ମୁମ୍ବାଇ: ବାବା ସିଦ୍ଦିକିଙ୍କ ହତ୍ୟା ପରେ ବଲିଉଡ୍ ଷ୍ଟାରଙ୍କୁ ଏବେ ବରାବର ହତ୍ୟା ଧମକ ମିଳିବାରେ ଲାଗିଛି। ସଲମାନ୍ ଖାନ୍ଙ୍କ ପରେ ଏବେ ବଲିଉଡ୍ର ଅନ୍ୟତମ ସୁପରଷ୍ଟାର ଶାହରୁଖ୍ ଖାନ୍ଙ୍କୁ ମଧ୍ୟ ଫୋନ୍ଯୋଗେ ହତ୍ୟା ଧମକ ଦିଆଯାଇଛି। ଏସମ୍ପର୍କରେ ଲିଖିତ ଅଭିଯୋଗ ହେବା ପରେ ମହାରାଷ୍ଟ୍ରର ବାନ୍ଦ୍ରା ପୁଲିସ୍ ଚଳଚଞ୍ଚଳ ହୋଇଉଠିଛି। ଆସିଥିବା ଅଜଣା ଫୋନ୍କଲ୍କୁ ଟ୍ରେସ୍ କରିବା ପୂର୍ବକ ମୁମ୍ବାଇ ପୁଲିସ୍ ଏବେ ଛତିଶଗଡ଼ ରାଜଧାନୀ ରାୟପୁରରେ ପହଞ୍ôଚଥିବା ସୂଚନା ମିଳିଛି। ପୁଲିସ୍ ସୂତ୍ରରୁ ମିଳିଥିବା ସୂଚନାନୁସାରେ ହତ୍ୟା ଧମକ ଦେଇଥିବା ଅଭିଯୁକ୍ତଜଣକର ନାମ ଫୈଜାନ୍ ଏବଂ ସେ ଶାହରୁଖ୍ଙ୍କୁ ୫୦ ଲକ୍ଷ ଟଙ୍କା ଦେବାକୁ କହିଥିଲା। ଏହି ପରିମାଣର ଅର୍ଥ ନଦେଲେ ସେ ତାଙ୍କୁ (ଶାହରୁଖ୍) ହତ୍ୟା କରାଯିବ ବୋଲି ଧମକ ମଧ୍ୟ ଦେଇଥିଲା। ତେବେ ପୁଲିସ୍ ଫୈଜାନ୍ର ଫୋନ୍ କଲ୍ ରେକର୍ଡ ବାହାର କରିବା ସହ ଲୋକେସନ୍କୁ ଟ୍ରେସ୍ କରିଥିବା ବେଳେ ତା’ର ଅନ୍ତିମ ଲୋକେସନ୍ ରାୟପୁର ରହିଥିବା ଜଣାପଡିଥିଲା। ବାନ୍ଦ୍ରା ପୁଲିସ ଷ୍ଟେସନରେ ଧାରା ୩୦୮(୪), ୩୫୧(୩)(୪) ଭାରତୀୟ ନ୍ୟାୟ ସଂହିତା (ବିଏନ୍ଏସ୍) ଆଧାରରେ ମାମଲା ରୁଜୁ କରାଯାଇଛି। ସଲମାନ୍ଙ୍କୁ ଶାହରୁଖ୍ ଭେଟିବା ପାଇଁ ଯାଇଥିବା କାରଣରୁ ତାଙ୍କୁ ଏପ୍ରକାର ଧମକ ମିଳିଥିବା ଅନୁମାନ କରାଯାଉଛି।
ପ୍ରକାଶ, ଏହା ଚଳିତ ସପ୍ତାହର ଦ୍ୱିତୀୟ ହାଇପ୍ରୋଫାଇଲ୍ ହତ୍ୟା ଧମକ। ଏହା ପୂର୍ବରୁ ଅର୍ଥାତ୍ ଗତ ସୋମବାର ମୁମ୍ବାଇ ପୁୂଲିସ୍କୁ ସଲମାନ୍ ଖାନ୍ଙ୍କ ଉଦ୍ଦେଶ୍ୟରେ ଏପ୍ରକାର ଏକ ହତ୍ୟା ଧମକ ମିଳିଥିଲା। ତେବେ ଧମକ ଦେଇଥିବା ଅଭିଯୁକ୍ତଜଣକ ଜେଲ୍ରେ ଥିବା ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇଙ୍କ ନାମରେ ଏହି ଧମକ ଦେଇଥିଲା। ସେ ସଲମାନଙ୍କୁ କ୍ଷମା ପ୍ରାର୍ଥନା କରିବା ସହ ୫ କୋଟି ଟଙ୍କା ଦେବାକୁ ମଧ୍ୟ ଦାବି କରିଥିଲା। ସେହିପରି ଏହାପୂର୍ବରୁ ସଲମାନଙ୍କ ଉଦ୍ଦେଶ୍ୟରେ ଆଉ ଏକ ଫୋନ୍ କଲ ଆସିଥିଲା ଯେଉଁଥିରେ ଫୋନ୍ କରିଥିବା ଅଭିଯୁକ୍ତ ସଲମାନଙ୍କ ଠାରୁ ୨ କୋଟି ଟଙ୍କା ଦାବି କରିଥିଲା। ତେବେ ଏହି ଦୁଇଟି ଯାକ ମାମଲାରେ ତଦନ୍ତ ଜାରି ରହିଛି।