କୋଲକାତା: କୋଲକାତା ଆରଜି କର ହସ୍ପିଟାଲ ଏବଂ ମେଡିକାଲ କଲେଜର ପୂର୍ବତନ ଅଧ୍ୟକ୍ଷ ସନ୍ଦୀପ ଘୋଷଙ୍କ ସମ୍ପର୍କରେ ଆଜି ଆଉ ଏକ ଚାଞ୍ଚଲ୍ୟକର ସୂଚନା ସାମ୍ନାକୁ ଆସିଛି । ଟ୍ରେନି ଡାକ୍ତରାଣୀଙ୍କୁ ଦୁଷ୍କର୍ମ ଓ ହତ୍ୟା କରାଯିବାର ଠିକ୍ ଦିନକ ପରେ ସନ୍ଦୀପ ଘୋଷ ପୂର୍ତ୍ତ ବିଭାଗକୁ ଚିଠି ଲେଖି ହସ୍ପିଟାଲର ମରାମତି, ନବୀକରଣ ଏବଂ ପୁନଃନିର୍ମାଣ କରିବାକୁ କହିଥିଲେ । ସେ ନିଜ ଚିଠିରେ ଲେଖିଥିଲେ ଯେ, ହସ୍ପିଟାଲ ବିଲ୍ଡିଂଗୁଡ଼ିକର ମରାମତି, ନବୀକରଣ ଏବଂ ପୁନଃନିର୍ମାଣ ସାଙ୍ଗକୁ ସମସ୍ତ ବିଭାଗର ଡାକ୍ତରଙ୍କ ପକୋଷ୍ଠଗୁଡ଼ିକର ମରାମତି ତଥା ରଙ୍ଗ ଲଗାଯିବା କାର୍ଯ୍ୟର ଆବଶ୍ୟକତା ରହିଛି । ସେହିପରି ହସ୍ପିଟାଲରେ କାର୍ଯ୍ୟରତ ରେସିଡେନ୍ସିଆଲ ଡାକ୍ତରଙ୍କ ବ୍ୟକ୍ତିଗତ ଶୌଚାଳୟର ମଧ୍ୟ ଆବଶ୍ୟକତା ରହିଥିବା ସେ ଚିଠିରେ ଉଲ୍ଲେଖ କରିଥିଲେ । ସେ ରେସିଡେଣ୍ଟ ଡାକ୍ତରଙ୍କ ଚାହିଦା ଅନୁଯାୟୀ ତୁରନ୍ତ ଆବଶ୍ୟକ କାର୍ଯ୍ୟ କରିବାକୁ ପୂର୍ତ୍ତ ବିଭାଗକୁ ଅନୁରୋଧ କରିଥିଲେ।
ସନ୍ଦୀପ ଘୋଷଙ୍କ ବିରୋଧରେ ଏକାଧିକ ବେଆଇନ୍ ଅର୍ଥନୈତିକ କାରବାର ସମ୍ପର୍କରେ ଜଣାପଡିବା ପରେ ସିବିଆଇର ଅର୍ଥନୈତିକ ଅପରାଧ ଶାଖା ତାଙ୍କୁ ଗିରଫ କରିଛି । ଏବେ ସେ ସିବିଆଇ ହେପାଜତ୍ରେ ଅଛନ୍ତି ଏବଂ ଜେରାର ସମ୍ମୁଖୀନ ହେଉଛନ୍ତି । ତାଙ୍କ ବିରୋଧରେ ଅର୍ଥନୈତିକ ଅପରାଧିକଜନିତ ମାମଲାର ତଦନ୍ତ ଜାରି ରହିଛି । ଏପରି ସମୟରେ ତାଙ୍କ ବିରୋଧରେ ଏପ୍ରକାର ଏକ ସଂଗୀନ ଅଭିଯୋଗ ସାମ୍ନାକୁ ଆସିଛି । ତେବେ ସେ ଅପରାଧ ଘଟିବାର ଦିନକ ପରେ ଏପ୍ରକାର ହସ୍ପିଟାଲ ବିଲ୍ଡିଂଗୁଡ଼ିକର ରିନୋଭେସନ୍ (ନବୀକରଣ) କାର୍ଯ୍ୟ ପାଇଁ ପୂର୍ତ୍ତ ବିଭାଗକୁ କାହିଁକି ଚିଠି ଲେଖିଲେ ସେନେଇ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ସିବିଆଇ ଏବେ ଏଦିଗରେ ତଦନ୍ତ ଆରମ୍ଭ କରିଛି ।
ପ୍ରକାଶ, ଟ୍ରେନି ଡାକ୍ତରାଣୀଙ୍କୁ ଦୁଷ୍କର୍ମ ଓ ହତ୍ୟା ସମ୍ପର୍କରେ ଜଣାପଡ଼ିବା ପରେ ଯେତେବେଳେ ଦେଶବ୍ୟାପୀ ଆଲୋଡନ ସୃଷ୍ଟି ହେଲା ଏବଂ କଲେଜର ଛାତ୍ରଛାତ୍ରୀଙ୍କ ଠାରୁ ଅଖିଳ ଭାରତୀୟ ଡାକ୍ତର ସଂଘ ଧାରଣା ବିକ୍ଷୋଭ ପ୍ରଦର୍ଶନ କରିବା ଆରମ୍ଭ କଲେ ସେତେବେଳେ ସନ୍ଦୀପ ଘୋଷ ପ୍ରିନ୍ସିପାଲ ପଦରୁ ଇସ୍ତଫା ଦେଇଥିଲେ । ଏହାପରେ ପଶ୍ଚିମବଙ୍ଗ ସରକାର ତାଙ୍କୁ କଲିକତା ନ୍ୟାସନାଲ ମେଡିକାଲ କଲେଜ ଓ ହସ୍ପିଟାଲର ପ୍ରିନ୍ସିପାଲ ଭାବେ ନିଯୁକ୍ତି ଦେଇଥିଲେ । ଏହାକୁ ମଧ୍ୟ ଡାକ୍ତରୀ ଛାତ୍ରଛାତ୍ରୀଙ୍କ ତୀବ୍ର ବିରୋଧ ଏବଂ କଲିକତା ହାଇକୋର୍ଟଙ୍କ ହସ୍ତକ୍ଷେପ ପରେ ସନ୍ଦୀପ ଘୋଷଙ୍କୁ କାର୍ଯ୍ୟାନ୍ତର କରାଯାଇଥିଲା । ଏହାପରେ ସନ୍ଦୀପ ଘୋଷଙ୍କ ବିରୁଦ୍ଧରେ ଗୋଟିଏ ପରେ ଗୋଟିଏ ସଙ୍ଗୀନ ଅଭିଯୋଗ ଆସିଥିଲା । ଆର୍ôଥକ ହେରଫେର ଅଭିଯୋଗରେ ସିବିଆଇ ତାଙ୍କୁ ଗିରଫ କରିଛି । ବର୍ତ୍ତମାନ ସେ ସିବିଆଇ ରିମାଣ୍ଡରେ ଅଛନ୍ତି । ଏସବୁ ମଧ୍ୟରେ ଶାସକ ଦଳ ତୃଣମୂଳକ କଂଗ୍ରେସ (ଟିଏମ୍ସି) ପକ୍ଷରୁ ତାଙ୍କୁ ଡାକ୍ତରୀ ପେଶାରୁ ନିଲମ୍ବିତ କରାଯାଇଛି । ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏହି ନିଲମ୍ବନ ଆଦେଶ ଜାରି କରାଯାଇଥିବା ନେଇ ସ୍ପଷ୍ଟ ସୂଚନା ମିଳିଛି ।










