ୱାଶିଂଟନ୍: ବିବାଦୀୟ ବୟାନ୍ବାଜି କରି ନିଜକୁ କିପରି ଚର୍ଚ୍ଚାରେ ରଖିବାକୁ ହୁଏ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ବେଶ୍ ଭଲଭାବେ ଜଣା। ଏବେ ସେ ପୁଣିଥରେ ଏପରି ଏକ ବୟାନ୍ ଦେଇଛନ୍ତି ଯାହାକୁ ନେଇ ସାରା ବିଶ୍ୱରେ ହଇଚଇ ସୃଷ୍ଟି ହୋଇଛି। ଟ୍ରମ୍ପ୍ କହିଛନ୍ତି ଯେ ଆମେରିକା ପାଖରେ ଏତେମାତ୍ରାରେ ପରମାଣୁ ଅସ୍ତ୍ର ଅଛି ଯେ, ବିଶ୍ୱକୁ ୧୫୦ଥର ଧ୍ୱଂସ କରାଯାଇପାରିବ। ନିକଟରେ ଚୀନ୍ ରାଷ୍ଟ୍ରପତି ସି ଜିନ୍ପିଙ୍ଗ୍ଙ୍କ ସହ ଦ୍ୱିପାକ୍ଷିକ ସାକ୍ଷାତକାର କରି ଆମେରିକା ଫେରିବା ପରେ ନିଜ ପ୍ରତିକ୍ରିୟା ରଖିବାକୁ ଯାଇ ସେ ଏପରି କହିଛନ୍ତି।
ଟ୍ରମ୍ପ୍ କହିଛନ୍ତି ବନ୍ଧୁ ଜିନ୍ପିଙ୍ଗ୍ଙ୍କ ସହ ସାକ୍ଷାତ କରିବା ବେଶ୍ ସନ୍ତୋଷଜନକ ରହିଛି। ଉଭୟ ଏକାଧିକ ପ୍ରସଙ୍ଗରେ ଦ୍ୱିପାକ୍ଷିକ ଆଲୋଚନା ମଧ୍ୟ କରିଛନ୍ତି ବୋଲି ଟ୍ରମ୍ପ୍ କହିଛନ୍ତି। ଏହି ଅବସରରେ ଟ୍ରମ୍ପ୍ କହିଛନ୍ତି ତାଙ୍କର ଚୂଡ଼ାନ୍ତ ଲକ୍ଷ୍ୟ ହେଉଛି ଏକ ‘ପରମାଣୁମୁକ୍ତ ବିଶ୍ୱ’ ହାସଲ କରିବା। ହ୍ୱାଇଟ୍ ହାଉସରେ ଭାଷଣ ଦେଇ ଟ୍ରମ୍ପ୍ କହିଛନ୍ତି, “ମୁଁ ଭାବୁଛି ପରମାଣୁ ନିରସ୍ତ୍ରୀକରଣ ଏକ ଚମତ୍କାର ଜିନିଷ ହେବ। ଆମେରିକା ପୃଥିବୀକୁ ୧୫୦ ଥର ନଷ୍ଟ କରିପାରିବ, କିନ୍ତୁ ଏସବୁର କୌଣସି ଆବଶ୍ୟକତା ନଥିବାରେ ମଧ୍ୟ ଆମେରିକା ବିଶ୍ୱାସ କରେ। ଟ୍ରମ୍ପ୍ଙ୍କ ଅନୁସାରେ, ଆମେରିକା ପାଖରେ ସର୍ବାଧିକ ସଂଖ୍ୟକ ପରମାଣୁ ଅସ୍ତ୍ର ଅଛି। ୨ୟରେ ରୁଷ୍ ଏବଂ ୩ୟରେ ଚୀନ୍ ଅଛନ୍ତି। ତେବେ ଏବେ ସମୟ ଆସିଯାଇଛି ଏପରି କାମ କରାଯିବା ଉଚିତ୍ ଯାହା ବିଶ୍ୱପାଇଁ ମଙ୍ଗଳକାରୀ ହେବ। ଟ୍ରମ୍ପଙ୍କ ଏହି ବିବୃତ୍ତି ପରମାଣୁ ନିୟନ୍ତ୍ରଣ ଲାଗି ଆମେରିକା, ରୁଷ ଏବଂ ଚୀନ୍ ମଧ୍ୟରେ ତ୍ରିପାକ୍ଷିକ ସହଯୋଗର ସମ୍ଭାବନାର ଗୋଟିଏ ଦିନ ପରେ ଆସିଛି। ପ୍ରକାଶ, ଟ୍ରମ୍ପ୍ ଗତ ସପ୍ତାହରେ କହିଥିଲେ ଯେ, ଯେହେତୁ ରୁଷ୍, ଉତ୍ତରକୋରିଆ, ଚୀନ୍ ଓ ପାକିସ୍ତାନ ଆଦି ଦେଶ ପରମାଣୁ ପରୀକ୍ଷା କରୁଛନ୍ତି, ଆମେରିକା ମଧ୍ୟ ପରମାଣୁ ପରୀକ୍ଷଣ କରିବ। ଏଥିପାଇଁ ପେଣ୍ଟାଗନକୁ ନିର୍ଦ୍ଦେଶ ଦିଆଯାଇଛି।










