ଢାକା: ବାଂଲାଦେଶରେ ସଂଖ୍ୟାଲଘୁ ହିନ୍ଦୁଙ୍କ ଉପରେ ଆକ୍ରମଣ ଜାରି ରହିଥିବା ବେଳେ ରବିବାର ଫେନିର ଦାଗୋନଭୂଇଁଆନ୍ରେ ଆଉ ଜଣେ ବ୍ୟକ୍ତିଙ୍କୁ ହତ୍ୟା କରାଯାଇଛି। ରବିବାର ବିଳମ୍ବିତ ସନ୍ଧ୍ୟାରେ ଦୁର୍ବୃତ୍ତମାନେ ୨୮ ବର୍ଷୀୟ ସମୀର କୁମାର ଦାସଙ୍କୁ ହତ୍ୟା କରିଛନ୍ତି। ହତ୍ୟା କରିବା ପରେ ଦୁର୍ବୃତ୍ତମାନେ ତାଙ୍କ ସିଏନଜି ଅଟୋରିକ୍ସାକୁ ମଧ୍ୟ ନେଇ ପଳାଇ ଯାଇଛନ୍ତି। ତେବେ ବାଂଲାଦେଶ ପୁଲିସ୍ ଏହି ମାମଲାରେ ତଦନ୍ତ ଆରମ୍ଭ କରିଥିବା ବେଳେ ୪୮ ଘଣ୍ଟା ବିତିଯାଇଥିଲେ ମଧ୍ୟ ଅଭିଯୁକ୍ତମାନଙ୍କୁ ଏପର୍ଯ୍ୟନ୍ତ ଗିରଫ କରିପାରିନାହିଁ। ରବିବାର ରାତିରେ ସମୀର ଘରକୁ ନ ଫେରିବା ପରେ ତାଙ୍କ ପରିବାର ଲୋକେ ତାଙ୍କୁ ଖୋଜାଖୋଜି ଆରମ୍ଭ କରିଥିଲେ। କିନ୍ତୁ ସମୀରଙ୍କ କୌଣସି ସୂଚନା ନମିଳିବାରୁ ପରିବାର ଲୋକେ ପୁଲିସକୁ ଖବର ଦେଇଥିଲେ। ଅନ୍ୟପକ୍ଷେ ରାତି ପ୍ରାୟ ୨ଟା ସମୟରେ କିଛି ସ୍ଥାନୀୟ ଲୋକ ଦକ୍ଷିଣ କରିମପୁରର ମୁହୁରି ବାରି ନିକଟରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ତାଙ୍କର ମୃତଦେହ ପଡିଥିବା ଦେଖିବାକୁ ପାଇଥିଲେ। ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରି ପୋଷ୍ଟମର୍ଟମ ପାଇଁ ପଠାଇଥିଲା। ପ୍ରକାଶ, ଗତ ୨୫ ଦିନରେ ବାଂଲାଦେଶରେ ୮ଜଣ ହିନ୍ଦୁଙ୍କୁ ହତ୍ୟା କରାଯାଇଛି। ଡିସେମ୍ବର ୧୨, ୨୦୨୫ରେ, ଇନକିଲାବ ମଞ୍ଚ ନେତା ସରିଫ ଉସମାନ ହାଦିଙ୍କୁ ଢାକାରେ ଗୁଳି କରି ହତ୍ୟା କରାଯାଇଥିଲା। ଏହି ଘଟଣା ପରେ ବାଂଲାଦେଶରେ ସଂଖ୍ୟାଲଘୁଙ୍କ ଉପରେ ଆକ୍ରମଣ ବୃଦ୍ଧି ପାଇଛି।










