27.1 C
Bhubaneswar
Thursday, March 26, 2026
Homeଓଡିଶାସମ୍ଭାବ୍ୟ ବାତ୍ୟା "ମୋନ୍ଥା"କୁ ଦୃଷ୍ଟିରେ ରଖି କୃଷି ବିଭାଗର ପ୍ରସ୍ତୁତି ବୈଠକ

ସମ୍ଭାବ୍ୟ ବାତ୍ୟା “ମୋନ୍ଥା”କୁ ଦୃଷ୍ଟିରେ ରଖି କୃଷି ବିଭାଗର ପ୍ରସ୍ତୁତି ବୈଠକ

– ଅକ୍ଟୋବର ୩୧ ତାରିଖ ଯାଏଁ ସମସ୍ତ କୃଷି ଅଧିକାରୀଙ୍କ ଛୁଟି ବାତିଲ
– ଅମଳ ହୋଇସାରିଥିବା ଫସଲକୁ ଉଚ୍ଚ ତଥା ସୁରକ୍ଷିତ ସ୍ଥାନକୁ ନେଇଯିବା ପାଇଁ ଚାଷୀଙ୍କୁ ପରାମର୍ଶ
ଭୁବନେଶ୍ୱର : ସମ୍ଭାବ୍ୟ ବାତ୍ୟା “ମୋନ୍ଥା”କୁ ଦୃଷ୍ଟିରେ ରଖି କୃଷି ବିଭାଗ ପକ୍ଷରୁ ଏକ ପ୍ରସ୍ତୁତି ବୈଠକ କୃଷି ବିଭାଗ ପ୍ରମୁଖ ଶାସନ ସଚିବ ଡ଼ ଅରବିନ୍ଦ କୁମାର ପାଢ଼ୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଅକ୍ଟୋବର ୩୧ ତାରିଖ ଯାଏଁ କୌଣସି କୃଷି ଅଧିକାରୀ ଛୁଟି ନେଇପାରିବେ ନାହିଁ ବୋଲି ବିଭାଗୀୟ ସଚିବ ନିର୍ଦ୍ଦେଶ ଦେଇଛନ୍ତି। ନିର୍ଦ୍ଦେଶ ଅବମାନନା କ୍ଷେତ୍ରରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ମଧ୍ୟ ନିଆଯାଇପାରେ । ଏହାବ୍ୟତୀତ, କୃଷି ବିଭାଗ ଦ୍ଵାରା ଜାରୀ ହୋଇଥିବା ପରାମର୍ଶକୁ ଚାଷୀଙ୍କ ନିକଟକୁ ସମସ୍ତ ପ୍ରକାର ମାଧ୍ୟମରେ ପହଞ୍ଚାଇବା ଜରୁରୀ । ଯଥା ଅମଳ ସରିଥିବା ଫସଲକୁ ଉଚ୍ଚ ତଥା ସୁରକ୍ଷିତ ସ୍ଥାନରେ ଘୋଡ଼ାଇ ରଖିବା, ଜମିରୁ ଜଳ ନିଷ୍କାସନ ଇତ୍ୟାଦି । ବାତ୍ୟା ପରବର୍ତ୍ତୀ ପଦକ୍ଷେପ ଅନୁଯାୟୀ, ଜମିରୁ ପାଣି ଛାଡ଼ିଗଲା ମାତ୍ରେ, କୃଷି ଅଧିକାରୀମାନେ ତୁରନ୍ତ ବିଲକୁ ଯାଇ ଫସଲ କ୍ଷୟକ୍ଷତିର ଆକଳନ କରିବେ। ଉପମୁଖ୍ୟମନ୍ତ୍ରୀ ଶ୍ରୀ କେ ଭି ସିଂହଦେଓଙ୍କ ନିର୍ଦ୍ଦେଶ ଅନୁଯାୟୀ, ଫସଲ କ୍ଷୟକ୍ଷତି ଆକଳନରେ କୌଣସି ବି କ୍ଷତିଗ୍ରସ୍ତଚାଷୀ ବାଦ ନ ପଡ଼ିବା ଆବଶ୍ୟକ । ତଥ୍ୟ ଅନୁଯାୟୀ, ରାଜ୍ୟରେ ୧୪.୧୭ ଲକ୍ଷ ହେକ୍ଟର ଚାଷଜମି ବୀମାଭୁକ୍ତ ଅଟେ । ପ୍ରଧାନମନ୍ତ୍ରୀ ଫସଲ ବୀମାରେ ଅନୁବନ୍ଧିତ ଚାଷୀ ଇନ୍ସୁରାନ୍ସ ବାବଦରେ ଏନସିଆଇପି ପୋର୍ଟାଲରେ ଆବେଦନ କରିପାରିବେ, କିମ୍ବା ଟୋଲ ଫ୍ରି ନମ୍ବର ୧୪୪୪୭ ରେ କଲ କରିପାରିବେ କିମ୍ବା Whatsapp chatbot ନମ୍ବର ୭୦୬୫୫୧୪୪୪୭ ରେ ଯୋଗାଯୋଗ କରିପାରିବେ । କୃଷି ବିଭାଗ ପକ୍ଷରୁ କଣ୍ଟ୍ରୋଲ ରୁମର ପ୍ରସ୍ତୁତି ମଧ୍ୟ ଶେଷ ହୋଇଛି । ସମସ୍ତ ପ୍ରକାର ମୁକାବିଲା ପାଇଁ କୃଷି ବିଭାଗ ସଜାଗ ରହିଛି । ଏହି ବୈଠକରେ କୃଷି ନିର୍ଦ୍ଦେଶକ ଶ୍ରୀ ଶୁଭମ ସକ୍ସେନା, ଅତିରିକ୍ତ ସଚିବ ଡ଼ ଗଣେଶ୍ବର ଜେନା, ବିଭାଗୀୟ ବରିଷ୍ଠ ଅଧିକାରୀଙ୍କ ସମେତ ରାଜ୍ୟର ସମସ୍ତ ଜିଲ୍ଲାରୁ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ, ଉଦ୍ୟାନ କୃଷି ଅଧିକାରୀମାନେ ଭିଡ଼ିଓ କନ୍ଫରେନ୍ସ ମାଧ୍ୟମରେ ଯୋଗଦେଇଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking