ ଭାବେ ଗୋ – ଚାଲାଣ । ସୂଚନାଯୋଗ୍ୟ ଯେ ଓଡ଼ିଶା ସୀମାନ୍ତ ତଥା ମୋରଡା ଥାନା ଝିଙ୍କିରିଆଛକ ଠାରୁ ପଡୋଶୀ ପଶ୍ଚିମବଙ୍ଗକୁ ମାତ୍ର ୯ ରୁ ୧୦ କିମି ଦୂରତା। ତେବେ ପ୍ରତ୍ୟେକ ରାତିରେ ବେଧଡକ ଭାବେ ମୟୂରଭଞ୍ଜ ଜିଲ୍ଲାର ମୋରଡା ଥାନା ଅଞ୍ଚଳ ଦେଇ ଗୋ ଚାଲାଣ ହେଉଥିବା ଅଭିଯୋଗ ହେଉଛି । ପିକଅପ୍ ଗାଡିରେ ଅମାନସିକତାର ସହ ଦୟନୀୟ ଭାବରେ ଗାଈଗୋରୁଙ୍କୁ ନିଆଯାଉଛି । ଯନ୍ତ୍ରଣାରେ ଛଟପଟ ହେଉଥିବା ଗାଈଗୋରୁ ନିଆଯାଉଥିବା ଗାଡି କିପରି ମୁଖ୍ୟରାସ୍ତାରେ ପୋଲିସ ଡ୍ୟୁଟି ଲାଗିଥିବା ସତ୍ତ୍ୱେ ଯାଉଛି। ଜାହାକୁନେଇ ସନ୍ଦେହ ଘେରରେ ପୋଲିସର ଦକ୍ଷତା ଏବଂ ସାଧୁତା ବୋଲି ପ୍ରଶ୍ନ ଉଠୁଥିବା ବେଳେ ଗୋ ମାଫିଆ ଏବଂ ପୋଲିସ ମଧ୍ୟରେ ସଲାସୁତରା ନିଶ୍ଚିତ ଥିବ ବୋଲି ଅଭିଯୋଗ ହେଉଛି। ବେଆଇନ ଭାବେ ଗୋ ଚାଲାଣ ହେଉଥିବା ବେଳେ ସ୍ଥାନୀୟ ପ୍ରଶାସନର ଭୂମିକା ସନ୍ଦେହ ଘେରରେ ରହିଥିବା ଚର୍ଚ୍ଚା ହେଉଛି। ଅନ୍ୟପଟେ ବେଆଇନ ଗୋ ଚାଲାଣ ରୋକିବା ସହ ଗୋ ମାତାଙ୍କୁ ସୁରକ୍ଷା ଯୋଗାଇ ଦେବାକୁ ଅଞ୍ଚଳର କେତେକ ହିନ୍ଦୁବାଦୀ ସଂଗଠନ ସାମ୍ନାକୁ ଆସି ସକ୍ରିୟ ଭୂମିକା ଗ୍ରହଣ କରୁଥିବାର ଦେଖିବାକୁ ମିଳିଛି। ସ୍ଥାନୀୟ ବଜରଙ୍ଗଦଳର ସକ୍ରିୟ ସଦସ୍ୟମାନେ ଏହି ସମ୍ବେଦନଶୀଳ ପ୍ରସଙ୍ଗରେ ଆଗକୁ ଆସି ଗୋ ଚାଲାଣକାରୀ ମାଫିଆଙ୍କ ଖଣ୍ଡା,ଭୁଜାଲି କି ବନ୍ଧୁକ ଭୟକୁ ଖାତର ନ କରି ଜୀବନକୁ ପାଣି ଛଡାଇ ବେଆଇନ ଗୋଚାଲାଣ ରୋକିବାକୁ ବାହାରି ଆସିଛନ୍ତି । ତେବେ ବିଳମ୍ବିତ ରାତିରେ ଝିଙ୍କିରିଆଛକ ଦେଇ ତିନୋଟି ପିକଅପରେ ବେଆଇନ ଭାବେ ଗୋ – ଚାଲାଣ ହେଉଥିବା ବେଳେ ଝିଙ୍କିରିଆ ବଜରଙ୍ଗଦଳ ପକ୍ଷରୁ ଗାଡ଼ିକୁ ଅଟକାଇବାକୁ ଚେଷ୍ଟା କରିଥିଲେ କିନ୍ତୁ ଦୁଇଟି ଗାଡ଼ି ଘଟଣାସ୍ଥଳରୁ ଖସି ପଳାଇଥିଲେ । ତେବେ ଗୋଟିଏ ଗାଡ଼ିକୁ ଅଟକାଇବାରେ ସମର୍ଥ ହୋଇଥିଲା ବଜରଙ୍ଗଦଳ । କିନ୍ତୁ ଡ୍ରାଇଭର ଖଣ୍ଡା ଦେଖାଇ ଘଟଣାସ୍ଥଳରୁ ଖସି ପଳାଇବାରେ ସଫଳ ହୋଇଥିଲା ବୋଲି ହୋଇଛି ଅଭିଯୋଗ । ଡ୍ରାଇଭର ସହିତ ଗାଡ଼ିରେ ଥିଲେ ଆଉ ଦୁଇଜଣ । ତେବେ ଗାଡ଼ିରେ ଥିବା ଗାଈ ଗୋରୁର ଗୋଡ଼କୁ ବାନ୍ଧି ଅମାନସିକତାର ସହ ଦୟନୀୟ ଭାବରେ ରଖାଯାଇଥିବା ଦେଖିବାକୁ ମିଳିଛି । ପରେ ଉକ୍ତ ଗାଡିରୁ ସମସ୍ତ ଗାଈ ଗୋରୁକୁ ସୁରକ୍ଷିତ ଭାବେ ଓହ୍ଲାଇ ଖାଦ୍ୟ ଦେଇଥିଲେ ଝିଙ୍କିରିଆ ଯୁବଗୋଷ୍ଠୀ । ହେଲେ ଅଟକ ହୋଇଥିବା ଉକ୍ତ ଗାଡିରେ ୧୭ଟି ଗାଈଗୋରୁ ଥିବା ଜଣାପଡିଛି । ଖବରପାଇ ଚିତ୍ରଡା ଫାଣ୍ଡି ଅଧିକାରୀ ନିରଞ୍ଜନ ସୋରେନ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି । ସୂଚନାଯୋଗ୍ୟ ଯେ ପ୍ରତ୍ୟେକ ରାତିରେ ଝିଙ୍କିରିଆ ଛକ ଠାରୁ ଆରମ୍ଭ କରି ସମସ୍ତ ଛକରେ ପୋଲିସ ଡ୍ୟୁଟିରେ ରହି ଜଗୁଥିବା ବେଳେ କିପରି ବେଆଇନ ଗୋ ଚାଲାଣ ହେଉଛି ବୋଲି ଉଠିଛି ପ୍ରଶ୍ନ । ଅପରପକ୍ଷରେ ଦୁଇ ସପ୍ତାହ ତଳେ ବିଳମ୍ବିତ ରାତିରେ ଦୃବୃତ୍ତମାନେ ରାସ୍ତାରେ ବୁଲୁଥିବା ହେଉ କି ଘରେ ବନ୍ଧାଥିବା ଗାଈ ଗୋରୁକୁ ମୋରଡା ଥାନା ଅଞ୍ଚଳର ବିଭିନ୍ନ ସ୍ଥାନରୁ ଚୋରି କରି ନେଉଥିବା ଅଭିଯୋଗ ହେଉଥିବା ସହିତ ସିସିଟିଭି ଫୁଟେଜର ରେକର୍ଡ ଭିଡିଓ ଭାଇରାଲ ହୋଇଥିବା ସତ୍ତ୍ଵେ ପୋଲିସ ହାତ ଖାଲି ।
ସ୍ଥାନୀୟ ପ୍ରଶାସନର ଆଖି ଆଗରେରେ ସବୁ ହେଉଥିଲେ ମଧ୍ୟ କାହିଁକି ଧୃତରାଷ୍ଟ୍ର ସାଜିଛି ପୋଲିସ ବୋଲି ହେଉଛି ଅଭିଯୋଗ । ଏହି ବେଆଇନ କାରବାର ରୋକିବା ନିମନ୍ତେ ଉପରିସ୍ଥ ଅଧିକାରୀ ତଥା ମୟୂରଭଞ୍ଜ ଜିଲ୍ଲା ଏସ ପି ମହୋଦୟା ହସ୍ତକ୍ଷେପ କରିବାର ଆବଶ୍ୟକତା ରହିଛି ବୋଲି ମତପ୍ରକାଶ ପାଉଛି।









