ଲକ୍ଷ୍ନୌ: ଗଣଦୁଷ୍କର୍ମ ପରେ ପୁଲିସ ଏତଲା ନରଖିବାରୁ ଜୀବନ ହାରିଲେ ପୀଡ଼ିତା । ଉତ୍ତରପ୍ରଦେଶର ଅମ୍ବେଦକର ନଗରରେ ଘଟିଛି ଏଭଳି ଘଟଣା । ଗଣଦୁଷ୍କର୍ମର ଶିକାର ହେବା ପରେ ପୀଡ଼ିତା ୩ଜଣ ଅଭିଯୁକ୍ତଙ୍କ ବିରୋଧରେ ଏତଲା ଲେଖାଇବା ପାଇଁ ପୁଲିସ ଷ୍ଟେସନରେ ପହଞ୍ଚିଥିଲେ । ହେଲେ ଏହି ଅପରାଧ ପାଇଁ ଦାୟୀ ଥିବା ତିନିଜଣଙ୍କ ବିରୋଧରେ ଅଭିଯୋଗ ପଞ୍ଜିକରଣ କରିବାକୁ ପୁଲିସ ସବ୍-ଇନ୍ସପେକ୍ଟର ମନା କରି ଦେଇଥିଲେ । ଏହି ଘଟଣାରେ ପୁଲିସର ନିଷ୍କ୍ରିୟତାକୁ ନେଇ ଅସନ୍ତୋଷ ସୃଷ୍ଟି କରିଛି ।
ସୂଚନା ମୁତାବକ, ଗଣଦୁଷ୍କର୍ମ ହେବା ପରେ ପୀଡ଼ିତା ନ୍ୟାୟ ଆଶାରେ ପୁଲିସ ଷ୍ଟେସନ ଯାଇଥିଲେ । ହେଲେ ସବ୍-ଇନ୍ସପେକ୍ଟର ନାସିର କୁରେଶୀ ଏତଲା ନଲେଖି ପୀଡ଼ିତାଙ୍କ ବାପାଙ୍କୁ ଏତଲା ଲେଖିବାକୁ କହିଥିଲେ । ପୀଡ଼ିତାଙ୍କ ବାପା ଯାହା ଲେଖିଥିଲେ, ସେଥିରୁ ମୁଖ୍ୟ ବିବରଣୀ ହଟାଇ ଦେଇଥିଲେ କୁରେଶୀ । ଏହା ଦେଖି ପୀଡ଼ିତା ଭାଙ୍ଗିପଡ଼ିବା ସହ ନ୍ୟାୟ ଆଉ ମିଳିବ ନାହିଁ ବୋଲି ଭାବି ଘରେ ଫାଶୀ ଲଗାଇ ଜୀବନ ହାରିଥିଲେ । ଜୀବନ ହାରିବା ପରେ ବ୍ୟବଚ୍ଛେଦ ରିପୋର୍ଟରେ ପୀଡ଼ିତାଙ୍କ ବ୍ୟକ୍ତିଗତ ଅଙ୍ଗଳରେ କୌଣସି ପ୍ରକାର ଆଘାତ ଲାଗିନଥିବା ଦାବି କରାଯାଇଛି । ତେବେ ଏହି ଘଟଣା ସାମ୍ନାକୁ ଆସିବା ପରେ ପୁଲିସ ତିନି ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିବାବେଳେ ଏସଆଇ ନାସିର କୁରେଶୀ ଏତଲା ରଖିନଥିବାରୁ ତାଙ୍କୁ ନିଲମ୍ବିତ କରାଯାଇଛି । ଏହା ସହ ତାଙ୍କ ବିରୋଧରେ ତଦନ୍ତ ଆରମ୍ଭ କରାଯାଇଥିବା ଜଣାପଡ଼ିଛି ।










