16.1 C
Bhubaneswar
Tuesday, January 20, 2026
Homeଦେଶ ବିଦେଶଗାଜା ଉପରେ ଆକ୍ରମଣ, ୮୭ ମୃତ

ଗାଜା ଉପରେ ଆକ୍ରମଣ, ୮୭ ମୃତ

ଜେରୁଜେଲମ: ଇସ୍ରାଏଲ ପକ୍ଷରୁ ଶନିବାର ପାଲେଷ୍ଟାଇନର ଗାଜା ଉପତ୍ୟକାସ୍ଥିତ ବିଟ୍‌ ଲାହିୟା ଅଞ୍ଚଳ ଉପରେ ହୋଇଥିବା ବୋମାମାଡରେ ୮୭ ଜଣ ପ୍ରାଣ ହରାଇଛନ୍ତି। ଆକ୍ରମଣରେ ଉକ୍ତ ଅଞ୍ଚଳରେ ଏକାଧିକ ଅଟ୍ଟାଳିକା ସମ୍ପୂର୍ଣ୍ଣ ଧରାଶାୟୀ ହୋଇପଡିଛି। ଧ୍ବଂସସ୍ତୂପ ତଳେ ଆଉ କେତେକ ପୋତି ହୋଇପଡିଥିବା ଆଶଙ୍କା କରାଯାଉଛି। ଉକ୍ତ ଅଞ୍ଚଳରେ ଯୋଗାଯୋଗ ବ୍ୟବସ୍ଥା ଭୁଶୁଡି ପଡିଥିବାବେଳେ ବାହାରୁ ଆସୁଥିବା ରିଲିଫ୍‌ ଯୋଗାଣ ବାଧାପ୍ରାପ୍ତ ହୋଇଥିବା କୁହାଯାଇଛି। ଏହା ଏକ ଘନ ଜନବସତି ହୋଇଥିବାରୁ ଉଦ୍ଧାରକାରୀ ଦଳ ସେଠାରେ ପହଞ୍ଚିବା କଷ୍ଟକର ହୋଇପଡିଛି।

ପାଲେଷ୍ଟାଇନ ପକ୍ଷରୁ ମୃତକଙ୍କ ସଂଖ୍ୟା ୮୭ ସ୍ପଷ୍ଟ କରାଯାଇଥିଲେ ସୁଦ୍ଧା ଇସ୍ରାଏଲ ଏହାକୁ ଅତିରଞ୍ଜିତ ବୋଲି କହିଛି। ଶୁକ୍ରବାର ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କ ବାସଭବନକୁ ଲକ୍ଷ୍ୟ କରି ଲେବାନନ୍‌ସ୍ଥିତ ହେଜବୋଲ୍ଲା ସଂଗଠନ ପକ୍ଷରୁ ଡ୍ରୋନ୍‌ ଆକ୍ରମଣ କରାଯାଇଥିଲା। ତେବେ ନେତାନ୍ୟାହୁ କିମ୍ବା ତାଙ୍କ ପରିବାରର କୌଣସି ସଦସ୍ୟ ସେହି ସମୟରେ ସେଠାରେ ଉପସ୍ଥିତ ନଥିବାରୁ ବିଶେଷ କ୍ଷୟକ୍ଷତି ଘଟିନାହିଁ। ଏହାର ପ୍ରତିଶୋଧ ନେବାକୁ ଇସ୍ରାଏଲ ପକ୍ଷରୁ ଏଭଳି ଆକ୍ରମଣ କରାଯାଇଥିବା ପାଲେଷ୍ଟାଇନ ଅଭିଯୋଗ କରିଛି।

ଗାଜା ବ୍ୟତୀତ ଇସ୍ରାଏଲ ସେନା ଲେବାନନ୍‌ରେ ଥିବା ହେଜବୋଲ୍ଲାର ଏକାଧିକ ଠିକଣା ଉପରେ ମଧ୍ୟ ବୋମାମାଡ କରିଛି। ଫଳରେ ଲେବାନନ ରାଜଧାନୀ ବେରୁଟ୍‌ସ୍ଥିତ ଏକାଧିକ ହେଜବୋଲ୍ଲା ଆଡ୍ଡାସ୍ଥଳୀ, ଭୂତଳ ଅସ୍ତ୍ରାଗାର, ମସଜିଦ ଓ ଡାକ୍ତରଖାନାର ବ୍ୟାପକ କ୍ଷତି ଘଟିଛି। ଆକ୍ରମଣରେ ହେଜବୋଲ୍ଲା ସଂଗଠନର ୩ ଜଣ ଆତଙ୍କବାଦୀ ପ୍ରାଣ ହରାଇଥିବା ଇସ୍ରାଏଲ ଦାବି କରିଛି। ଏହି ଆକ୍ରମଣର କିଛି ସମୟ ମଧ୍ୟରେ ହେଜବୋଲ୍ଲା ପକ୍ଷରୁ ଇସ୍ରାଏଲର ବିଭିନ୍ନ ସହରକୁ ଲକ୍ଷ୍ୟ କରି ୭୦ ରକେଟ ମାଡ କରାଯାଇଥିଲା। ଇସ୍ରାଏଲ ସେନା ଅଧିକାଂଶ ରକେଟକୁ ଆକାଶମାର୍ଗରେ ଧ୍ବଂସ କରିଥିବାବେଳେ ଆଉ କେତେକ ରକେଟ୍‌ ଜନବସତି ବାହାରେ ପଡିଥିବାରୁ କ୍ଷୟକ୍ଷତି ଘଟିନଥିବା କୁହାଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking