ଅସ୍ତାନା: ଭାରତୀୟ ପୁରୁଷ ଟେବଲ୍ ଟେନିସ୍ ଟିମ୍ କଜାଖ୍ସ୍ତାନର ଅସ୍ତାନାରେ ଚାଲିଥିବା ଏସିଆନ୍ ଚାମ୍ପିଅନ୍ଶିପ୍ରେ ଲଗାତାର ତୃତୀୟ ଥର ପାଇଁ ବ୍ରୋଞ୍ଜ୍ ପଦକ ଜିତିଛି। ଗୁରୁବାର ଅନୁଷ୍ଠିତ ସେମିଫାଇନାଲ୍ ମ୍ୟାଚ୍ରେ ଭାରତୀୟ ଟିମ୍ ୦-୩ରେ ତାଇପେଇଠାରୁ ପରାଜିତ ହୋଇଛି। ଏହା ପୂର୍ବରୁ ଭାରତ ୨୦୨୧ ଏବଂ ୨୦୨୩ରେ ମଧ୍ୟ ବ୍ରୋଞ୍ଜ୍ ପଦକ ଜିତିଥିଲା। ଆଜି ଅନୁଷ୍ଠିତ ପ୍ରଥମ ସିଙ୍ଗଲ୍ସରେ ଭାରତର ବରିଷ୍ଠ ପ୍ୟାଡ୍ଲର୍ ଶରତ କମଳ ୦-୩ (୭-୧୧, ୧୦-୧୨, ୯-୧୧)ରେ ଲିନ୍ ୟୁନ୍-ଜୁ’ଙ୍କଠାରୁ ପରାଜିତ ହୋଇଥିଲେ। ଦ୍ୱିତୀୟ ସିଙ୍ଗଲ୍ସରେ ମାନବ ଠକ୍କର୍ ସଂଘର୍ଷ କରିଥିଲେ ମଧ୍ୟ କାଓ ଜେଙ୍ଗ୍-ଜୁଇ ତାଙ୍କୁ ୩-୧ (୯-୧୧, ୧୧-୮, ୩-୧୧, ୧୧-୧୩)ରେ ମାତ୍ ଦେଇଥିଲେ। ହରମିତ୍ ଦେସାଇ ମଧ୍ୟ ଗୋଟିଏ ଗେମ୍ ହାତେଇ ନପାରି ତୃତୀୟ ସିଙ୍ଗଲ୍ସରେ ହୁଆଙ୍ଗ ୟାନ୍-ଚେଙ୍ଗ୍ଙ୍କଠାରୁ ୦-୩ (୬-୧୧, ୯-୧୧, ୭-୧୧)ରେ ପରାଜିତ ହୋଇଥିଲେ। ଭାରତୀୟ ଟିମ୍ କ୍ୱାର୍ଟର୍ ଫାଇନାଲ୍ରେ କଜାଖ୍ସ୍ତାନକୁ ୩-୧ରେ ହରାଇ ପଦକ ପକ୍କା କରିଥିଲା। ପୂର୍ବରୁ ବୁଧବାର ଭାରତୀୟ ମହିଳା ଟିମ୍ ଟୁର୍ଣ୍ଣାମେଣ୍ଟ୍ ଇତିହାସରେ ପ୍ରଥମ ଥର ପାଇଁ ବ୍ରୋଞ୍ଜ୍ ପଦକ ଜିତିଥିଲା।










