37.1 C
Bhubaneswar
Thursday, March 12, 2026
Homeଦେଶ ବିଦେଶରୁଷ ଉପରେ ପୁଣି କଟକଣା ଲଗାଇଲା ଆମେରିକା

ରୁଷ ଉପରେ ପୁଣି କଟକଣା ଲଗାଇଲା ଆମେରିକା

ନୂଆଦିଲ୍ଲୀ: ଆମେରିକା ଏବଂ ଜାପାନ ଶୁକ୍ରବାର ରୁଷ ବିରୋଧରେ ୟୁକ୍ରେନ ଯୁଦ୍ଧକୁ ନେଇ ନୂଆ ପ୍ରତିବନ୍ଧକ ଲଗାଇଛନ୍ତି । ୟୁଏସ୍ ଡିପାର୍ଟମେଣ୍ଟ ଅଫ୍ ଷ୍ଟେଟ ମୁତାବକ, ଆମେରିକା ରୁଷର ୨୦୦ରୁ ଉର୍ଦ୍ଧ୍ୱ କମ୍ପାନି ଏବଂ ବ୍ୟକ୍ତି ବିଶେଷଙ୍କ ସହ୧୮୦ରୁ ଉର୍ଦ୍ଧ୍ୱ ଜାହାଜ ଉପରେ ବ୍ୟାନ ଲଗାଇ ଦେଇଛି । ଏହା ସହ ଭାରତୀୟ କମ୍ପାନି ସ୍କାଏହାର୍ଟ ମ୍ୟାନେଜମେଣ୍ଟ ସର୍ଭିସେସ ଏବଂ ଏଭିଜନ ମ୍ୟାନେଜମେଣ୍ଟ ସର୍ଭିସେସ ଉପରେ ମଧ୍ୟ ନିଷେଧାଦେଶ ଲାଗିଛି । ଏଥିଯୋଗୁ ଭାରତ ଏବଂ ଚୀନ ଭଳି ଦେଶ ଗୁଡିକ ଉପରେ ମଧ୍ୟ ପ୍ରଭାବ ପଡିବ ବୋଲି ଆଶଙ୍କା କରାଯାଇଛି ।

ବାଇଡେନ ସରକାର କହିଛନ୍ତି, ଏହି ୨ ଭାରତୀୟ କମ୍ପାନି ରୁଷର ଏଲଏନ୍‌ଜି ପରିବହନ କରିଥିଲେ । ଯାହା ଆମେରିକା ପ୍ରତିବନ୍ଧକର ଉଲ୍ଲଘଂନ। ଜାପାନ ମଧ୍ୟ ବିଭିନ୍ନ ରୁଷ ନାଗରିକ ଏବଂ ସମ୍ପତ୍ତିକୁ ଫ୍ରିଜ କରି ଦେଇଛି । ରୁଷକୁ ସହାୟତା କରିଥିବା କମ୍ପାନି ଏହା ମଧ୍ୟରେ ସାମିଲ ରହିଛି । ଆମେରିକାର ପ୍ରତିବଦ୍ଧକ ଯୋଗୁ ଏବେ ଅଶୋଧିତ ତୈଳ ଦର ୩% ଯାଏ ବୃଦ୍ଧି ହୋଇଛି । ଅଶୋଧିତ ତେଲ ଦର ବ୍ୟାରେଲ ପିଛା ୮୦ ଡଲାର ଟପିଛି । ଏଭଳି ପ୍ରତିବନ୍ଧକ ଯୋଗୁ ଭାରତ ଏବଂ ଚୀନ୍ ଭଳି ତୈଳ ଆମଦାନି ଦେଶ ଗୁଡିକ ପାଇଁ ସଙ୍କଟ ସ୍ଥିତି ଉପୁଜିପାରେ । ୟୁକ୍ରେନ ଯୁଦ୍ଧ ଆରମ୍ଭ ପରେ ତେଲ ଦରରେ ଉତ୍ଥାନ ପତନ ଜାରି ରହିଛି । ୨୦୨୨ ମେରେ ଏହା ବ୍ୟାରେଲ ପିଛା ୧୨୩ ଡଲାର ଛୁଇଁଥିଲା ।

ସେହିଭଳି ୨୦୨୨ ସେପ୍େଟମ୍ବରରେ ୮୪ ଡଲାର, ୨୦୨୩ ସେପ୍େଟମ୍ବରରେ ୯୩ ଡଲାର, ୨୦୨୪ ମାର୍ଚ୍ଚରେ ୮୪ ଡଲାର ଏବଂ ୨୦୨୫ ଜାନୁଆରିରେ ୮୦ଡଲାର ସ୍ତରରେ ଥିଲା ବୋଲି ମାକ୍ରୋଟ୍ରେଣ୍ଡସ ଡାଟାରୁ ଜଣାପଡିଛି । ଆମେରିକାର ବୈଦେଶିକ ମନ୍ତ୍ରୀ ଆଣ୍ଟୋନି ବ୍ଲିଙ୍କନ କହିଛନ୍ତି, ତେଲ ଉତ୍ସରୁ ହେଉଥିବା ରୁଷର ଆୟକୁ ପ୍ରଭାବିତ କରିବା ଲାଗି ଏଭଳି କଟକଣା ଲାଗିଛି । ରୁଷ, ୟୁକ୍ରେନ ବିରୋଧରେ ଚଳାଇଥିବା ଯୁଦ୍ଧକୁ ଜାରି କରିବା ଲାଗି ଆôର୍ଥକ ସଙ୍କଟ ସାମ୍ନା କରିପାରେ । ଜାପାନ ସରକାର ବୟାନ ଜାରି କରି କହିଛନ୍ତି, ୧୧ ବ୍ୟକ୍ତି, ୨୯ ସଙ୍ଗଠନ ଏବଂ ୩ ରୁଷିୟ ବ୍ୟାଙ୍କ ଉପରେ କଟକଣା ଲାଗିଛି । ଏହାବାଦ ରୁଷକୁ ସହାୟତା କରୁଥିବା ଅଭିଯୋଗରେ ଉତ୍ତର କୋରିଆ ଏବଂ ଜର୍ଜିଆର ଏକ ବ୍ୟାଙ୍କ ବିରୋଧରେ ମଧ୍ୟ କଟକଣା ଜାରି କରାଯାଇଛି । ଜାପାନର ମୁଖ୍ୟ କ୍ୟାବିନେଟ ସଚିବ ୟୋଶିମାସା ହମାସି କହିଛନ୍ତି, ୟୁକ୍ରେନକୁ ସହାୟତା କରିବା ଦିଗରେ ଏହା ଆମ ପ୍ରତିବଦ୍ଧତାକୁ ଦର୍ଶାଉଛି ।

ଆମେରିକାର ଏହି କଟକଣା ପରେ ରୁଷ ରାଷ୍ଟ୍ରପତି କାର୍ଯ୍ୟାଳୟ ପ୍ରବକ୍ତା ଦିମିତ୍ରୀ ପେସକୋଭ କହିଛନ୍ତି, ବାଇଡେନ ପ୍ରଶାସନ ନୂଆ ସରକାରଙ୍କ ଲାଗି ସଙ୍କଟ ସୃଷ୍ଟି କରୁଛନ୍ତି । ଆମେ ଜାଣିଛୁ ଯେ, ବାଇଡେନ ପ୍ରଶାସନ ଯିବା ବେଳେ ଟ୍ରମ୍ପଙ୍କ ଲାଗି ଲାଗି କିଛି ସମସ୍ୟା ଛାଡି ଯିବାକୁ ଚେଷ୍ଟା କରିବେ। ୨୦୨୨ର ରୁଷ ୟୁକ୍ରେନ ଯୁଦ୍ଧ ପରେ ଭାରତ ଏବଂ ଚୀନ ରୁଷ ତେଲ ଉପରେ ବିଶେଷ ଭାବେ ନିର୍ଭରଶୀଳ ହୋଇଛନ୍ତି। ରୟଟର୍ସ ମୁତାବକ, ଭାରତୀୟ ତୈଳ ବିଶୋଧନାଗାର ଗୁଡିକ ପ୍ରତିବନ୍ଧକ ଲାଗିଥିବା ରୁଷ ଜାହାଜ ଗୁଡିକ ବ୍ୟବହାର କରିବାକୁ ଏତେଟା ଇଛୁକ ହେବେନି । ଫଳରେ ରୁଷ ତେଲ ଆହୁରି ଶସ୍ତା ହୋଇପାରେ । ଭାରତୀୟ ରିଫାଇନାରୀର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ପ୍ରତିବନ୍ଧକ କାରଣରୁ ରୁଷ ତେଲ ବ୍ୟାରେଲ ପିଛା ୬୦ ଡଲାର ଯାଏ ଖସିପାରେ । ବିଶ୍ୱର ତେଲ ଉତ୍ପାଦନରେ ରୁଷର ଅଂଶ ୧୦% ରହିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking