ଭୁବନେଶ୍ୱର: ଭୁବନେଶ୍ୱର ଆଜାଦନଗର ବିସ୍ଫୋରଣ ମାମଲାର ତଦନ୍ତ ପାଇଁ ଏୟାରଫିଲ୍ଡ ଥାନାରେ ପହଞ୍ଚିଲା ଏନଆଇଏ ଟିମ । ବିସ୍ଫୋରଣ ଘଟଣାରେ ଅପରାଧିକ ଓ ଆତଙ୍କୀ ଲିଙ୍କକୁ ନେଇ ତନାଘନା କରୁଛି ଏନଆଇଏ । ବୋମାରେ ବ୍ୟବହୃତ ଉନ୍ନତମାନର ଗନ ପାଉଡର କେଉଁଠୁ ଆସିଲା ତାର ମଧ୍ୟ ଛାନଭିନ କରୁଛି ଟିମ । ଘଟଣାସ୍ଥଳରୁ ମିଳିଥିବା ବୋମା ସାମଗ୍ରୀକୁ ପରୀକ୍ଷା ପାଇଁ ଫୋରେନସିକ ଲ୍ୟାବ ପଠାଯାଇଥିଲା । ରିପୋର୍ଟ ଆସିବା ପରେ ଏବେ ତଦନ୍ତକୁ ଜୋରଦାର କରିଛି ଏନଆଇଏ । ଜାନୁଆରୀ ୨୭ ତାରିଖରେ ସୁନ୍ଦରପଦା ଆଜାଦନଗରରେ ବିସ୍ଫୋରଣ ହୋଇଥିଲା । ବିସ୍ଫୋରଣରେ ମୁଖ୍ୟ ଅଭିଯୁକ୍ତ ସେହେନୱାଜ ମଲ୍ଲିକ ଏବଂ ତା ମାଆଙ୍କର ମୃତ୍ୟୁ ହୋଇଥିଲା । ଏହି ଘଟଣାରେ ମାମଲା ରୁଜୁ କରି ପୂର୍ଣ୍ଣ ତଦନ୍ତ ଭାର ନେଇଛି ଏନଆଇଏ ଟିମ । ଆନ୍ତଃରାଜ୍ୟ ଲିଙ୍କ, ପୂର୍ବ ଅପରାଧିକ ମାମଲା ସମ୍ପର୍କରେ ଖୋଳତାଡ ହେବ । ଏତେ ପରିମାଣ ଆରଡିଏକ୍ସ କେଉଁଠାରେ ବ୍ୟବହାର ହୋଇଥାନ୍ତା ତାର ମଧ୍ୟ ଛାନଭିନ କରିବ ଏନଆଇଏ । ଉଲ୍ଲେଖେଯାଦ୍ୟ ଯେ, ଭୁବନେଶ୍ୱର ଏୟାରଫିଲ୍ଡ ଥାନା ଅନ୍ତର୍ଗତ ନିୟୁ ଆଜାଦନଗରରେ ବୋମା ବିସ୍ଫୋରଣର ଘଟଣାରେ ୪ ଜଣ ଆହତ ହୋଇଥିଲେ । ବୋମା ଭିଡୁଥିବା ସମୟରେ ଏହି ବିସ୍ଫୋରଣ ଘଟିଥିଲା । ଏଥିରେ ମୁଖ୍ୟ ଅଭିଯୁକ୍ତ ସେହେନୱାଜଙ୍କ ସମେତ ତାଙ୍କ ବାନ୍ଧବୀ, ମାଆ ଓ ବନ୍ଧୁ ଅମୀୟ ମଲ୍ଲିକ ଆହତ ହୋଇଥିଲେ । ଚିକିତ୍ସାଧୀନ ଅବସ୍ଥାରେ ମୁଖ୍ୟ ଅଭିଯୁକ୍ତ ସେହେନୱାଜ ଏବଂ ତାଙ୍କ ମାଆଙ୍କ ମୃତ୍ୟୁ ଘଟିଥିଲା ।










