27.1 C
Bhubaneswar
Monday, July 8, 2024
Homeଦେଶ ବିଦେଶଆଗକୁ ବିଧାନସଭା ନିର୍ବାଚନ: ସାମ୍ନାକୁ ଆସିଲା କଂଗ୍ରେସର ରଣନୀତି; ଦିଲ୍ଲୀ, ହରିଆଣା ଓ ପ.ବଙ୍ଗରେ ଏକାକୀ...

ଆଗକୁ ବିଧାନସଭା ନିର୍ବାଚନ: ସାମ୍ନାକୁ ଆସିଲା କଂଗ୍ରେସର ରଣନୀତି; ଦିଲ୍ଲୀ, ହରିଆଣା ଓ ପ.ବଙ୍ଗରେ ଏକାକୀ ଲଢ଼ିବ

ନୂଆଦିଲ୍ଲୀ: ଆଗାମୀ ଦିନରେ ଦିଲ୍ଲୀ, ହରିଆଣା ଓ ପଶ୍ଚିମବଙ୍ଗରେ ହେବାକୁ ଥିବା ବିଧାନସଭା ନିର୍ବାଚନରେ କଂଗ୍ରେସ ଏକାକୀ ଲଢ଼ିବାକୁ ନିଷ୍ପତ୍ତି ନେଇଛି । ଏସମ୍ପର୍କରେ ସୂଚନା ଦେଇଛନ୍ତି କଂଗ୍ରେସର ବରିଷ୍ଠ ନେତା ତଥା ଏଆଇସିସି (ଅଲ୍ ଇଣ୍ଡିଆ କଂଗ୍ରେସ କମିଟି) ସାଧାରଣ ସମ୍ପାଦକ ଜୟରାମ ରମେଶ । ଗୁରୁବାର ଜୟରାମ ରମେଶ ପିଟିଆଇକୁ ଦେଇଥିବା ଏକ ସାକ୍ଷାତକାର ଅବସରରେ ଏସମ୍ପର୍କରେ ସୂଚନା ଦେବାକୁ ଯାଇ କହିଛନ୍ତି ଯେ, ଦିଲ୍ଲୀ, ହରିଆଣା ଓ ପଶ୍ଚିମବଙ୍ଗରେ କଂଗ୍ରେସ ଏକାକୀ ନିର୍ବାଚନୀ ମୈଦାନକୁ ଓହ୍ଲାଇବ । ଏହି ୩ ରାଜ୍ୟରେ ହେବାକୁ ଥିବା ଆଗାମୀ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ପକ୍ଷରୁ ଏକାକୀ ଲଢ଼ିବାକୁ ନିଷ୍ପତ୍ତି ନିଆଯାଇଛି । ତେବେ ଇଣ୍ଡିଆ ବ୍ଲକ୍ ଅନ୍ତର୍ଗତ କଂଗ୍ରେସ ମହାରାଷ୍ଟ୍ର ଓ ଝାଡ଼ଖଣ୍ଡରେ ଏକାଠି ନିର୍ବାଚନ ଲଢ଼ିବ । ମେଣ୍ଟ ନିୟମ ଅନ୍ତର୍ଗତ କଂଗ୍ରେସ ଏହି ଦୁଇ ରାଜ୍ୟରେ ଆସନ ବୁଝାମଣା ଫର୍ମୁଲା ଆଧାରରେ ହିଁ ପ୍ରାର୍ଥୀ ଦେବ । ସେହିପରି ଆଉ ଯଦି କେଉଁ ରାଜ୍ୟରେ ଆବଶ୍ୟକ ହୁଏ, ତେବେ କଂଗ୍ରେସ ସେସବୁ ସ୍ଥାନରେ ମଧ୍ୟ ମେଣ୍ଟ କରି ନିର୍ବାଚନ ଲଢ଼ିବ ବୋଲି ଜୟରାମ କହିଛନ୍ତି । ଜୟରାମଙ୍କ କହିବାନୁସାରେ “ଯେଉଁ ରାଜ୍ୟରେ ଇଣ୍ଡିଆ ମେଣ୍ଟର ସଦସ୍ୟମାନେ ଚାହିଁବେ, ସେଠାରେ କଂଗ୍ରେସ ଏକାଠି ନିର୍ବାଚନ ଲଢ଼ିବାକୁ ପ୍ରସ୍ତୁତ । ତେବେ ରାଜ୍ୟସ୍ତରୀୟ କଂଗ୍ରେସ ନେତା ଓ ସହଯୋଗୀ ଦଳର ମତାମତ ନେବା ପରେ ହିଁ ଗଠବନ୍ଧନ ଉପରେ ଯାହା କିଛି ନିଷ୍ପତ୍ତି ନିଆଯିବ ବୋଲି ସେ କହିଛନ୍ତି ।
ପ୍ରକାଶ, ଦିଲ୍ଲୀ ଓ ପଞ୍ଜାବରେ ଆମ୍ ଆଦ୍‌ମୀ ପାର୍ଟି ଏବେ କ୍ଷମତାରେ ରହିଛି । କିନ୍ତୁ ୨୦୨୪ ଲୋକସଭା ନିର୍ବାଚନ ସମୟରେ ଦିଲ୍ଲୀରେ କଂଗ୍ରେସକୁ ଅଧିକ ଆସନ ଛାଡିବାକୁ ଆମ୍ ଆଦ୍‌ମୀ ପାର୍ଟି ଅମଙ୍ଗ ହୋଇଥିଲା । ସେହିପରି ପଞ୍ଜାବ ପାଇଁ ମଧ୍ୟ ଦୁଇ ଦଳ ମଧ୍ୟରେ ଆସନ ବୁଝାମଣା ହୋଇନପାରିବାରୁ ଉଭୟ ଦଳ ପୃଥକ୍ ଭାବେ ନିର୍ବାଚନ ଲଢ଼ିଥିଲେ । ହରିଆଣାରେ ମଧ୍ୟ କେତେକାଂଶରେ ଆସନ ବୁଝାମଣାକୁ ନେଇ ଦୁଇ ଦଳ ମଧ୍ୟରେ ସାମାନ୍ୟ ମତଭେଦ ଦେଖିବାକୁ ମିଳିଥିଲା । ଏହି ୩ ରାଜ୍ୟକୁ ବାଦ୍‌ଦେଲେ ପଶ୍ଚିମବଙ୍ଗରେ ମଧ୍ୟ ଶାସକ ଦଳ ତୃଣମୂଳ କଂଗ୍ରେସ (ଟିଏମ୍‌ସି) ସହ କଂଗ୍ରେସର ଆସନ ବୁଝାମଣାକୁ ନେଇ କୌଣସି ସହମତି ହୋଇପାରିନଥିଲା । ଫଳରେ ପଶ୍ଚିମବଙ୍ଗରେ ଉଭୟ ଟିଏମ୍‌ସି ଏବଂ କଂଗ୍ରେସ ପୃଥକ୍ ଭାବେ ଲୋକସଭା ନିର୍ବାଚନ ଲଢ଼ିଥିଲେ । କିନ୍ତୁ ଦେଶର ଅନ୍ୟ ପ୍ରାନ୍ତ ପାଇଁ ଟିଏମ୍‌ସି, ଇଣ୍ଡିଆ ମେଣ୍ଟର ଅଂଶୀଦାର ଦଳ ରହିଥିଲା । ଏସବୁ ଘଟଣାକ୍ରମକୁ ଦୃଷ୍ଟିରେ ରଖି ଆଗାମୀ ଦିନରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ହୁଏତ ଏସବୁ ରାଜ୍ୟରେ ଏକାକୀ ଲଢ଼ିବାକୁ ନିଷ୍ପତ୍ତି ନେଇଥାଇପାରେ ବୋଲି ଅନୁମାନ କରାଯାଉଛି । ଅନ୍ୟପକ୍ଷେ ଗତମାସରେ ଆମ୍ ଆଦ୍‌ମୀ ପାର୍ଟିର ଦିଲ୍ଳୀ ରାଜ୍ୟ ସଂଯୋଜକ ଗୋପାଳ ରାଏ ସୂଚନା ଦେଇ କହିଥିଲେ ଯେ, କଂଗ୍ରେସ ସହ ମେଣ୍ଟ କେବଳ ଲୋକସଭା ନିର୍ବାଚନ ପାଇଁ ଉଦ୍ଦିଷ୍ଟ ଥିଲା । ତାଙ୍କର ଏପ୍ରକାର ମନ୍ତବ୍ୟ ଆଗାମୀ ବର୍ଷ ହେବାକୁ ଥିବା ଦିଲ୍ଲୀ ବିଧାନସଭା ନିର୍ବାଚନରେ ଆମ୍ ଆଦ୍‌ମୀ ପାର୍ଟି ଏକାକୀ ଲଢ଼ିବା ଆଡକୁ ଇଙ୍ଗିତ କରୁଛି । ସୂଚନାଯୋଗ୍ୟ, ମହାରାଷ୍ଟ୍ରରେ ଏବେ ଶିବସେନା (ୟୁବିଟି), ଏନସିପି(ଶରଦ ପୱାର)ସହ କଂଗ୍ରେସର ମେଣ୍ଟ ମହାବିକାଶ ଅଗାଡ଼ି (ଏମ୍‌ଭିଏ) ମେଣ୍ଟ ରହିଛି । ଝାଡ଼ଖଣ୍ଡରେ ମଧ୍ୟ ଝାଡଖଣ୍ଡ ମୁକ୍ତିମୋର୍ଚ୍ଚା ସହ କଂଗ୍ରେସର ମେଣ୍ଟ ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking