30.1 C
Bhubaneswar
Tuesday, February 3, 2026
Homeଓଡିଶାନିର୍ବାଚନ ସାକ୍ଷରତା କ୍ଲବ ଆନୁକୂଲ୍ୟରେ ବିଜେବି (ସ୍ବୟଂଶାସିତ) ମହାବିଦ୍ୟାଳୟରେ ସଚେତନତା କାର୍ଯ୍ୟକ୍ରମ

ନିର୍ବାଚନ ସାକ୍ଷରତା କ୍ଲବ ଆନୁକୂଲ୍ୟରେ ବିଜେବି (ସ୍ବୟଂଶାସିତ) ମହାବିଦ୍ୟାଳୟରେ ସଚେତନତା କାର୍ଯ୍ୟକ୍ରମ

ଭୁବନେଶ୍ୱର: ନିର୍ବାଚନ ସାକ୍ଷରତା କ୍ଲବ ଆନୁକୂଲ୍ୟରେ ସ୍ଥାନୀୟ ବକ୍ସି ଜଗବନ୍ଧୁ ବିଦ୍ୟାଧର (ସ୍ବୟଂଶାସିତ) ମହାବିଦ୍ୟାଳୟରେ ଏକ ନିର୍ବାଚନୀ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ତଥା ସ୍ୱତନ୍ତ୍ର ଶାସନ ସଚିବ ଶ୍ରୀ ସୁଶାନ୍ତ କୁମାର ମିଶ୍ର ମୁଖ୍ୟ ଅତିଥି ଏବଂ ଉପ ମୁଖ୍ୟ ନିର୍ବାଚନ ଅଧିକାରୀ ଡ. ଲକ୍ଷ୍ମୀପ୍ରସାଦ ସାହୁ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଭାରତ ଭଳି ଏକ ବିଶାଳ ଦେଶରେ ଗଣତାନ୍ତ୍ରିକ ବିଧିବ୍ୟବସ୍ଥାର ସଠିକ ସଂସ୍ଥାପନ, ସାମ୍ବିଧାନିକ ସ୍ୱାଧୀନତାର ଉତ୍ତରଦାୟିତ୍ୱ, ଭାରତ ନିର୍ବାଚନ ଆୟୋଗର ସମୟର ଆବଶ୍ୟକତା ଅନୁଯାୟୀ ସଶକ୍ତ ପଦକ୍ଷେପ, ନାଗରିକମାନଙ୍କର ମତଦାନ ଅଧିକାର, ନିର୍ବାଚନର ନୀତିନୈତିକତା, ନାଗରିକ ସଚେତନତା ମାଧ୍ୟମରେ ଗଣତାନ୍ତ୍ରିକ ମୂଲ୍ୟବୋଧର ଉତ୍ଥାନରେ ଛାତ୍ରଛାତ୍ରୀମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ସମ୍ପର୍କରେ ସବିଶେଷ ସୂଚନା ପ୍ରଦାନ କରିଥିଲେ ।

ସାମାଜିକ ଗଣମାଧ୍ୟମରେ ବିଭିନ୍ନ ସମୟରେ ବିଶେଷ କରି ନୂଆପଡା ଉପନିର୍ବାଚନ ସମୟରେ ପ୍ରକାଶ ପାଇଥିବା ଇଭିଏମ ଓ ନିର୍ବାଚନର ସ୍ୱଚ୍ଛତା, ଭୋଟ୍ ଜାଲିଆତି ଆଦି ବିଭିନ୍ନ ମିଥ୍ୟା ଓ ବିଭ୍ରାନ୍ତିକର ସୂଚନା ସମ୍ବଳିତ ସମସ୍ତ ପ୍ରଶ୍ନର ସରଳ ଓ ସାବଲୀଳ ଉତ୍ତର ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ମିଶ୍ର ଛାତ୍ରଛାତ୍ରୀମାନଙ୍କ ସମ୍ମୁଖରେ ରଖିଥିଲେ । ଛାତ୍ରଛାତ୍ରୀମାନେ ନିଜେ ସଚେତନ ହେବା ସହିତ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟର ସାମାଜିକ ଗଣମାଧ୍ୟମରେ ପ୍ରଦତ୍ତ ଭିଡିଓ ସୂଚନାର ସମୁଚିତ ରିଲସ କରି ଅନ୍ୟମାନଙ୍କୁ ସଚେତନ କରିବା ପାଇଁ ପରାମର୍ଶ ଦେଇଥିଲେ ।

ଉପ ମୁଖ୍ୟ ନିର୍ବାଚନ ଅଧିକାରୀ ଡ. ସାହୁ ଛାତ୍ରଛାତ୍ରୀମାନଙ୍କୁ ନୂଆ ଭୋଟର ଭାବେ ନାମ ପଞ୍ଜିକରଣ (ଫର୍ମ 6), ନାମ ଅପସାରଣ (ଫର୍ମ 7), ଭ୍ରମ ସଂଶୋଧନ (ଫର୍ମ 8), ଆଧାର ସହ ଭୋଟର କାର୍ଡ ସଂଯୋଗୀକରଣ (ଫର୍ମ 6 ଖ), ସ୍ୱତନ୍ତ୍ର ସଘନ ସଂଶୋଧନର କାର୍ଯ୍ୟାନ୍ୱୟନ ସମ୍ପର୍କରେ ସୂଚନା ଦେଇଥିଲେ । ECINet ଆପ, ଭୋଟର ହେଲ୍ପଲାଇନ ଭଳି ଉପକାରୀ ଆପ ବାବଦରେ ମଧ୍ୟ ସୂଚନା ଦେବାସହ ନିର୍ବାଚନ ସାକ୍ଷରତା କ୍ଲବର ଜଣେ ଜଣେ ସକ୍ରିୟ ସଦସ୍ୟ ହୋଇ ଭାରତୀୟ ଗଣତନ୍ତ୍ରକୁ ଅଧିକ ସଶକ୍ତ ଓ ସୁଦୃଢ କରିବା ପାଇଁ ପରାମର୍ଶ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଡେପୁଟି କଲେକ୍ଟର ଶ୍ରୀମତୀ ସ୍ମିତା ରଥ, ଇଆରଓ, ଏକାମ୍ର ଶ୍ରୀ ଏସ ପ୍ରକାଶ କୁମାର ପାତ୍ର, ବକ୍ସି ଜଗବନ୍ଧୁ ବିଦ୍ୟାଧର (ସ୍ବୟଂଶାସିତ) ମହାବିଦ୍ୟାଳୟର ସହକାରୀ ପ୍ରଫେସର ଶ୍ରୀ ସବୀନ୍ଦ୍ର ସାମଲ ଏବଂ ଶତାଧିକ ଛାତ୍ର-ଛାତ୍ରୀ ଯୋଗଦେଇଥିଲେ । ଆଗାମୀ ଦିନରେ ଏହି ନିର୍ବାଚନୀ ସଚେତନତା କାର୍ଯ୍ୟକ୍ରମ ରାଜ୍ୟର ବିଭିନ୍ନ ମହାବିଦ୍ୟାଳୟମାନଙ୍କରେ କରାଯିବ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking