ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ବ୍ୟକ୍ତିଗତ ସଚିବ ବିଭବ କୁମାରଙ୍କୁ ସ୍ୱାତୀ ମାଲିୱାଲ୍ ମାମଲାରେ ସୋମବାର ସୁପ୍ରିମ୍କୋର୍ଟ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି । ସ୍ୱାତୀ ସମ୍ପ୍ରତି ଆପ୍ ପକ୍ଷରୁ ରାଜ୍ୟସଭା ସାଂସଦ ଭାବେ କାର୍ଯ୍ୟରତ ଥିବା ବେଳେ କେଜ୍ରିୱାଲ୍ଙ୍କ ବାସଭବନରେ ତାଙ୍କୁ ଆକ୍ରମଣ କରିବାର ଅଭିଯୋଗ ବିଭବ କୁମାରଙ୍କ ବିରୋଧରେ ଆସିଥିଲା । ପରେ ସେ ଏହି ମାମଲାରେ ଗିରଫ ହୋଇ ଜେଲ୍ ଯାଇଥିଲେ । ଏବେ ଯେତେବେଳେ ତାଙ୍କ ଜେଲ୍ ରହଣିକୁ ୧୦୦ ଦିନରୁ ଊର୍ଦ୍ଧ୍ୱ ସମୟ ହୋଇଛି ସେତେବେଳେ ସୁପ୍ରିମକୋର୍ଟ କେତୋଟି ସର୍ତ୍ତ ଆଧାରରେ ତାଙ୍କୁ ଜାମିନ୍ ପ୍ରଦାନ କରିଛନ୍ତି ।
ଜାମିନ୍ରେ ବାହାରକୁ ଯିବା ପରେ ବିଭବ କୁମାର ମାମଲା ସହ ସମ୍ପୃକ୍ତ କୌଣସି ସାକ୍ଷ୍ୟ, ପ୍ରମାଣକୁ ଧମକ ଚମକ ଦେବେ ନାହିଁ କିମ୍ବା ପ୍ରମାଣ ନଷ୍ଟ କରିବାକୁ ଉଦ୍ୟମ ମଧ୍ୟ କରିବେ ନାହିଁ । ପ୍ରକାଶ, ବିଭବ କୁମାରଙ୍କ ଜାମିନ୍ ଆବେଦନକୁ ଦିଲ୍ଲୀ ପୁଲିସ୍ ବିରୋଧ କରିଥିଲା । ଏହାସତ୍ତ୍ୱେ ତାଙ୍କୁ ଜାମିନ୍ ପ୍ରଦାନ କରାଯାଇଛି । ପ୍ରକାଶ, କେଜ୍ରିୱାଲଙ୍କ ପୂର୍ବତନ ବ୍ୟକ୍ତିଗତ ସଚିବ ବିଭବ କୁମାରଙ୍କୁ ଏହି ଘଟଣାରେ ଗତ ମେ ୧୮ରେ ଗିରଫ କରାଯାଇଥିଲା । ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ଆବାସରେ ବିଭବ କୁମାର ତାଙ୍କୁ ମାଡ଼ ମାରିଥିବା ଆପ୍ ରାଜ୍ୟସଭା ସାଂସଦ ସ୍ୱାତୀ ମାଲିୱାଲ ଅଭିଯୋଗ ଆଣିଥିଲେ । ଜୁଲାଇ ୧୨ତାରିଖରେ ହାଇକୋର୍ଟ ତାଙ୍କ ଜାମିନ ଆବେଦନ ଖାରଜ କରିଦେଇଥିଲେ । ପରେ ଏହି ମାମଲା ସୁପ୍ରିମକୋର୍ଟ ଯାଇଥିଲା ।