31.1 C
Bhubaneswar
Friday, February 13, 2026
Homeଦେଶ ବିଦେଶଝାଡଖଣ୍ଡରେ ଗର୍ଜିଲେ ଅମିତ୍ ଶାହ; କ୍ଷମତାକୁ ଆସିଲେ ୧ ଟଙ୍କାରେ ହେବ ଜମି ରେଜିଷ୍ଟ୍ରି, ଲୁଟିଥିବା...

ଝାଡଖଣ୍ଡରେ ଗର୍ଜିଲେ ଅମିତ୍ ଶାହ; କ୍ଷମତାକୁ ଆସିଲେ ୧ ଟଙ୍କାରେ ହେବ ଜମି ରେଜିଷ୍ଟ୍ରି, ଲୁଟିଥିବା ଏକ ପଇସା ବି ଆଦାୟ କରାଯିବ

ରାଞ୍ଚି : ଆଜି ଝାଡଖଣ୍ଡର ୪୩ ବିଧାନସଭା ଆସନ ପାଇଁ ପ୍ରଥମ ପର୍ଯ୍ୟାୟ ମତଦାନ ପ୍ରକ୍ରିୟା ଅନୁଷ୍ଠିତ ହେବ। ସୋମବାର ସନ୍ଧ୍ୟା ସୁଦ୍ଧା ଏସବୁ ଅଞ୍ଚଳରେ ନିର୍ବାଚନୀ ରାଲି ପ୍ରକ୍ରିୟା ଶେଷ ହୋଇଛି। ତେବେ ୨୦ ତାରିଖରେ ହେବାକୁ ଥିବା ଦ୍ୱିତୀୟ ପର୍ଯ୍ୟାୟ ଭୋଟ୍ (୩୮ ବିଧାନସଭା ଆସନ) ପାଇଁ ନିର୍ବାଚନୀ ପ୍ରଚାର ପ୍ରକ୍ରିୟା ଅବ୍ୟାହତ ରହିଛି। ଏହିକ୍ରମେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ୍ ଶାହ, ଝାଡଖଣ୍ଡର ଝରିଆ ଠାରେ ଆୟୋଜିତ ଏକ ରାଲିକୁ ସମ୍ବୋଧିତ କରିବାକୁ ଯାଇ ଏକ ବଡ଼ ଘୋଷଣା କରିଛନ୍ତି। ଶାହ କହିଛନ୍ତି ଯେ, ଯଦି ରାଜ୍ୟରେ ବିଜେପି ସରକାର ଗଠନ ହୁଏ ତେବେ ମହିଳାଙ୍କୁ ଏକ ଟଙ୍କାରେ ଜମି ରେଜିଷ୍ଟ୍ରିର ସୁବିଧା ଦିଆଯିବ। ନିର୍ବାଚନ ପୂର୍ବରୁ ବିଜେପିର ଏହି ଘୋଷଣା ମହିଳା ଭୋଟରଙ୍କୁ ଆକର୍ଷିତ କରିବ ବୋଲି ଅନୁମାନ କରାଯାଉଛି। ପ୍ରକାଶ, ଏଥର ମହିଳାମାନେ ଝାଡଖଣ୍ଡରେ ନିର୍ବାଚନ ପ୍ରଚାରର କେନ୍ଦ୍ରରେ ଅଛନ୍ତି। ଏହି କାରଣରୁ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ସରକାର ‘ମୈୟା ସମ୍ମାନ ଯୋଜନା’ ମାଧ୍ୟମରେ ମହିଳାଙ୍କୁ ଆକର୍ଷିତ କରିବାକୁ ଚେଷ୍ଟା ଚଳାଇଥିବା ବେଳେ ବିଜେପି ‘ଗୋଗୋ ଦିଦି’ ଯୋଜନା ଏବଂ ୧ ଟଙ୍କାରେ ଜମି ରେଜିଷ୍ଟ୍ରିର ସୁବିଧା ପ୍ରଦାନ କରି ମହିଳା ଭୋଟରଙ୍କୁ ଆକର୍ଷିତ କରିବାକୁ ଚାହୁଁଛି।
ମଙ୍ଗଳବାର ଶାହ ନିର୍ବାଚନୀ ରାଲିକୁ ସମ୍ବୋଧିତ କରିବା ବେଳେ କଂଗ୍ରେସକୁ ଟାର୍ଗେଟ କରି କହିଛନ୍ତି, ନିର୍ବାଚନ ପୂର୍ବରୁ କଂଗ୍ରେସ ନେତାମାନେ “ଖଟାଖଟ’ ବିଷୟରେ କଥାବାର୍ତ୍ତା କରନ୍ତି, କିନ୍ତୁ ନିର୍ବାଚନ ପରେ ସବୁକିଛି ଭୁଲିଯାଆନ୍ତି। ସେ କହିଛନ୍ତି ବିଜେପି ଯାହା ପ୍ରତିଶ୍ରୁତି ଦେଉଛି ତାହା ପ୍ରଦାନ କରୁଛି ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଗ୍ୟାରେଣ୍ଟି ପଥରର ଗାର। ମାତ୍ର ୧୭ ମିନିଟର ସମ୍ବୋଧନରେ ଶାହ ହେମନ୍ତ ସୋରେନଙ୍କ ଅପେକ୍ଷା କଂଗ୍ରେସକୁ ଅଧିକ ଟାର୍ଗେଟ କରିବା ଦେଖିବାକୁ ମିଳିଛି। ଶାହ ଧାରା ୩୭୦, ରାମମନ୍ଦିର ଏବଂ ଦୁର୍ନୀତି ପ୍ରସଙ୍ଗରେ କଂଗ୍ରେସକୁ କଡ଼ା ସମାଲୋଚନା କରିଥିଲେ। ସେ ରାଲିରେ “ଜୟ ଶ୍ରୀରାମ’ ସ୍ଲୋଗାନ ମଧ୍ୟ ଦେଇଥିଲେ। ସେହିପରି ଶାହ ଜେଏମ୍‌ଏମ୍ ନାମ ନେଇଥିଲେ, କିନ୍ତୁ ହେମନ୍ତ ସୋରେନଙ୍କ ବିଷୟରେ ଉଲ୍ଲେଖ କରିନଥିଲେ। ରାଲିରେ ଅମିତ ଶାହ କହିଛନ୍ତି ଯେ ଦଳିତ, ଆଦିବାସୀ ତଥା ପଛୁଆ ବର୍ଗଙ୍କୁ ଦିଆଯାଇଥିବା ସଂରକ୍ଷଣକୁ ଛଡ଼ାଇ ନେଇ ଏହାକୁ ମୁସଲମାନ ସମ୍ପ୍ରଦାୟକୁ ଦେବାକୁ କଂଗ୍ରେସ ଚେଷ୍ଟା କରୁଛି, କିନ୍ତୁ ବିଜେପି ଥିବାଯାଏଁ ଏହା ସମ୍ଭବ ହେବ ନାହିଁ।
ଶାହ କହିଛନ୍ତି କଂଗ୍ରେସ ନେତାମାନେ ଧାରା ୩୭୦କୁ ହଟାଇବା ବିଷୟରେ କଥାବାର୍ତ୍ତା କରନ୍ତି, କିନ୍ତୁ ବର୍ତ୍ତମାନ ଏହା ସମ୍ଭବ ନୁହେଁ। ବିପୁଳ ଭୋଟରେ ବିଜେପି ପ୍ରାର୍ଥୀଙ୍କୁ ବିଜୟୀ କରାଇବାକୂ ସେ ଲୋକଙ୍କୁ ନିବେଦନ କରିଛନ୍ତି। ଏହି ରାଲିରେ ଶାହ ମନରେଗାରେ ହୋଇଥିବା ଦୁର୍ନୀତି ଏବଂ ଝାଡଖଣ୍ଡର ଅନ୍ୟାନ୍ୟ ଯୋଜନା ବିଷୟରେ ଉଲ୍ଲେଖ କରିଛନ୍ତି। ସେ କହିଛନ୍ତି ଯେ ମେଣ୍ଟ ସରକାରର ନେତାଙ୍କ ଦୁର୍ନୀତି ସମସ୍ତଙ୍କ ସାମ୍ନାରେ ଅଛି। ବିଭିନ୍ନ ସରକାରୀ ଯୋଜନା, ଖଣି ଖାଦାନ ଆଦି ମାଧ୍ୟମରେ ଲୁଟ୍ ହୋଇଥିବା ଲକ୍ଷ ଲକ୍ଷ କୋଟି ଟଙ୍କା ଟଙ୍କା ସବୁ କାହାର ବୋଲି ସେ ପ୍ରଶ୍ନ କରିଛନ୍ତି। ଶାହ ପ୍ରତିଶ୍ରୁତି ଦେଇଛନ୍ତି, ଯଦି ବିଜେପି ସରକାର କ୍ଷମତାକୁ ଆସେ ତେବେ ଆଇନ ପ୍ରଣୟନ କରି ଏହି ଟଙ୍କା ଝାଡଖଣ୍ଡର ରାଜକୋଷରେ ଜମା କରାଯିବ ଯାହାଦ୍ୱାରା ରାଜ୍ୟର ବିକାଶ ହୋଇପାରିବ। ଦୁର୍ନୀତିଗ୍ରସ୍ତ ନେତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ଏବଂ ସେମାନଙ୍କୁ ଜେଲ୍ ପଠାଇଦିଆଯିବ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking