ଭୁବନେଶ୍ୱର: ସୁଲଭ ବାସଗୃହ ଏବଂ ସହରୀ ବିକାଶ କ୍ଷେତ୍ରରେ ନୂତନ ଜ୍ଞାନକୌଶଳ ଓ ବିଶ୍ୱସ୍ତରୀୟ ଶ୍ରେଷ୍ଠ ପ୍ରୟୋଗର ବ୍ୟବହାର ତଥା ଅଭିଜ୍ଞତା ହାସଲ ପାଇଁ ଗୃହନିର୍ମାଣ ଓ ନଗର ଉନ୍ନୟନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଉଷା ପାଢ଼ୀ ଚେନ୍ନାଇ ଗସ୍ତ କରିଛନ୍ତି। ବିଶ୍ୱ ବ୍ୟାଙ୍କ ଏବଂ ଏସିୟାନ ଡେଭେଲପମେଣ୍ଟ ବ୍ୟାଙ୍କ ସହାୟତାରେ ପରିଚାଳିତ ସୁଲଭ ବାସଗୃହ ଏବଂ ସହରୀ ଆବାସ ପ୍ରକଳ୍ପଗୁଡ଼ିକର ଅନୁଧ୍ୟାନ କରିବା ଏହି ଗସ୍ତର ମୁଖ୍ୟ ଉଦ୍ଦେଶ୍ୟ ଥିଲା। ତାମିଲନାଡୁରେ କାର୍ଯ୍ୟକାରୀ ହେଉଥିବା ସୁଲଭ ବାସଗୃହ ପ୍ରଦାନର ସଫଳ ମଡେଲ, ସଂସ୍ଥାଗୁଡ଼ିକର ସୁଦୃଢ଼ିକରଣ, ଅଭିନବ ଆର୍ôଥକ ରୂପରେଖ ଏବଂ ସ୍ଥାୟୀ ସହରୀ ଆବାସିକ ବିକାଶକୁ ବୁଝିବା ଉପରେ ଏହି ଗସ୍ତରେ ପ୍ରାଧାନ୍ୟ ଦିଆଯାଇଥିଲା। ଏହି ଗସ୍ତ ସମୟରେ ଶ୍ରୀମତୀ ପାଢ଼ୀ ଏବଂ ଓଡ଼ିଶା ଅର୍ବାନ ହାଉସିଂର ଅଧିକାରୀମାନେ ତାମିଲନାଡୁ ଅର୍ବାନ ହାବିଟାଟ୍ ଡେଭଲପମେଣ୍ଟ ବୋର୍ଡ ଏବଂ ଚେନ୍ନାଇ ମେଟ୍ରୋପଲିଟାନ ଡେଭଲପମେଣ୍ଟ ଅଥରିଟିର ବରିଷ୍ଠ ଅଧିକାରୀମାନଙ୍କ ସହ ନୀତିଗତ ରୂପରେଖ, ପ୍ରକଳ୍ପ ପରିଚାଳନା ଏବଂ କାର୍ଯ୍ୟାନ୍ୱୟନ କୌଶଳ ବିଷୟରେ ବିସ୍ତୃତ ଆଲୋଚନା କରିଥିଲେ। ପ୍ରତିନିଧି ଦଳକୁ ବିଶ୍ୱ ବ୍ୟାଙ୍କ ସହାୟତାରେ ପ୍ରାୟ ୨୦୦ ମିଲିୟନ୍ ଡଲାର ବ୍ୟୟରେ ପରିଚାଳିତ ‘ହାଉସିଂ ଆଣ୍ଡ ହାବିଟାଟ୍ ଡେଭଲପମେଣ୍ଟ ପ୍ରୋଜେକ୍ଟ’ ବିଷୟରେ ସୂଚନା ଦିଆଯାଇଥିଲା। ଏହି ପ୍ରକଳ୍ପ ସଂସ୍ଥାଗୁଡ଼ିକୁ ମଜବୁତ କରିବା ଏବଂ ‘ତାମିଲନାଡୁ ସେଲ୍ଟର ଫଣ୍ଡ’ ମାଧ୍ୟମରେ ସୁଲଭ ବାସଗୃହର ସୁବିଧା ବୃଦ୍ଧି କରିବା ଉପରେ ଗୁରୁତ୍ୱ ଦେଉଛି। ଏହା ଆର୍ôଥକ ଅନଗ୍ରସର ଶ୍ରେଣୀଙ୍କ ପାଇଁ ବେସରକାରୀ ପୁଞ୍ଜି ବିନିଯୋଗ ଏବଂ ସ୍ଥାୟୀ ବାସଗୃହ ସମାଧାନ ପାଇଁ ଏକ ସାମାଜିକ ପାଣ୍ଠି ମଡେଲ ଭାବେ କାର୍ଯ୍ୟ କରୁଛି। ଏହି ଗସ୍ତରେ ଏଡିବି ସହାୟତାରେ ପ୍ରାୟ ୧୫୦ ମିଲିୟନ ଡଲାର ବିନିଯୋଗରେ ଚାଲୁଥିବା ଅନ୍ୟ ଏକ ପ୍ରକଳ୍ପ ବିଷୟରେ ମଧ୍ୟ ଆଲୋଚନା ହୋଇଥିଲା, ଯାହାର ଲକ୍ଷ୍ୟ ହେଉଛି ପ୍ରାୟ ୬,୦୦୦ ବାସଗୃହ ନିର୍ମାଣ କରିବା।
ଏହି ଯୋଜନାରେ ବିପଦପୂର୍ଣ୍ଣ ଅଞ୍ଚଳରୁ ପରିବାରମାନଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବା, ବିଜୁଳି-ଦକ୍ଷ ଗୃହ ନିର୍ମାଣ, ବର୍ଜ୍ୟବସ୍ତୁ ପରିଚାଳନା ଏବଂ ସ୍କୁଲ ଓ ସ୍ୱାସ୍ଥ୍ୟ କେନ୍ଦ୍ର ଭଳି ସାମାଜିକ ସୁବିଧା ସୃଷ୍ଟି କରିବା ଉପରେ ଗୁରୁତ୍ୱ ଦିଆଯାଉଛି। ପରେ ଶ୍ରୀମତୀ ପାଢ଼ୀ ଆଇଆଇଟି ମାଡ୍ରାସ ପରିଦର୍ଶନ କରି “ପ୍ରଯୁକ୍ତିବିଦ୍ୟା, ନୀତି ଏବଂ ଜନସେବାର ସମନ୍ୱୟ” ଶୀର୍ଷକ ଏକ ବକ୍ତୃତା ପ୍ରଦାନ କରିଥିଲେ। ସେଠାରେ ଛାତ୍ରଛାତ୍ରୀମାନଙ୍କୁ ସମ୍ବୋଧିତ କରି ସେ ସହରୀ ଗୃହ ସମସ୍ୟା, ସ୍ୱଚ୍ଛତା ଏବଂ ଜନସଂଖ୍ୟା ବୃଦ୍ଧି ଭଳି ଆହ୍ୱାନର ସମାଧାନ ପାଇଁ ଡାଟା-ଭିତ୍ତିକ ପ୍ରଶାସନ, କୃତ୍ରିମ ବୁଦ୍ଧିମତା ର ପ୍ରୟୋଗ ଏବଂ ନୈତିକ ନେତୃତ୍ୱର ଆବଶ୍ୟକତା ବିଷୟରେ ଆଲୋକପାତ କରିଥିଲେ। ଉପସ୍ଥିତ ଛାତ୍ରଛାତ୍ରୀଙ୍କୁ ଜନସେବା ଓ ସିଭିଲ୍ ସର୍ଭିସ କ୍ଷେତ୍ରରେ କ୍ୟାରିୟର ଗଢ଼ିବାକୁ ଉତ୍ସାହିତ କରି ସେ କହିଥିଲେ ଯେ, ଆଧୁନିକ ପ୍ରଶାସନରେ ବୈଷୟିକ ଦକ୍ଷତା ସହିତ ମାନବିକତା, ନୈତିକତା ଏବଂ ଭାବନାତ୍ମକ ବୁଦ୍ଧିମତା ମଧ୍ୟ ସମାନ ଭାବରେ ଗୁରୁତ୍ୱପୂର୍ଣ୍ଣ। ଏହି କାର୍ଯ୍ୟକ୍ରମଟି ଏକ ପ୍ରଶ୍ନୋତ୍ତର ଅଧିବେଶନ ଏବଂ ସିଭିଲ୍ ସର୍ଭିସ ପରୀକ୍ଷା ପ୍ରସ୍ତୁତି ନେଇ ମାର୍ଗଦର୍ଶନ ସହିତ ଶେଷ ହୋଇଥିଲା। ତାମିଲନାଡୁର ଏହି ଅଭିଜ୍ଞତା ଏବଂ ଆଲୋଚନା ଆଗାମୀ ଦିନରେ ସମାବେଶୀ ଏବଂ ସ୍ଥାୟୀ ସହରୀ ବିକାଶ ଯୋଜନା ପ୍ରସ୍ତୁତ କରିବାରେ ବିଶେଷ ସହାୟକ ହେବ ବୋଲି ଶ୍ରୀମତୀ ପାଢ଼ୀ ମତ ବ୍ୟକ୍ତ କରିଛନ୍ତି।










