ଚଣ୍ଡିଗଡ଼: ଜ୍ୟୋତି ମାଲହୋତ୍ରାଙ୍କ ପରେ ଜସବୀର ସିଂହ ନାମକ ଆଉ ଜଣେ ୟୁଟ୍ୟୁବରଙ୍କୁ ଭାରତ ସହ ବିଶ୍ୱାସଘାତକତା କରିବା ଅଭିଯୋଗରେ ଗିରଫ କରାଯାଇଛି । ସେ ପାକିସ୍ତାନ ପାଇଁ ଭାରତରେ ଗୁପ୍ତଚର କାର୍ଯ୍ୟ କରୁଥିବା ସନ୍ଦେହରେ ତାଙ୍କୁ ପଞ୍ଜାବର ରୂପନଗରରୁ ଗିରଫ କରାଯାଇଛି । ପ୍ରାଥମିକ ତଦନ୍ତରୁ ଜସବୀର ସିଂହଙ୍କର ଜ୍ୟୋତି ମାଲହୋତ୍ରାଙ୍କ ସହ ସମ୍ପର୍କ ଥିବା, ଜ୍ୟୋତିଙ୍କ ପରି ଜସବୀର ମଧ୍ୟ ପାକିସ୍ତାନୀ ଗୁଇନ୍ଦା ସଂସ୍ଥାର ଅନେକ ଅଧିକାରୀଙ୍କ ସହ ସଂସ୍ପର୍ଶରେ ରହିଥିବା ସୂଚନା ମିଳିଛି ।
ପଞ୍ଜାବ ପୁଲିସ୍ର ଡିଜିପିଙ୍କ ଅନୁଯାୟୀ, ଜସବୀର ସିଂହଙ୍କର ଅନେକ ଭାରତୀୟ ବଂଶୋଦ୍ଭବ ବ୍ୟକ୍ତି (ପିଆଇଓ)ଙ୍କ ସହିତ ସମ୍ପର୍କ ଥିଲା, ଯେଉଁମାନେ ପାକିସ୍ତାନୀ ହ୍ୟାଣ୍ଡଲରଙ୍କ ପାଇଁ କାମ କରୁଥିବାର ପ୍ରମାଣ ମିଳିଛି । ଜସବୀର ୨୦୨୦ ମସିହାରେ ପ୍ରଥମ ଥର ପାଇଁ ପାକିସ୍ତାନ ଯାଇଥିଲେ । ଏହା ପରେ ସେ ୨୦୨୧ ଏବଂ ୨୦୨୪ ମସିହାରେ ମଧ୍ୟ ପାକିସ୍ତାନ ଯାତ୍ରା କରିଥିଲେ । ଏତଦ୍ବ୍ୟତୀତ ଜସବୀରଙ୍କ ମୋବାଇଲ୍, ଲାପଟପ୍ ତଥା ଅନ୍ୟାନ୍ୟ ଇଲେକ୍ଟ୍ରୋନିକ ଡିଭାଇସରୁ ମଧ୍ୟ ଅନେକ ପାକିସ୍ତାନୀ ଫୋନ୍ ନମ୍ବର ମିଳିଛି । ଏଥିରେ ଭାରତରୁ ବିତାଡିତ ହୋଇଥିବା ପାକ୍ ଦୂତାବାସ ଅଧିକାରୀ ଏହସାନ-ଉର-ରହିମ ଓରଫ୍ ଡାନିସ୍ଙ୍କ ମୋବାଇଲ୍ ନଂ ମଧ୍ୟ ସାମିଲ ଅଛି ।
ଡାନିଶଙ୍କ ନିମନ୍ତ୍ରଣରେ ଦିଲ୍ଲୀରେ ପାକିସ୍ତାନୀ ଦୂତାବାସରେ ଅନୁଷ୍ଠିତ ପାକିସ୍ତାନ ଜାତୀୟ ଦିବସ କାର୍ଯ୍ୟକ୍ରମରେ ମଧ୍ୟ ଜସବୀର ସିଂହ ଯୋଗ ଦେଇଥିଲେ । ଏତଦ୍ବ୍ୟତୀତ ଜସବୀର ସିଂହଙ୍କ ଉପରେ ପାକିସ୍ତାନୀ ଗୁପ୍ତଚର ଏଜେଣ୍ଟ ଶାକିର ଓରଫ ଜଟ୍ଟ ରନ୍ଧାୱାଙ୍କ ସହ ସମ୍ପର୍କ ରଖିବାର ଅଭିଯୋଗ ରହିଛି । ଗତ ମେ ମାସରେ ଜ୍ୟୋତି ମାଲହୋତ୍ରାଙ୍କୁ ଗିରଫ କରିବା ସମୟରେ ଜସବୀର ପିଆଇଓଙ୍କ ସହିତ ତାଙ୍କର ସମସ୍ତ ଯୋଗାଯୋଗ ବିଷୟବସ୍ତୁ ଏବଂ ପ୍ରମାଣକୁ ମଧ୍ୟ ହଟାଇ ଦେବାକୁ ଚେଷ୍ଟା କରିଥିଲେ । ପ୍ରକାଶ, ଜସବୀର ସିଂହ ‘ଜାନ ମହଲ’ ନାମକ ଏକ ୟୁଟ୍ୟୁବ ଚ୍ୟାନେଲ ଚଲାନ୍ତି । ତାଙ୍କର ଏଥିରେ ୧୧ ଲକ୍ଷରୁ ଅଧିକ ସବସ୍କ୍ରାଇବର୍ସ ଅଛନ୍ତି ।










