31.1 C
Bhubaneswar
Wednesday, March 25, 2026
Homeଦେଶ ବିଦେଶସିରିଆର ଅସ୍ତ୍ରାଗାରକୁ ଧ୍ୱଂସ କଲା ଆମେରିକା

ସିରିଆର ଅସ୍ତ୍ରାଗାରକୁ ଧ୍ୱଂସ କଲା ଆମେରିକା

ଡାମାସ୍‌କସ୍‌: ସିରିଆ ଗୃହଯୁଦ୍ଧର ଅନ୍ତ ହୋଇସାରିଛି। ସିରିଆ ରାଷ୍ଟ୍ରପତି ବଶର ଅଲ୍‌-ଅସଦଙ୍କୁ କ୍ଷମତାଚୁତ କରିବା ପରେ ଦେଶର ଇସ୍‌ଲାମିକ ବିଦ୍ରୋହୀ ସଙ୍ଗଠନ ହୟାତ୍ ତାହିର ଅଲ୍‌-ଶାମ (ଏଚ୍‌ଟିଏସ୍‌) ସମ୍ପୂର୍ଣ୍ଣ ଦେଶକୁ ନିଜ ନିୟନ୍ତ୍ରଣକୁ ନେଇଛି। ଏସବୁ ମଧ୍ୟରେ ଇସ୍ରାଏଲ୍ ଏବଂ ଆମେରିକା ପକ୍ଷରୁ ମିଳିତ ଭାବେ ସିରିଆ ଉପରେ ଆକ୍ରମଣ କରାଯାଇଥିବା ଭଳି ଏକ ସମ୍ବେଦନଶୀଳ ରିପୋର୍ଟ ସାମ୍ନାକୁ ଆସିଛି। ଅସଦ୍‌ଙ୍କ ପଳାୟନ ପରେ ଆମେରିକା ଏବଂ ଇସ୍ରାଏଲ୍ ଏକ ବଡ ପଦକ୍ଷେପ ଗ୍ରହଣ ପୂର୍ବକ ସିରିଆର ଅସ୍ତ୍ରାଗାରକୁ ଏୟାରଷ୍ଟ୍ରାଇକ୍ ଯୋଗେ ଧ୍ୱଂସ କରିଦେଇଛନ୍ତି। ଇସ୍ରାଏଲ ସହ ମିଶି ଆମେରିକୀୟ ବାୟୁସେନା ସିରିଆରେ ଥିବା ସାମରିକ ଘାଟି ଓ ରାସାୟନିକ ଅସ୍ତ୍ରଶସ୍ତ୍ର କାରଖାନା ଉପରେ ଜୋରଦାର ଏୟାର ଷ୍ଟ୍ରାଇକ୍ କରିଛି। ଏଥିରେ ସିରିଆର ଅନେକ ସାମରିକ ଘାଟି ସମେତ ବୃହତ୍ ଅସ୍ତ୍ରାଗାର ସବୁ ଧୂଳିସାତ୍ ହୋଇଯାଇଛି। ଆମେରିକାର ବାୟୁସେନାର ବୋମାବର୍ଷୀ ବିମାନ ଏସବୁକୁ ଧ୍ୱଂସ କରିପକାଇଛି। ସିରିଆର ଏହି ଅସ୍ତ୍ରଶସ୍ତ୍ରଗୁଡ଼ିକ ଯେପରି ବିଦ୍ରୋହୀଙ୍କ ହାତକୁ ନ ଯାଏ ତାହା ସୁନିଶ୍ଚିତ କରିବାକୁ ଏହି ଆକ୍ରମଣ କରାଯାଇଥିବା ଉଭୟ ଇସ୍ରାଏଲ୍ ଏବଂ ଆମେରିକା ପକ୍ଷରୁ ସ୍ପଷ୍ଟୀକରଣ ଭାବେ କୁହାଯାଇଛି।

ସିରିଆରେ ବିଦ୍ରୋହୀ ଗୋଷ୍ଠୀଙ୍କ ଏପ୍ରକାର ଉତ୍ଥାନ ଏବଂ ରାଷ୍ଟ୍ରପତି ଅସଦ୍‌ଙ୍କ ଏପ୍ରକାର ଦେଶ ଛାଡି ପଳାୟନ ମଧ୍ୟରେ ଇସ୍ରାଏଲ ସଂଶୟ ମଧ୍ୟକୁ ଠେଲି ହୋଇଯାଇଛି। ସିରିଆର ଏହି ଗୃହଯୁଦ୍ଧ ଆଗାମୀ ଦିନରେ ଇସ୍ରାଏଲ୍‌କୁ ମଧ୍ୟ ସମ୍ପ୍ରସାରିତ ହୋଇପାରେ କିମ୍ବା ସିରିଆର ଏହି ବିଦ୍ରୋହୀ ଗୋଷ୍ଠୀ ଇସ୍ରାଏଲ୍‌ର ପ୍ରାନ୍ତୀୟ ଅଞ୍ଚଳରେ ଆକ୍ରମଣ କରିପାରନ୍ତି ବୋଲି ଇସ୍ରାଏଲ୍ ଆଶଙ୍କା କରୁଛି। ଫଳରେ ଆମେରିକା ସହ ମିଶି ଇସ୍ରାଏଲ ମଧ୍ୟ ସିରିଆର ଏହି ଅସ୍ତ୍ରାଗାରସବୁକୁ ନଷ୍ଟ କରିବାରେ ସହଯୋଗ କରିଛି। ଇସ୍ରାଏଲ ସେନା ମଧ୍ୟ ସ୍ଥଳଭାଗରୁ ସିରିଆ ସୀମାରେ ପ୍ରବେଶ କରିଛି। ୧୯୭୪ ଚୁକ୍ତି ପରେ ପ୍ରଥମ ଥର ପାଇଁ ଇସ୍ରାଏଲ ସେନା ସିରିଆ ମାଟିରେ ପାଦ ଥାପିଛି। ଖାଲି ସେତିକି ନୁହେଁ, ଇସ୍ରାଏଲ ସେନା ଗୋଲାନ ହାଇଟ୍ସ ନିକଟରେ ଥିବା ସିରିଆ ସୀମାର ୧୦ କିଲୋମିଟର ଭିତରେ ଥିବା ଜମିକୁ ଦଖଲ କରି ବଫର ଜୋନରେ ପରିଣତ କରିଛି। ଇସ୍ରାଏଲ ଏହି ପଦକ୍ଷେପ ପଛରେ ନିଜ ନାଗରିକଙ୍କ ସୁରକ୍ଷାକୁ ଦର୍ଶାଇଛି। ଏହି ପଦକ୍ଷେପ କେବଳ ଅସ୍ଥାୟୀ ବୋଲି ଇସ୍ରାଏଲ କହିଛି। ଏସବୁ ମଧ୍ୟରେ ଅସଦ୍ ନିଜ ପରିବାରଙ୍କୁ ନେଇ ଏବେ ରୁଷ୍‌ରେ ଶରଣ ନେଇଥିବା ଜଣାପଡିଛି। ଗତକାଲି ତାଙ୍କ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିବା ନେଇ ଖବର ମିଳିଥିଲେ ମଧ୍ୟ ସେ ଏବେ ସୁରକ୍ଷିତ ରୁଷ୍‌ରେ ଥିବା ଜଣାପଡିଛି।

ଅନ୍ୟ ଏକ ରିପୋର୍ଟ ଅନୁସାରେ ସିରିଆରେ ଏବେ ରାଷ୍ଟ୍ରପତି ଶାସନ ଶେଷ ହୋଇଯିବା ଫଳରେ ସିରିଆକୁ ଏବେ ଶରଣାର୍ଥୀମାନେ ଫେରିବାରେ ଲାଗିଛନ୍ତି। ରାଜଧାନୀକୁ ସଂଯୋଗ କରୁଥିବା ରାସ୍ତାରେ ହଜାର ହଜାର ଗାଡ଼ିରେ ଶରଣାର୍ଥୀମାନେ ଫେରୁଥିବାର ଦେଖିବାକୁ ମିଳିଛି। ଅସଦଙ୍କ ଶାସନ ସମୟରେ ସେମାନଙ୍କୁ ଦେଶରୁ ବିସ୍ଥାପିତ କରାଯାଇଥିଲା। ଏବେ ସେମାନେ ଦେଶକୁ ପ୍ରତ୍ୟାବର୍ତ୍ତନ କରୁଛନ୍ତି। ତେବେ ଏହାରି ଭିତରେ କିଛି ଅଜବ ଦୃଶ୍ୟ ସାମ୍ନାକୁ ଆସିଛି। ବିଦ୍ରୋହୀମାନେ ରବିବାର ଦିନ ରାଜଧାନୀ ଡାମାସକସ୍‌କୁ ଅକ୍ତିଆରକୁ ନେବା ସହିତ ରାଷ୍ଟ୍ରପତିଙ୍କ ବାସଭବନରେ ଧସେଇ ପଶିଥିଲେ। ଏହାର ୨୪ ଘଣ୍ଟା ମଧ୍ୟରେ ଅର୍ଥାତ୍ ସୋମବାର ଠାରୁ ଲୋକମାନେ ଦେଶର କେନ୍ଦ୍ରୀୟ ବ୍ୟାଙ୍କରେ ପଶି ଲୁଟ୍‌ପାଟ୍ ଆରମ୍ଭ କରିଦେଇଛନ୍ତି। ବ୍ୟାଙ୍କ ଭିତରେ ପଶି ସେମାନେ ମନ ମୁତାବକ ଟଙ୍କା ଏବଂ ଅନ୍ୟାନ୍ୟ ସାମଗ୍ରୀ ଗାଡ଼ିରେ ବୋହି ନେଉଛନ୍ତି। ଏହାର ଭିଡିଓ ସାମାଜିକ ଗଣମାଧ୍ୟମରେ ପ୍ରଘଟ ହୋଇଛି। ଯେଉଁଥିରେ ବହୁ ଲୋକ ଏକ ବ୍ୟାଙ୍କରେ ପ୍ରବେଶ କରୁଛନ୍ତି ଏବଂ ମନ ଇଚ୍ଛା ଲୁଟ୍ କରୁଥିବାର ଦେଖିବାକୁ ମିଳିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking