18.1 C
Bhubaneswar
Friday, December 27, 2024
Homeଦେଶ ବିଦେଶଆସ୍ଥା ଭୋଟ୍‌ରେ ହାରିଲେ ପ୍ରଚଣ୍ଡ ଦହଲ; ପୁଣି ଥରେ କେପି ଶର୍ମା ଓଲି ହେବେ ନେପାଳର...

ଆସ୍ଥା ଭୋଟ୍‌ରେ ହାରିଲେ ପ୍ରଚଣ୍ଡ ଦହଲ; ପୁଣି ଥରେ କେପି ଶର୍ମା ଓଲି ହେବେ ନେପାଳର ନୂଆ ପ୍ରଧାନମନ୍ତ୍ରୀ

କାଠମାଣ୍ଡୁ: ନେପାଳ ପ୍ରଧାନମନ୍ତ୍ରୀ ପୁଷ୍ପ କମଲ ଦହଲ (ପ୍ରଚଣ୍ଡ) ଶୁକ୍ରବାର ସଂସଦୀୟ ଆସ୍ଥା ଭୋଟ୍‌ରେ ପରାଜିତ ହୋଇଛନ୍ତି । ଏଥିସହ ପ୍ରଚଣ୍ଡଙ୍କ କମ୍ୟୁନିଷ୍ଟ ପାର୍ଟି ନେତୃତ୍ୱାଧୀନ ସରକାରଙ୍କ ହାରାହାରି ୨୦ ମାସର ଅସ୍ଥିର କାର୍ଯ୍ୟକାଳରେ ମଧ୍ୟ ଯବନିକା ପଡ଼ିଛି । ୬୯ ବର୍ଷୀୟ ଦହଲଙ୍କ ସରକାରରେ ସର୍ବବୃହତ୍ ସହଯୋଗୀ ପାର୍ଟି ଭାବେ ସମର୍ଥନ ଦେଇଆସୁଥିବା ଲିବରାଲ କମ୍ୟୁନିଷ୍ଟ ୟୁନିଫାଏଡ୍ ମାର୍କ୍ସଶିଷ୍ଟ ଲେନିନିଷ୍ଟ ଦଳ ଗତ ସପ୍ତାହରେ ହଠାତ୍ ସରକାରଙ୍କ ଠାରୁ ସମର୍ଥନ ପ୍ରତ୍ୟାହାର କରିନେଇଥିଲା । ଏହାପରେ ପ୍ରଚଣ୍ଡଙ୍କ ପାଖରେ ଇସ୍ତଫା ଦେବା କିମ୍ବା ଗୃହରେ ସଂଖ୍ୟା ଗରିଷ୍ଠତାର ପ୍ରମାଣ ଦେବା ଭଳି ଦୁଇଟି ବିକଳ୍ପ ହିଁ ରହିଥିଲା । ତେବେ ଆଜି ନେପାଳ ସଂସଦରେ ଅନୁଷ୍ଠିତ ହୋଇଯାଇଥିବା ଆସ୍ଥା ଭୋଟ୍‌ରେ ସେ ପରାଜିତ ହୋଇଛନ୍ତି ।

୨୭୫ ସଦସ୍ୟ ବିଶିଷ୍ଟ ନେପାଳ ସଦନରେ ପ୍ରଚଣ୍ଡଙ୍କୁ ଅତି କମରେ ୧୩୮ଟି ଭୋଟ୍ ବା ସାଂସଦଙ୍କ ସମର୍ଥନର ଆବଶ୍ୟକତା ଥିବା ବେଳେ ତାଙ୍କ ସପକ୍ଷରେ ମାତ୍ର ୬୩ଜଣ ହିଁ ଦହଲଙ୍କୁ ଭୋଟ୍ ଦେଇଥଲେ । ୧୯୪ ସାଂସଦ ତାଙ୍କ ବିପକ୍ଷରେ ଭୋଟ୍ ଦେଇଥିଲେ ଓ ଜଣେ ଭୋଟ୍ ଦେଇନଥିଲେ । ତେବେ ଗୃହରେ ଆଜି ମୋଟ୍ ୨୫୮ ସାଂସଦ ଉପସ୍ଥିତ ରହିଥିବା ବେଳେ ବାକି ୧୭ଜଣ ଅନୁପସ୍ଥିତ ରହିଥିଲେ । ଭୋଟ୍ ଗଣତି ପରେ ବାଚସ୍ପତି ଦେବରାଜ ଘିମିରେ ପ୍ରଧାନମନ୍ତ୍ରୀ ପୁଷ୍ପ କମଲ ଦହଲ ଆସ୍ଥା ଭୋଟ୍‌ରେ ପରାସ୍ତ ହୋଇଥିବା ନେଇ ଘୋଷଣା କରିଛନ୍ତି । ପରେ ପ୍ରଧାନମନ୍ତ୍ରୀ ପଦରୁ ପ୍ରଚଣ୍ଡ ଇସ୍ତଫା ଦେଇଥିବା ସୂଚନା ମିଳିଛି । ୨୫ ଡିସେମ୍ବର ୨୦୨୨ରେ ପ୍ରଧାନମନ୍ତ୍ରୀ ପଦ ଗ୍ରହଣ କରିବାର ଦେଢ଼ ବର୍ଷ ମଧ୍ୟରେ ପ୍ରଚଣ୍ଡଙ୍କ ପାଇଁ ଏହା ହେଉଛି ପଞ୍ଚମ ବିଶ୍ୱାସ ଭୋଟ୍ । ତେବେ ପୂର୍ବରୁ ୪ଥର ଆସ୍ଥା ରଖିବାକୁ ସକ୍ଷମ ହୋଇଥିବା ପ୍ରଚଣ୍ଡ ଏଥର ଫେଲ ମାରିଛନ୍ତି ।

ଅନ୍ୟପକ୍ଷେ ପ୍ରଚଣ୍ଡଙ୍କ ପରେ ଏବେ ନେପାଳର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ କିଏ ହେବେ ସେନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ତେବେ ପୂର୍ବତନ ପ୍ରଧାନମନ୍ତ୍ରୀ ତଥା କମ୍ୟୁନିଷ୍ଟ ପାର୍ଟି ନେତା କେ.ପି ଶର୍ମା ଓଲି ପୁଣିଥରେ ନେପାଳର ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିବେ ବୋଲି କୁହାଯାଉଛି । କାରଣ ନେପାଳୀ କଂଗ୍ରେସ ସଭାପତି ଶେର ବାହାଦୂର ଦେଓବା, ଓଲିଙ୍କୁ ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ଭାବରେ ସମର୍ଥନ କରିସାରିଛନ୍ତି । ଜାତୀୟ ସ୍ୱାର୍ଥର ସୁରକ୍ଷା ତଥା ନେପାଳକୁ ସମୃଦ୍ଧ ତଥା ନେପାଳବାସୀଙ୍କୁ ଖୁସି କରିବା ପାଇଁ ସମ୍ବିଧାନରେ ସଂଶୋଧନ କରିବାର ଆବଶ୍ୟକତା ଉପରେ ଉଭୟ ପକ୍ଷ ସହମତ ହୋଇଥିବା କହିଛନ୍ତି । ପ୍ରକାଶ, ସମ୍ପ୍ରତି ୨୭୫ ସଦସ୍ୟ ବିଶିଷ୍ଟ ସଂସଦରେ ନେପାଳ କଂଗ୍ରେସର ୮୯ ଟି ସିଟ୍ ଥିବାବେଳେ ସିପିଏନ୍‌-ୟୁଏମ୍‌ଏଲ୍ ୭୮ ଟି ସିଟ୍ ରହିଛି । ସେମାନଙ୍କର ମିଳିତ ଶକ୍ତି ହେଉଛି ୧୬୭ ଯାହା ଲୋୟର ହାଉସରେ ସଂଖ୍ୟାଗରିଷ୍ଠତା ପାଇଁ ଆବଶ୍ୟକ ୧୩୮ ସିଟ୍ ଠାରୁ ଅଧିକ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking