25.1 C
Bhubaneswar
Thursday, December 26, 2024
Homeଓଡିଶାକାଲିଠାରୁ ବିଧାନସଭା: ସରଗରମ ରହିବ ଗୃହ, ଉଠିବ ଅନେକ ପ୍ରସଙ୍ଗ

କାଲିଠାରୁ ବିଧାନସଭା: ସରଗରମ ରହିବ ଗୃହ, ଉଠିବ ଅନେକ ପ୍ରସଙ୍ଗ

ଭୁବନେଶ୍ୱର : ଶୀତ ଅଧିବେଶନ ପାଇଁ ୩ ଦଳର ପ୍ରସ୍ତୁତି । ସରକାରଙ୍କୁ ଘେରିବାକୁ ପ୍ରସଙ୍ଗ ବାଛି ସାରିଲେଣି ବିରୋଧୀ । ଆମ୍ବଟାକୁଆ ମୃତ୍ୟୁ, ଧାନକିଣା ଅବ୍ୟବସ୍ଥା, ଆଇନଶୃଙ୍ଖଳା ପରିସ୍ଥିତି ବିଗିଡିବା, ଆଦାନୀ ଏବଂ ଗନ୍ଧମାର୍ଦ୍ଦନ ପ୍ରସଙ୍ଗ ଉଠାଇ ସରକାରକୁ ହରଡଘଣାରେ ପକାଇବାକୁ ଯୋଜନା କରିଛନ୍ତି ବିଜେଡି କଂଗ୍ରେସ । ଅନ୍ୟପଟେ ବିଧାୟକ ଦଳ ବୈଠକ ଡାକି ବିରୋଧୀଙ୍କୁ କାଉଣ୍ଟର କରିବାକୁ ଷ୍ଟ୍ରାଟେଜି ପ୍ରସ୍ତୁତ କରିଛି ଶାସକ ଦଳ ବିଜେପି । ସରକାରଙ୍କ ଉପଲବ୍ଧି ରଖି ବିଗତ ସରକାରଙ୍କ ୨୪ ବର୍ଷର କଳା ଚିଠା ଖୋଲିବାକୁ ସ୍ଥିର କରିଛି ବିଜେପି ।

ସରଗରମ ହେବ ଶୀତ ଅଧିବେଶନ .. ପ୍ରସଙ୍ଗ ବାଛି ପ୍ରସ୍ତୁତ ବିରୋଧୀ । କାଉଣ୍ଟର କରିବାକୁ ବିଜେପିର ଷ୍ଟ୍ରାଟେଜି । ଆସନ୍ତାକାଲିଠୁ ଆରମ୍ଭ ହେଉଛି ଶୀତ ଅଧିବେଶନ । ମୋହନ ସରକାରଙ୍କ ଏ ଦ୍ୱିତୀୟ ଅଧିବେଶନ ଆରମ୍ଭରୁ ସରକାରଙ୍କୁ ଘେରିବାକୁ ତୟାର ବିରୋଧୀ । ଶଙ୍ଖଭବନରେ ବିଧାୟକ ଦଳ ବୈଠକରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ସ୍ଥିର ହୋଇଛି ରଣନୀତି । ଆମ୍ବଟାକୁଆ ଖାଇ ମୃତ୍ୟୁ ଘଟଣା, ଆଇନଶୃଙ୍ଖଳା ପରିସ୍ଥିତି ବିଗିଡିବା, ଧାନକିଣାରେ ଅବ୍ୟବସ୍ଥା ପ୍ରସଙ୍ଗ ଉଠାଇ ସରକାରଙ୍କୁ ଘେରିବାକୁ ନିଷ୍ପତ୍ତି ନେଇଛି ବିଜେଡି ।

କଂଗ୍ରେସ ମଧ୍ୟ ବିଧାୟକ ଦଳ ବୈଠକ ଡାକି ଏକାଧିକ ପ୍ରସଙ୍ଗ ବାଛିଚି । ଆମ୍ବଟାକୁଆ ମୃତ୍ୟୁ, ଧାନକିଣା ଅବ୍ୟବସ୍ଥା, ସୁଭଦ୍ରାରେ ଯୋଗ୍ୟ ହିତାଧିକାରୀ ବାଦ୍, ଆଦାନୀ ଗନ୍ଧମାର୍ଦ୍ଦନ ପ୍ରସଙ୍ଗ, ସରକାରଙ୍କ ବେପରୁଆ ବାତ୍ୟା ପରିଚାଳନା ଅଭିଯୋଗ ଆଣି ଗୃହରେ ଏସବୁ ପ୍ରସଙ୍ଗ ଉଠାଇବାକୁ ପ୍ରସ୍ତୁତି କରିଛି । ଅନ୍ୟପଟେ ବିରୋଧୀଙ୍କ ପ୍ରସଙ୍ଗକୁ କାଉଣ୍ଟର କରିବାକୁ ସଜବାଜ କରିଛି ବିଜେପି । ଆଜି ବିଧାନସଭା ୫୪ ନମ୍ବର ହଲରେ ବସିଥିଲା ବିଧାୟକ ଦଳ ବୈଠକ । ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ, ସଙ୍ଗଠନ ମନ୍ତ୍ରୀ ମାନସ ମହାନ୍ତିଙ୍କ ଉପସ୍ଥିତିରେ ଚୂଡାନ୍ତ ହୋଇଥିଲା ରଣନୀତି । ଗୃହରେ ରାଜ୍ୟ ସରକାରଙ୍କ ୫ ମାସର ଉପଲବ୍ଧି, ନିର୍ବାଚନୀ ପ୍ରତିଶ୍ରୁତି ପୂରଣ ତାଲିକା ରଖିବାକୁ ସ୍ଥିର କରିଛି ବିଜେପି । ଏହା ସହ ବିଗତ ୨୪ ବର୍ଷ ଧରି ବିଜେଡି ସରକାର ସମୟରେ ହୋଇଥିବା ଦୁର୍ନୀତି ଓ କଳାକାରନାମାର ତାଲିକା ବି ଖୋଲି କାଉଣ୍ଟର କରିବାକୁ ଦଳ ଯୋଜନା କରିଛି ।

କାଲିଠାରୁ ଆରମ୍ଭ ହେବାକୁ ଥିବା ଅଧିବେଶନରେ ରହିଛି ୩୦ଟି କାର୍ଯ୍ୟଦିବସ । ପ୍ରଥମ ଦିନରେ ଅତିରିକ୍ତ ବଜେଟ ଆଣିବେ ମୁଖ୍ୟମନ୍ତ୍ରୀ । ପରେ ଏକାଧିକ ବିଲ୍ ମଧ୍ୟ ରହିଛି । ପୂର୍ବ ଅଧିବେଶନ ବେଶ୍ ସରଗରମ ରହିଥିଲା । ଏମିତି କି ରାଜ୍ୟପାଳଙ୍କ ପୁଅ ପ୍ରସଙ୍ଗରେ ୩ ଦିନ ସଂପୂର୍ଣ୍ଣ ଅଚଳ ହୋଇଥିଲା । ବାଚସ୍ପତିଙ୍କୁ ମଧ୍ୟ ଘେରିଥିଲା ବିଜେଡି । ମହିଳା ବାଚସ୍ପତିଙ୍କୁ ଦୁର୍ବ୍ୟବହାର ପାଇଁ ବିଜେଡିର ଦୁଇ ବିଧାୟକଙ୍କ ବିରୋଧରେ ନିନ୍ଦା ପ୍ରସ୍ତାବ ପାରିତ ହୋଇଥିଲା । କିନ୍ତୁ ଶୀତ ଅଧିବେଶନକୁ ସୁରୁଖୁରୁ କରିବା ପାଇଁ ଆଜି ସର୍ବଦଳୀୟ ବୈଠକ ଡାକି ସହଯୋଗ ଲୋଡ଼ିଥିଲେ ବାଚସ୍ପତି । ବିଜେପି ସରକାରଙ୍କ ଏ ଦ୍ୱିତୀୟ ଅଧିବେଶନ କେତେ ସୁରୁଖରୁରେ ଚାଲୁଛି ତାଉପରେ ନଜର ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking