ଶାରଜା : ଚଳିତ ଏସିଆ କପ୍ର ପାକିସ୍ତାନ ଆଫଗାନିସ୍ତାନକୁ ୧ ୱିକେଟ୍ରେ ପରାସ୍ତ କରିଛି । ଏହି ରୋମାଞ୍ଚକର ମ୍ୟାଚ୍ରେ ପ୍ରଥମେ ବ୍ୟାଟିଂ ପାଇ ଆଫଗାନିସ୍ତାନ ୬ ୱିକେଟ୍ ବିନିମୟରେ ୧୨୯ ରନ୍ କରିଥିଲା । ଦଳ ପକ୍ଷରୁ ଇବ୍ରାହିମ୍ ଜାଡରାନ୍ ୨ଟି ଚୌକା ଓ ଗୋଟିଏ ଛକା ସହ ସର୍ବାଧିକ ୩୫ ରନ୍ କରିଥିଲେ । ଏହାଛଡ଼ା ଓପନର ହଜରତଉଲ୍ଲା ଜାଜାଇ ୪ଟି ଚୌକା ସହ ୨୧, ରଶିଦ୍ ଖାନ୍ ୧୫ଟି ବଲ୍ରେ ୨ଟି ଚୌକା ଓ ଗୋଟିଏ ଛକା ସହ ଅପରାଜିତ ୧୮, ଅନ୍ୟତମ ଓପନର ରହମନ୍ଉଲ୍ଲା ଗୁରବାଜ୍ ୨ଟି ଛକା ସହ ୧୭, କରିମ୍ ଜନତ୍ ଗୋଟିଏ ଚୌକା ସହ ୧୫, ଅଜମତଉଲ୍ଲା ଓମରଜାଇ ଗୋଟିଏ ଚୌକା ସହ ଅପରାଜିତ ୧୦ ଏବଂ ନଜିବୁଲ୍ଲା ଜାଡରାନ୍ ଗୋଟିଏ ଛକା ସହ ୧୦ ରନ୍ କରିଥିଲେ । ପାକିସ୍ତାନ ପକ୍ଷରୁ ହ୍ୟାରିସ୍ ରୌଫ ୨ଟି ଏବଂ ନସୀମ୍ ଶାହ, ମହମ୍ମଦ ହସନୈନ୍, ମହମ୍ମଦ ନୱାଜ୍ ଓ ଶାଦାବ୍ ଖାନ୍ ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ ।
ଦଳ ବ୍ୟାଟିଂରେ କ୍ରମାଗତ ବ୍ୟବଧାନରେ ୱିକେଟ୍ ହରାଇବା ଫଳରେ ବିଜୟ ଲକ୍ଷ୍ୟରେ ପହଞ୍ଚିବାକୁ ଅନ୍ତିମ ଓଭର୍ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିଥିଲା । ଏପରିକି ଅଷ୍ଟାଦଶ ଓଭର୍ରେ ପାକିସ୍ତାନ ୨ ଜଣ ବ୍ୟାଟ୍ସମ୍ୟାନ୍ଙ୍କୁ ହରାଇଥିଲା । ତେବେ ଅନ୍ତିମ ଓଭର୍ର ପ୍ରଥମ ଦୁଇଟି ବଲ୍ରେ ୨ଟି ଛକା ଲଗାଇ ପାକିସ୍ତାନ ସ୍କୋର୍କୁ ୧୩୧/୯ରେ ପହଞ୍ଚାଇଥିଲେ ନସୀମ୍ । ସେ ମାତ୍ର ୪ଟି ବଲ୍ରେ ୨ଟି ଛକା ସହ ଅପରାଜିତ ୧୪ ରନ୍ କରିଥିଲେ । ତାଙ୍କ ପୂର୍ବରୁ ଶାଦାବ୍ ଖାନ୍ ଗୋଟିଏ ଚୌକା ଓ ୩ଟି ଛକା ସହ ୩୬, ଇଫ୍ତିକାର ଅହମ୍ମଦ ୨ଟି ଚୌକା ସହ ୩୦, ଓପନର ମହମ୍ମଦ ରିଜୱାନ୍ ଗୋଟିଏ ଲେଖାଏଁ ଚୌକା ଓ ଛକା ସହ ୨୦ ଏବଂ ଆସିଫ୍ ଅଲୀ ୨ଟି ଛକା ସହ ୧୬ ରନ୍ କରିଥିଲେ । ଆଫଗାନିସ୍ତାନ ପକ୍ଷରୁ ଫଜଲହକ୍ ଫାରୁକୀ ଓ ଫରିଦ୍ ଅହମ୍ମଦ ମଲିକ ୩ଟି ଲେଖାଏଁ ଏବଂ ରଶିଦ୍ ୨ଟି ୱିକେଟ୍ ନେଇଥିଲେ । ଗୁରୁବାର ଦୁବାଇ ଇଣ୍ଟରନ୍ୟାସନାଲ୍ ଷ୍ଟାଡିୟମ୍ଠାରେ ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ମ୍ୟାଚ୍ ଖେଳାଯିବ ।