26.1 C
Bhubaneswar
Friday, March 27, 2026
Homeଓଡିଶାଭିଜିଲାନ୍ସ ଜାଲରେ ସିଟି ଆଣ୍ଡ ଜିଏସ୍‌ଟିର ଆସିଷ୍ଟାଣ୍ଟ କମିଶନର

ଭିଜିଲାନ୍ସ ଜାଲରେ ସିଟି ଆଣ୍ଡ ଜିଏସ୍‌ଟିର ଆସିଷ୍ଟାଣ୍ଟ କମିଶନର

କଟକ: ଯାଜପୁର ସିଟି ଆଣ୍ଡ ଜିଏସ୍‌ଟିର ଆସିଷ୍ଟାଣ୍ଟ କମିଶନର ବିନୟ ଭୂଷଣ ତ୍ରିପାଠୀଙ୍କ ଘରେ ଆଜି ଭିଜିଲାନ୍ସ ଚଢ଼ଉ କରିଛି। ଭିଜିଲାନ୍ସର ୫ଟି ଟିମ୍ ଏକକାଳୀନ ୫ଟି ସ୍ଥାନରେ ଚଢ଼ଉ କରିଛି। ତାଙ୍କ ବିରୋଧରେ ବଡ଼ ଧରଣର ସରକାରୀ ଅର୍ଥ ହେରଫେର ନେଇ ଅଭିଯୋଗ ରହିଛି। ସ୍କ୍ରାପ ମେଟେରିଆଲ ବୋଝେଇ ଏକ ଯାନ (ନଂ- ଓଡି-୦୪-ଏଲ-୨୨୩୩)କୁ ଟ୍ୟାକ୍ସ ଓ ଜରିମାନା ଆଦାୟ ନକରି ବେଆଇନ ଭାବେ ଛାଡ଼ିଦେବା ଦ୍ୱାରା ସରକାରଙ୍କର ୫,୮୫,୩୫୬ ଟଙ୍କା କ୍ଷତି ହୋଇଛି। ଭିଜିଲାନ୍ସ କଟକ ଡିଭିଜନ ପକ୍ଷରୁ ଏହାର ଯାଞ୍ଚ ଆରମ୍ଭ ହୋଇଛି। ଭିଜିଲାନ୍ସ ସୂଚନା ଅନୁସାରେ, ଶ୍ରୀ ତ୍ରିପାଠୀ ଗତ ମେ ମାସ ୭ ତାରିଖ ଅପରାହ୍ଣ ପ୍ରାୟ ୧ଟା ସମୟରେ ସ୍କ୍ରାପ୍ ବୋଝେଇ ହୋଇଯାଉଥିବା ଉପରୋକ୍ତ ଗାଡ଼ିଟିକୁ ଯାଜପୁର ରେଭେଣାଠାରେ ଧରିଥିଲେ। ଉକ୍ତ ଗାଡ଼ିରେ ଆନୁମାନିକ ୮,୮୯,୬୦୦ ଟଙ୍କା ମୂଲ୍ୟର ପ୍ରାୟ ୨୨,୨୪୦ କେଜି ସ୍କ୍ରାପ୍ ବୋଝେଇ ହୋଇଥିଲା। ଗାଡ଼ି ସହ ସ୍କ୍ରାପ୍‌କୁ ଜବତ କରାଯାଇଥିଲା ବେଳେ ତ୍ରିପାଠୀ ସ୍କ୍ରାପ୍ ସାମଗ୍ରୀଗୁଡ଼ିକର ମାଲିକଙ୍କ ସହ ଯୋଗାଯୋଗ କରିଥିଲେ।

ଏହି ସ୍କ୍ରାପ ପରିବହନ ନିମନ୍ତେ ୩,୨୦,୦୦୦ ଟଙ୍କାର ଟ୍ୟାକ୍ସ ଦାଖଲ କରିବାକୁ ତାଙ୍କୁ କହିଥିଲେ। ଅପରପକ୍ଷରେ ଗାଡ଼ି ଓ ସ୍କ୍ରାପ୍ ସାମଗ୍ରୀଗୁଡ଼ିକୁ ଛାଡ଼ି ଦେବା ପାଇଁ ବେଆଇନ ୨,୫୦,୦୦୦ ଟଙ୍କା ସେ ମାଲିକଙ୍କଠାରୁ ଲାଞ୍ଚ ଦାବି କରିଥିଲେ। ଲାଞ୍ଚ ଅର୍ଥ ନମିଳିବାରୁ ଜିଏସ୍‌ଟି ଆଇନ୍‌କୁ ଉଲ୍ଲଂଘନ କରି ଶ୍ରୀ ତ୍ରିପାଠୀ ଅନ୍ୟ ଜଣେ ସ୍କ୍ରାପ୍ ଡିଲରଙ୍କୁ ଜବତ ହୋଇଥିବା ସମସ୍ତ ସ୍କ୍ରାପ୍ ବିକି ଟ୍ୟାକ୍ସ ଭରଣା କରିଥିଲେ। ଏହାପରେ ବାକି ୫,୮୫,୩୫୬ ଟଙ୍କାକୁ ହେରଫେର କରିଦେଲେ। ଏହିପରି ଭାବରେ ଶ୍ରୀ ତ୍ରିପାଠୀ ଅନ୍ୟାନ୍ୟ ପରିବହନ ସଂସ୍ଥାଠାରୁ ଟ୍ୟାକ୍ସ ଛାଡ଼ କରିଦେବା ଆଳରେ ବହୁ ଲାଞ୍ଚ ଆଦାୟ କରୁଥିବା ଭିଜିଲାନ୍ସ ଜାଣିପାରିଛି। ଚଢ଼ଉବେଳେ ଭିଜିଲାନ୍ସ ଶ୍ରୀ ତ୍ରିପାଠୀଙ୍କ ଭୁବନେଶ୍ୱର ୟୁନିଟ-୨ସ୍ଥିତ ସରକାରୀ ବାସଭବନ, ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ପଦ୍ମପୁରସ୍ଥିତ ପୈତୃକ ବାସଭବନ ଓ ନିର୍ମାଣାଧିନ ଫାର୍ମ ହାଉସ୍‌, ଭୁବନେଶ୍ୱର ବରମୁଣ୍ଡା ଉତ୍ତର ମୁଣ୍ଡ ମୁହାଣସ୍ଥିତ କୃଷ୍ଣପ୍ରିୟା ଆପାର୍ଟମେଣ୍ଟର ଫ୍ଲାଟ ନଂ-୨୦୧, କେନ୍ଦ୍ରାପଡ଼ା ପାଟକୁରାର ଯଦୁପୁର ଗ୍ରାମରେ ଏକକାଳୀନ ଚଢ଼ଉ କରିଛି। ଭିଜିଲାନ୍ସ କଟକ ଡିଭିଜନର ୭ ଜଣ ଡିଏସ୍‌ପି, ୧୪ ଇନସ୍ପେକ୍ଟରଙ୍କ ସମେତ ୨୫ରୁ ଅଧିକ କର୍ମଚାରୀ ଚଢ଼ଉରେ ସାମିଲ ହୋଇଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking