34.1 C
Bhubaneswar
Saturday, April 4, 2026
Homeଓଡିଶାଦୋକାନ ଓ ବାଣିଜ୍ୟ ପ୍ରତିଷ୍ଠାନରେ ଓଡ଼ିଆ ନାମଫଳକ ପ୍ରଦର୍ଶନ ପାଇଁ ସଚେତନତା ପଦଯାତ୍ରା ଅନୁଷ୍ଠିତ

ଦୋକାନ ଓ ବାଣିଜ୍ୟ ପ୍ରତିଷ୍ଠାନରେ ଓଡ଼ିଆ ନାମଫଳକ ପ୍ରଦର୍ଶନ ପାଇଁ ସଚେତନତା ପଦଯାତ୍ରା ଅନୁଷ୍ଠିତ

ଭୁବନେଶ୍ୱର: ୧ ଏପ୍ରିଲ ‘ଓଡ଼ିଶା ଦିବସ’ ରୁ ୧୪ ଏପ୍ରିଲ ‘ଓଡ଼ିଆ ନବବର୍ଷ’ ପର୍ଯ୍ୟନ୍ତ ସାରା ରାଜ୍ୟରେ ‘ଓଡ଼ିଆ ପକ୍ଷ-୨୦୨୬’ ପାଳନ କରାଯାଉଛି। ଏହି ଅବସରରେ ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗ ପକ୍ଷରୁ ସମସ୍ତ ଦୋକାନ ଓ ବାଣିଜ୍ୟିକ ପ୍ରତିଷ୍ଠାନଗୁଡ଼ିକରେ ଓଡ଼ିଆ ଭାଷାରେ ସ୍ପଷ୍ଟ ଭାବେ ନାମଫଳକ ପ୍ରଦର୍ଶନ କରିବା ପାଇଁ ଏକ ବ୍ୟାପକ ସଚେତନତା ଅଭିଯାନ ଓ ପଦଯାତ୍ରା ଆଜି ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି। ଲୋଅର ପିଏମ୍‌ଜି ଠାରୁ ଶ୍ରମ ଆୟୁକ୍ତଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଆୟୋଜିତ ଏହି ପଦଯାତ୍ରାରେ ପ୍ରାୟ ୨୦୦ରୁ ଅଧିକ ବ୍ୟକ୍ତି ସାମିଲ ହୋଇ ଓଡ଼ିଆ ଭାଷାର ପ୍ରସାର ପାଇଁ ସଂକଳ୍ପ ନେଇଥିଲେ।

ଏହି ସଚେତନତା ପଦଯାତ୍ରାକୁ ଶ୍ରମ ଆୟୁକ୍ତ ଶ୍ରୀ ଇନ୍ଦ୍ରମଣୀ ତ୍ରିପାଠୀ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଥିଲେ। ଉଦ୍‌ଘାଟନୀ ସମାରୋହରେ ନିଜର ଅଭିଭାଷଣ ରଖି ସେ କହିଥିଲେ ଯେ, ୪ ଏପ୍ରିଲ ରୁ ୭ ଏପ୍ରିଲ ୨୦୨୬ ପର୍ଯ୍ୟନ୍ତ ଚାରି ଦିନ ଧରି ବିଭାଗୀୟ ଅଧିକାରୀମାନେ ବିଭିନ୍ନ ଦୋକାନ ଓ ବ୍ୟବସାୟିକ ଅନୁଷ୍ଠାନ ପରିଦର୍ଶନ କରିବେ। ଯେଉଁ ସ୍ଥାନରେ ଓଡ଼ିଆ ନାମଫଳକ ସ୍ପଷ୍ଟ ଭାବେ ଲଗାଯାଇନାହିଁ, ସେଠାରେ ବ୍ୟବସାୟୀମାନଙ୍କୁ ନିର୍ଭୁଲ ଭାବେ ଓଡ଼ିଆ ନାମଫଳକ ଲେଖିବାକୁ ଅନୁରୋଧ କରାଯିବ। ଆମ ଭାଷା ଆମର ପରିଚୟ ଓ ଗର୍ବ ହୋଇଥିବାରୁ ପ୍ରତ୍ୟେକ ବ୍ୟବସାୟ ସ୍ଥଳରେ ଏହାର ବ୍ୟବହାରକୁ ସୁନିଶ୍ଚିତ କରିବା ଆମ ସମସ୍ତଙ୍କର ସାମୂହିକ ଦାୟିତ୍ୱ ବୋଲି ସେ ପ୍ରକାଶ କରିଥିଲେ।

ଏହି ଅବସରରେ ଅତିରିକ୍ତ ଶ୍ରମ ଆୟୁକ୍ତ ମଦନ ମୋହନ ପାଇକ, ଯୁଗ୍ମ ଶ୍ରମ ଆୟୁକ୍ତ ବିଘ୍ନଜିତ ମହନ୍ତ ମହାପାତ୍ର ଓ ଭାରତୀ ସିଥା, ପ୍ରଭାଗୀୟ ଶ୍ରମ ଆୟୁକ୍ତ ବନାନୀ ମହାପାତ୍ର, ଖୋର୍ଦ୍ଧା ପ୍ରଭାଗୀୟ ଶ୍ରମ ଆୟୁକ୍ତ ଅଜୟ ପ୍ରଧାନ, ଜିଲ୍ଲା ଶ୍ରମ ଅଧିକାରୀ ପ୍ରଭାକର ବିଶ୍ୱାଳ, ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗର ଉପ-ଶାସନ ସଚିବ ପୀୟୂଷ ପରିଡ଼ା ଏବଂ ‘ଓଡ଼ିଶା ପରିବାର’ର ନୋଡାଲ ଅଫିସର ପ୍ରିତିଶ ପଣ୍ଡା ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।

ସୂଚନାଯୋଗ୍ୟ ଯେ, ଓଡ଼ିଶା ଦୋକାନ ଏବଂ ବାଣିଜ୍ୟ ପ୍ରତିଷ୍ଠାନ ଆଇନ ଅନୁଯାୟୀ ପ୍ରତ୍ୟେକ ବ୍ୟବସାୟିକ ଅନୁଷ୍ଠାନରେ ଓଡ଼ିଆ ଭାଷାରେ ସ୍ପଷ୍ଟ ଓ ନିର୍ଭୁଲ ଭାବେ ନାମଫଳକ ଲେଖିବା ଏକ ବାଧ୍ୟତାମୂଳକ ନିୟମ। ଏହି ଆଇନର ଧାରା ୩୫ ଅନୁଯାୟୀ, ଯଦି କୌଣସି ପ୍ରତିଷ୍ଠାନ ଏହି ନିୟମର ଉଲ୍ଲଂଘନ କରନ୍ତି, ତେବେ ସେମାନଙ୍କୁ କଠୋର ଆର୍ଥିକ ଜରିମାନାର ସମ୍ମୁଖୀନ ହେବାକୁ ପଡ଼ିବ। ପ୍ରଥମ ଥର ନିୟମ ଖିଲାପ ପାଇଁ ୫,୦୦୦ ଟଙ୍କାରୁ ୧୦,୦୦୦ ଟଙ୍କା ଏବଂ ଦ୍ୱିତୀୟ ବା ପରବର୍ତ୍ତୀ ଉଲ୍ଲଂଘନ ପାଇଁ ୧୦,୦୦୦ ଟଙ୍କାରୁ ୨୦,୦୦୦ ଟଙ୍କା ପର୍ଯ୍ୟନ୍ତ ଜରିମାନା ବ୍ୟବସ୍ଥା ରହିଛି। ଏହି ସଚେତନତା ଅଭିଯାନ ମାଧ୍ୟମରେ ସହରର ବ୍ୟବସାୟୀଙ୍କୁ ଆଇନ ସମ୍ପର୍କରେ ଅବଗତ କରାଯିବା ସହ ଓଡ଼ିଆ ଭାଷାର ମର୍ଯ୍ୟାଦା ରକ୍ଷା ପାଇଁ ଆହ୍ୱାନ ଦିଆଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking