29.1 C
Bhubaneswar
Sunday, February 8, 2026
Homeଦେଶ ବିଦେଶଆମେରିକାର ସୁପର ଲେଜର ଅସ୍ତ୍ର ହେଲିଓସ୍‌; ଡ୍ରୋନ୍ ଆକ୍ରମଣକୁ କରିବ ପ୍ରତିହତ, ବିଶ୍ୱ ଆଶ୍ଚର୍ଯ୍ୟଚକିତ

ଆମେରିକାର ସୁପର ଲେଜର ଅସ୍ତ୍ର ହେଲିଓସ୍‌; ଡ୍ରୋନ୍ ଆକ୍ରମଣକୁ କରିବ ପ୍ରତିହତ, ବିଶ୍ୱ ଆଶ୍ଚର୍ଯ୍ୟଚକିତ

ୱାଶିଂଟନ୍‌: ଆମେରିକାର ସୁପର ପାୱାରଫୁଲ୍ ଲେଜର ଅସ୍ତ୍ର ‘ହେଲିଓସ’କୁ ନେଇ ଏବେ ବିଶ୍ୱବ୍ୟାପୀ ଚର୍ଚ୍ଚା ଆରମ୍ଭ ହୋଇଛି। ଆମେରିକା ପକ୍ଷରୁ ସ୍ୱତନ୍ତ୍ର ଭାବେ ଏହି ଲେଜର ଅସ୍ତ୍ରର ପରୀକ୍ଷଣ କରାଯାଇଥିବା ବେଳେ ଏହାର ନାମକରଣ ହେଲିଓସ୍ (ସୂର୍ଯ୍ୟଙ୍କ ଗ୍ରୀକ୍ ନାମ) ରୂପେ କରାଯାଇଛି। ଏହାର ସାମର୍ଥ୍ୟକୁ ନେଇ ଏବେ ସମଗ୍ର ବିଶ୍ୱ ଆଶ୍ଚର୍ଯ୍ୟଚକିତ। ରିପୋର୍ଟ ଅନୁସାରେ ଆମେରିକା ନୌସେନାର ସର୍ବବୃହତ୍ ଯୁଦ୍ଧ ଜାହାଜ ୟୁଏସ୍‌ଏସ୍ ପ୍ରେବଲ୍‌ରୁ ଏହି ହେଲିଓସ୍ ଲେଜର ଅସ୍ତ୍ରର ପରୀକ୍ଷଣ ଗଭୀର ସମୁଦ୍ର ମଧ୍ୟଭାଗରେ କରାଯାଇଛି। ତେବେ ଲେଜର ଅସ୍ତ୍ରରର ଏକ ଫଟୋ ଏବଂ ପରୀକ୍ଷଣ ସମୟର ଭିଡିଓକୁ ଆମେରିକା ନୌସେନା ପକ୍ଷରୁ ଜାରି କରାଯାଇଛି। ଏହି ଲେଜର ସିଷ୍ଟମକୁ ସ୍ୱତନ୍ତ୍ର ଭାବରେ ଆମେରିକୀୟ ନୌସେନା ପାଇଁ ଡିଜାଇନ୍ କରାଯାଇଛି। ହେଲିଓସ୍ ସିଷ୍ଟମ ମୁଖ୍ୟତଃ ଆକାଶ ମାର୍ଗରୁ ଆସୁଥିବା ଶତ୍ରୁପକ୍ଷର ଡ୍ରୋନ୍‌କୁ ଖସାଇବାକୁ ସକ୍ଷମ ବୋଲି କୁହାଯାଉଛି। ତେବେ ୟୁଏଏସ ପ୍ରେବଲ୍ ଏବେ ହେଲିଓସ୍ ସହିତ ସଜ୍ଜିତ ପ୍ରଥମ ଆମେରିକୀୟ ନୌସେନା ଜାହାଜ ପାଲଟିଛି।

ଆମେରିକାର କାଉଣ୍ଟରମେଜର୍ସ ସେଣ୍ଟର (ସିସିଏମ) ଅନୁଯାୟୀ, ହେଲିଅସ୍ ଅର୍ଥ ହାଇ ଏନର୍ଜି ଲେଜର ବିଡ୍ ଇଣ୍ଟିଗ୍ରେଟେଡ୍ ଅପ୍ଟିକାଲ୍‌-ଡ୍ୟାଜଲର୍ ଆଣ୍ଡ୍ ସର୍ଭେଲାନ୍ସ। ଏହି ଲେଜର ଅସ୍ତ୍ରକୁ ଆମେରିକୀୟ ନୌସେନାକୁ ସହାୟତା କରିବା ପାଇଁ ଲକହିଡ୍ ମାର୍ଟିନ୍ ଦ୍ୱାରା ବିକଶିତ କରାଯାଇଛି। ଏହାକୁ ଆମେରିକୀୟ ଯୁଦ୍ଧଜାହାଜ ଏବଂ ଗୁରୁତ୍ୱପୂର୍ଣ୍ଣ ସ୍ଥଳକୁ ସୁରକ୍ଷିତ ରଖିବା ପାଇଁ ନିୟୋଜିତ କରାଯିବାକୁ ଯୋଜନା କରାଯାଇଛି। ଏହି ଲେଜର ଅସ୍ତ୍ର ସାହାଯ୍ୟରେ ଶତ୍ରୁପକ୍ଷର ଡ୍ରୋନ୍‌ଗୁଡ଼ିକୁ କମ୍ ଖର୍ଚ୍ଚରେ ନଷ୍ଟ କରାଯାଇପାରିବ। ଏହି ଅସ୍ତ୍ରର ସମନ୍ୱିତ ଅପ୍ଟିକାଲ୍ ଡ୍ୟାଜଲର୍ ଉପାଦାନଗୁଡ଼ିକ ମଧ୍ୟ ଶତ୍ରୁକୁ ଅସ୍ଥାୟୀ ଭାବରେ ଦୃଷ୍ଟି ବାଧିତ କରିପାରେ। ଏହା ଶତ୍ରୁ ଜାହାଜର ନିରୀକ୍ଷଣ ସେନ୍ସରଗୁଡ଼ିକୁ ଅକ୍ଷମ କରିବାରେ ମଧ୍ୟ ସାହାଯ୍ୟ କରିପାରିବ। ଏହା ବ୍ୟତୀତ, ଏହା ରାତିରେ ନଜର ରଖିବା ପାଇଁ ମଧ୍ୟ କାମ କରିପାରିବ। ପ୍ରକାଶ, ଆମେରିକା ଏହି ଲେଜର ଅସ୍ତ୍ରକୁ ପ୍ରସ୍ତୁତ କରିବା ଦିଗରେ ବହୁବର୍ଷ ଧରି କାମ କରିଆସୁଥିଲା। ଆମେରିକା ସମେତ ୟୁକେ, ଦକ୍ଷିଣ କୋରିଆ, ଇସ୍ରାଏଲ, ତୁର୍କୀ, ଜର୍ମାନୀ ଏବଂ ଜାପାନ ମଧ୍ୟ ଏହି ଲେଜର ଅସ୍ତ୍ରକୁ ବିକଶିତ କରିସାରିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking