ନୂଆଦିଲ୍ଲୀ: ଭାରତୀୟ ଶଟ୍ଲର୍ ତନ୍ଭୀ ଶର୍ମା ଓ ଅଲିଶା ନାଏକ ଗୁରୁବାର ଚୀନ୍ର ନାନ୍ଚାଙ୍ଗରେ ଚାଲିଥିବା ବ୍ୟାଡ୍ମିଣ୍ଟନ୍ ୱାର୍ଲ୍ଡ ଜୁନିୟର ଚାମ୍ପିଅନ୍ଶିପ୍ର କ୍ୱାର୍ଟର୍ ଫାଇନାଲ୍ରେ ପ୍ରବେଶ କରିଛନ୍ତି। ୨୦୨୩ ସିନିୟର୍ ନାସ୍ନାଲ୍ ଚାମ୍ପିଅନ୍ଶିପ୍ ରନର୍-ଅପ୍ ୧୫ ବର୍ଷୀୟା ତନ୍ଭୀ ପ୍ରି-କ୍ୱାର୍ଟର୍ ଫାଇନାଲ୍ ରାଉଣ୍ଡ୍ରେ ଜାପାନର ନିନା ନାତ୍ସୁତାଙ୍କ ୨୧-୧୮, ୨୧-୧୩ରେ ହରାଇ ଦେଇଛନ୍ତି। କ୍ୱାର୍ଟର୍ ଫାଇନାଲ୍ରେ ତନ୍ଭୀ ତୃତୀୟ ସିଡ୍ ଚୀନ୍ର ସୁ ୱେନ୍ ଜିଙ୍ଗ୍ଙ୍କୁ ଭେଟିବେ। ଅନ୍ୟପକ୍ଷରେ ୧୮ ବର୍ଷୀୟ ଅଲିଶା ୩୦ ମିନିଟ୍ର ପ୍ରି-କ୍ୱାର୍ଟର୍ ମ୍ୟାଚ୍ରେ ମାଲେସିଆର ଲିମ୍ ଝି ଶିନ୍ଙ୍କୁ ୨୧-୧୭, ୨୧-୧୭ରେ ମାତ୍ ଦେଇଛନ୍ତି। ସେମିଫାଇନାଲ୍ ସ୍ଥାନ ପାଇଁ ସେ ଚୀନ୍ର ଦାଇ କ୍ୱିନ୍ ୟିଙ୍କ ମୁକାବିଲା କରିବେ। ତେବେ ଭାର୍ଗବ ରାମ ଆରିଗେଲା ଓ ଭେନ୍ନାଲା କାଲାଗୋଟ୍ଲାଙ୍କ ଭାରତୀୟ ମିକ୍ସଡ୍ ଡବଲ୍ସ ଯୋଡ଼ି ଚୀନ୍ର ଲି ହୋଙ୍ଗ୍ ହି ଓ ଝାଙ୍ଗ୍ ଜିଆ ହାନ୍ଙ୍କଠାରୁ ଏକ ରାଉଣ୍ଡ-୧୬ ମ୍ୟାଚ୍ରେ ୧୩-୨୧, ୧୬-୨୧ରେ ହାରିଯାଇଛନ୍ତି।









