21.1 C
Bhubaneswar
Tuesday, January 20, 2026
Homeଅପରାଧକୋଲକାତାରେ ଆଉ ଏକ ବଡ଼ ଅଘଟଣ; ଟ୍ୟୁସନ୍‌ରୁ ଫେରୁଥିବା ନାବାଳିକାକୁ ଦୁଷ୍କର୍ମ ଓ ହତ୍ୟା

କୋଲକାତାରେ ଆଉ ଏକ ବଡ଼ ଅଘଟଣ; ଟ୍ୟୁସନ୍‌ରୁ ଫେରୁଥିବା ନାବାଳିକାକୁ ଦୁଷ୍କର୍ମ ଓ ହତ୍ୟା

କୋଲକାତା: କୋଲକାତା ଆରଜି କର ମେଡିକାଲ କଲେଜ ଓ ହସ୍ପିଟାଲ ଘଟଣାକୁ ନେଇ ଅସନ୍ତୋଷ ଥମି ନଥିବାବେଳେ ପଶ୍ଚିମବଙ୍ଗରେ ଆଉ ଏକ ହତ୍ୟାକାଣ୍ଡ ଘଟିଛି। ଟ୍ୟୁସନରୁ ଫେରୁଥିବା ଜଣେ ଚତୁର୍ଥ ଶ୍ରେଣୀର ଛାତ୍ରୀଙ୍କୁ କିଛି ଦୁର୍ବୃତ୍ତ ଉଠାଇ ନେଇ ଦୁଷ୍କର୍ମ କରିବା ପରେ ହତ୍ୟା କରିଥିବା ଏବଂ ଗଙ୍ଗା ନଦୀ କୂଳରେ ମୃତଦେହ ଫିଙ୍ଗିଦେଇଥିବା ଭଳି ସଂଗୀନ ଅଭିଯୋଗ ସାମ୍ନାକୁ ଆସିଛି। ଦକ୍ଷିଣ ୨୪ ପ୍ରଗଣା ମହିଷାମାରି ଅଞ୍ଚଳରେ ଏହି ମର୍ମସ୍ପର୍ଶୀ ହତ୍ୟାକାଣ୍ଡ ଘଟିଛି। ରିପୋର୍ଟ ଅନୁସାରେ ଶୁକ୍ରବାର ସନ୍ଧ୍ୟାରୁ ନିଖୋଜ ଥିବା ଜଣେ ୧୧ ବର୍ଷୀୟା ନାବାଳିକାଙ୍କ ମୃତଦେହକୁ ଗଙ୍ଗାନଦୀ କୂଳରୁ ଉଦ୍ଧାର କରାଯାଇଛି। ନାବାଳିକାଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ଏବଂ ମୃତଦେହକୁ ଏଠାରେ ଫିଙ୍ଗି ଦିଆଯାଇଥିବା ଅନୁମାନ କରାଯାଉଛି। ଗ୍ରାମବାସୀମାନେ ପୀଡ଼ିତା ନାବାଳିକାଙ୍କ ମୃତଦେହ ମିଳିବା ପରେ ଜୋରଦାର ବିକ୍ଷୋଭ ପ୍ରଦର୍ଶନ କରିବା ସହ ସ୍ଥାନୀୟ ମହିଷାମାରୀ ପୁଲିସ୍ ଷ୍ଟେସନ୍‌ରେ ବ୍ୟାପକ ଭଙ୍ଗାରୁଜା ତଥା ପୋଡାଜଳା କରିଥିବା ସୂଚନା ମିଳିଛି। କିଛି ପୁଲିସ କର୍ମୀଙ୍କୁ ଗ୍ରାମବାସୀମାନେ ନିସ୍ତୁକ ମାଡ଼ ମଧ୍ୟ ମାରିଛନ୍ତି। ଏପରିକି ଏଠାରେ ମୁତୟନ ପୁଲିସ୍ କର୍ମୀମାନେ ଭୟରେ ଷ୍ଟେସନ୍ ଛାଡି ପଳାୟନ କରିଥିବା ମଧ୍ୟ ଜଣାପଡିଛି।
ପୀଡ଼ିତା ନାବାଳିକାଙ୍କ ଅଭିଭାବକଙ୍କ ପକ୍ଷରୁ ଦିଆଯାଇଥିବା ପ୍ରତିକ୍ର୍ରିୟା ଅନୁସାରେ ତାଙ୍କ ଝିଅ ଟ୍ୟୁସନ କ୍ଲାସରୁ ଘରକୁ ଫେରିବା ସମୟରେ ନିଖୋଜ ହୋଇଯାଇଥିଲେ। ଫଳରେ ସେମାନେ ଚିନ୍ତାରେ ପଡ଼ିଯାଇଥିଲେ ଏବଂ ଅବିଳମ୍ବେ ସ୍ଥାନୀୟ ପୁଲିସ ଷ୍ଟେସନ ନିକଟରେ ଅଭିଯୋଗ କରିଥିଲେ। କିନ୍ତୁ ପୁଲିସ୍ ପକ୍ଷରୁ ସେମାନଙ୍କୁ ସହାୟତା ଯୋଗାଇଦିଆଯିବା ପରିବର୍ତ୍ତେ ସେମାନଙ୍କୁ ହଇରାଣ କରାଯାଇଥିଲା। ଅନ୍ୟପକ୍ଷେ ଗ୍ରାମବାସୀମାନେ ମିଳିତ ଭାବେ ଶୁକ୍ରବାର ରାତିରୁ ହିଁ ନାବାଳିକାକୁ ଖୋଜିବା ଆରମ୍ଭ କରିଦେଇଥିଲେ। ତେବେ ଆଜି ସକାଳେ ନାବାଳିକାର ମୃତଦେହ କୃପାଖଲି ଗ୍ରାମର ଗଙ୍ଗା ନଦୀ କୂଳରୁ ଉଦ୍ଧାର କରାଯିବା ପରେ ସ୍ଥାନୀୟ ବାସିନ୍ଦା ବହୁ ସଂଖ୍ୟାରେ ଏକତ୍ରିତ ହୋଇ ତୀବ୍ର ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ସେମାନେ ଠିକ ସମୟରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାରେ ପୁଲିସ ବିଫଳ ହୋଇଛି ବୋଲି ଅଭିଯୋଗ ଆଣିଛନ୍ତି। ଏହି ଘଟଣାକୁ ନେଇ ସ୍ଥାନୀୟ ଲୋକେ ଏତେମାତ୍ରାରେ ଅସନ୍ତୋଷ ହୋଇପଡିଥିଲେ ଯେ, ସମସ୍ତେ ମିଳିମିଶି ପୁଲିସ୍ ଷ୍ଟେସନ୍ ଉପରେ ଆକ୍ରମଣ କରିଦେଇଥିଲେ। ପୁଲିସ୍ ଷ୍ଟେସନ୍‌ରେ ଭଙ୍ଗାରୁଜା ତଥା ପୋଡାଜଳାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ୍ ହେଉଛି। ସେହିପରି ଆଉ ଏକ ଭିଡିଓରେ ଗ୍ରାମବାସୀ, ଅଧିକାଂଶ ମହିଳା ରାସ୍ତାରେ ବିକ୍ଷୋଭ ପ୍ରଦର୍ଶନ କରି ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ଘଟଣାର ସିବିଆଇ ତଦନ୍ତ ଏବଂ ଅଭିଯୁକ୍ତକୁ ଫାଶୀ ଦଣ୍ଡ ନଦିଆଯିବା ପର୍ଯ୍ୟନ୍ତ ସେମାନେ ବିକ୍ଷୋଭ ଜାରି ରଖିବେ ବୋଲି ଗ୍ରାମବାସୀ କହିଛନ୍ତି।
ଏସବୁ ମଧ୍ୟରେ ପୁଲିସ୍ ନାବାଳିକାଙ୍କ ମୃତଦେହକୁ ପୋଷ୍ଟମର୍ଟମ ପାଇଁ ପଠାଇଛି। ପୋଷ୍ଟମର୍ଟମ ରିପୋର୍ଟ ଆସିବା ପରେ ବାସ୍ତବିକ ଘଟଣା ଜଣାପଡିବ ବୋଲି ପୁଲିସ୍ କହିଛି। ଅନ୍ୟପକ୍ଷେ ନାବାଳିକାଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ଅଭିଯୋଗ ଆଣି ବିରୋଧୀ ବିଜେପି ଶାସକ ଦଳ ତୃଣମୂଳ କଂଗ୍ରେସ (ଟିଏମ୍‌ସି) ତଥା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଉପରେ ବର୍ଷିଛି। ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ହୋଇଯାଇଛି, ସରକାର ଏହାକୁ ନିୟନ୍ତ୍ରଣ କରିବାରେ ବିଫଳ ହୋଇଥିବା ବିଜେପି ଅଭିଯୋଗ କରିଛି। ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking