ନୂଆଦିଲ୍ଲୀ: ପିଲାମାନଙ୍କ ପାଇଁ ଚାଟ୍ ଜିପିଟି ଏବେ ପ୍ରାଣଘାତୀ ସାବ୍ୟସ୍ତ ହେଉଥିବାର ଅନେକ ଘଟଣା ସାମ୍ନାକୁ ଆସିବାରେ ଲାଗିଛି । ଏବେ ଚାଟ୍ ଜିପିଟି ବିରୋଧରେ ଆଉ ଏକ ସଂଗୀନ ଅଭିଯୋଗ ସାମ୍ନାକୁ ଆସିଛି । ଏଠାରେ ଚାଟ୍ ଜିପିଟି ବ୍ୟବହାର କରୁଥିବା ଆଡାମ୍ ରାଇନ୍ ନାମକ ଜଣେ ୧୬ ବର୍ଷୀୟ କିଶୋରଙ୍କ ଆତ୍ମହତ୍ୟା ପଛରେ ଚାଟ୍ ଜିପିଟିର ଭୂମିକା ଥିବା ଅଭିଯୋଗ ହୋଇଛି । ମୃତ କିଶୋରର ମା ବାପା ଅଭିଯୋଗ କରିଛନ୍ତି ଯେ ତାଙ୍କ ପିଲାକୁ ଆତ୍ମହତ୍ୟା କରିବା ପାଇଁ ଚାଟ୍ ଜିପିଟି ହିଁ ପ୍ରେରିତ କରିଥିଲା । ପିଲାମାନଙ୍କୁ ପଥଭ୍ରାନ୍ତ କରିବା ପୂର୍ବକ ଅବାଟରେ ନେବା ସହ ଆତ୍ମଘାତର ପଦ୍ଧତି ବତାଇ କ୍ଷତି ପହଞ୍ଚାଉଛି ବୋଲି ଚାଟ୍ ଜିପିଟି ବିରୋଧରେ ମୃତ କିଶୋରର ଅଭିଭାବକ ଅଭିଯୋଗ କରିଛନ୍ତି ।
ସାନ ଫ୍ରାନ୍ସିସ୍କୋ ରାଜ୍ୟ କୋର୍ଟରେ ରାଇନଙ୍କ ବାପାମାଆ ଦାୟର କରିଥିବା ମାମଲା ଅନୁଯାୟୀ, ୧୬ ବର୍ଷୀୟ ଆଡାମ୍ ରାଇନ ମାସ ମାସ ଧରି ଚାଟଜିପିଟି ସହିତ ଆତ୍ମହତ୍ୟା ବିଷୟରେ ଆଲୋଚନା କରିବା ପରେ ଏପ୍ରିଲ ୧୧ ତାରିଖରେ ମୃତ୍ୟୁବରଣ କରିଥିଲେ । ଏହିକ୍ରମେ ସେମାନେ ଚାଟ୍ଜିପିଟିର ମୂଳ ସଂସ୍ଥା ଓପନ୍ ଏଆଇ ଏବଂ ତାହାର ସିଇଓ ସାମ୍ ଅଲ୍ଟମ୍ୟାନଙ୍କ ବିରୋଧରେ ମାମଲା ରୁଜୁ କରିଛନ୍ତି । ଦମ୍ପତି ଅଭିଯୋଗରେ ଦର୍ଶାଇଛନ୍ତି ଯେ, ଓପନ୍ ଏଆଇ କମ୍ପାନୀ ଗତ ବର୍ଷ ଏହାର କୃତ୍ରିମ ବୁଦ୍ଧିମତ୍ତା ଚାଟ୍ବଟ୍ର ଜିପିଟି-୪୦ ସଂସ୍କରଣ ଲଞ୍ଚ କରିବା ସମୟରେ ଜାଣିଶୁଣି ସୁରକ୍ଷା ଉପରେ ଲାଭକୁ ବାଛିଛି । ସେମାନେ ଅଭିଯୋଗ କରିଛନ୍ତି ଯେ ଚାଟବଟ୍ ତାଙ୍କ ପୁଅକୁ ଆତ୍ମହତ୍ୟା ପାଇଁ ପ୍ରବର୍ତ୍ତାଇଛି । ପିତାମାତାଙ୍କ ମଦ କ୍ୟାବିନେଟରୁ ମଦ କିପରି ଚୋରି କରି ଆତ୍ମହତ୍ୟା ଉଦ୍ୟମର ପ୍ରମାଣ ଲୁଚାଇବ ସେ ବିଷୟରେ ନିର୍ଦ୍ଦେଶ ଦେଇଥିଲା । ଚାଟ୍ ଜିପିଟି ଏକ ଆତ୍ମହତ୍ୟା ନୋଟ୍ ପ୍ରସ୍ତୁତ କରିବାକୁ ମଧ୍ୟ ପ୍ରସ୍ତାବ ଦେଇଥିଲା ବୋଲି ଉଭୟ ଦର୍ଶାଇଛନ୍ତି । ଅନ୍ୟପକ୍ଷେ ଓପନ୍ ଏଆଇର ଜଣେ ମୁଖପାତ୍ର କହିଛନ୍ତି ଯେ କମ୍ପାନୀ ରାଇନଙ୍କ ମୃତ୍ୟୁରେ ଦୁଃଖିତ । ଚାଟ୍ ଜିପିଟିରେ ଲୋକଙ୍କୁ ସଙ୍କଟକାଳୀନ ହେଲ୍ପଲାଇନ୍କୁ ନିର୍ଦ୍ଦେଶ ଦେବା ଭଳି ସୁରକ୍ଷା ବ୍ୟବସ୍ଥା ଅନ୍ତର୍ଭୁକ୍ତ ଥିବା ବେଳେ ଏଭଳି ଅଭିଯୋଗ ଉଚିତ୍ ନୁହେଁ ।









