ଭୁବନେଶ୍ୱର: ଓଡ଼ିଶା ସରକାର ପୁଣି ଥରେ ଏକ ‘ପପୁଲିଷ୍ଟ ଅତିରିକ୍ତ ବଜେଟ୍’ ଆଣିଛନ୍ତି। ଏହାର ପରିମାଣ ରହିଛି ୧୭,୪୪୦ କୋଟି ଟଙ୍କା। ସରକାର ଏହାକୁ ସମତୁଲ ଓ ଜନକଲ୍ୟାଣକାରୀ ଅତିରିକ୍ତ ବଜେଟ୍ ଭାବେ ଅବହିତ କରିଛନ୍ତି। ଫୋକସ୍ରେ ରହିଛି କୃଷି, ସାମାଜିକ କ୍ଷେତ୍ର ଓ ଗାଁ ବିକାଶ। ଏଥିସହ ଶିକ୍ଷା, ସ୍ୱାସ୍ଥ୍ୟ ଓ ମହିଳା ସଶକ୍ତିକରଣ କ୍ଷେତ୍ର ପ୍ରତି ବି ଅଧିକ ବ୍ୟୟବରାଦ ହୋଇଛି। ଶୁକ୍ରବାର ବିଧାନସଭାରେ ଅର୍ଥମନ୍ତ୍ରୀ ଦାୟିତ୍ୱରେ ଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ଅନ୍ତଃରୀଣ ବଜେଟ୍ ଉପସ୍ଥାପନା କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଏକ ଜନମଙ୍ଗଳ ରାଷ୍ଟ୍ରରେ ସମ୍ବଳର ଉପଲବ୍ଧତା ଏବଂ ଜନସାଧାରଣଙ୍କ ଆଶା ଓ ଆକାଂକ୍ଷାକୁ ଆଖି ଆଗରେ ର୍ଖି ଉପଲବ୍ଧ ସମ୍ବଳର ପୁନଃବିନିଯୋଗ ତଥା ବିଭିନ୍ନ ସୂତ୍ରରୁ ସହବନ୍ଧିତ ସମ୍ବଳର ପ୍ରାପ୍ତି ମାଧ୍ୟମରେ ଅତିରିକ୍ତ ବଜେଟ୍ ପାଇଁ ବ୍ୟୟବରାଦ କରାଯାଇଛି। ରାଜ୍ୟ ସରକାରଙ୍କ ଅଧୀନରେ ଚାଲୁ ରହିଥିବା ବିଭିନ୍ନ ପ୍ରକଳ୍ପଗୁଡ଼ିକୁ ସମ୍ପୂର୍ଣ୍ଣ କରିବା ନିମନ୍ତେ ଅତିରିକ୍ତ ପାଣ୍ଠିର ଆବଶ୍ୟକତା ରହିଛି। ପ୍ରଚଳିତ ରହିଥିବା କେନ୍ଦ୍ର ଯୋଜନା ଓ କେନ୍ଦ୍ର ପ୍ରବର୍ତ୍ତିତ ଯୋଜନା ଏବଂ ଭାରତ ସରକାରଙ୍କ ଦ୍ୱାରା ଘୋଷିତ ନୂତନ କେନ୍ଦ୍ର ପ୍ରବର୍ତ୍ତିତ ଯୋଜନା ନିମନ୍ତେ ଅତିରିକ୍ତ ବ୍ୟୟବରାଦ କରାଯାଇଛି। ଓଡ଼ିଶା ଆକସ୍ମିକ ପାଣ୍ଠିରୁ ନିଆଯାଇଥିବା ଅଗ୍ରୀମ ଅର୍ଥର ଭରଣା ତଥା ବିଭିନ୍ନ ଦାବି ଅନ୍ତର୍ଗତ ହିସାବ ବ୍ୟବସ୍ଥାପନା କରିବା ଉପରେ ବି ଅତିରିକ୍ତ ବଜେଟ୍ରେ ଗୁରୁତ୍ୱ ଦିଆଯାଇଛି।
ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଅତିରିକ୍ତ ବ୍ୟୟ ବିବରଣ, ୨୦୨୫-୨୬ରେ ରାଜ୍ୟ ଅର୍ଥ କମିଶନଙ୍କ ସୁପାରିଶ ଅନୁଯାୟୀ ପଞ୍ଚାୟତିରାଜ ସଂସ୍ଥାଗୁଡ଼ିକୁ ୧୬୪ କୋଟି ଟଙ୍କା ହସ୍ତାନ୍ତର ପାଇଁ ପ୍ରସ୍ତାବ ରହିଛି। ରାଜ୍ୟ ସରକାର କୃଷକ କଲ୍ୟାଣ ଓ ଖାଦ୍ୟ ନିରାପତ୍ତା ଉପରେ ଅଧିକ ଗୁରୁତ୍ୱ ଦେଇଛନ୍ତି। ସାଧାରଣ ବଣ୍ଟନ ବ୍ୟବସ୍ଥା ଅଧୀନରେ ଧାନ କ୍ରୟ ପାଇଁ ରିଭଲଭିଂ ପାଣ୍ଠି ପାଇଁ ୩୦୦୦ କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି। ସାଧାରଣ ବଣ୍ଟନ ବ୍ୟବସ୍ଥାରେ ରିହାତି ପାଇଁ ୧୩୨୫ କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି। ସମୃଦ୍ଧ କୃଷକ ଯୋଜନା ଅଧୀନରେ ଚାଷୀମାନଙ୍କୁ ସର୍ବନିମ୍ନ ସହାୟକ ମୂଲ୍ୟ ଏବଂ ଇନପୁଟ୍ ସହାୟତା ପାଇଁ ୮୫୦ କୋଟି ଟଙ୍କା ବ୍ୟବସ୍ଥା କରାଯାଇଛି। ପ୍ରାଣୀ ସମ୍ପଦ ସମୃଦ୍ଧି ଯୋଜନା ପାଇଁ ବ୍ୟୟବରାଦ କରାଯାଇଛି। କୁକୁଡ଼ା ପାଳନ ବିକାଶ ପାଇଁ ୧୩୭ କୋଟି ଟଙ୍କାର ବ୍ୟବସ୍ଥା ହୋଇଛି। ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା ପାଇଁ ବ୍ୟୟବରାଦ କରାଯାଇଛି। ଗୋପାଳନ ପାଇଁ ୯୧ କୋଟି ଟଙ୍କା ବରାଦ ସହ ମୁଖ୍ୟମନ୍ତ୍ରୀ ମତ୍ସ୍ୟଜୀବୀ କଲ୍ୟାଣ ଯୋଜନା ପାଇଁ ୧୧୭ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି। ଜଳ ନିଅଣ୍ଟ ଥିବା ଅଞ୍ଚଳରେ ଭୂତଳ ଜଳର ସହନୀୟ ଉତ୍ତୋଳନ ପାଇଁ ୧୦୦ କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି। ଚାଷୀଙ୍କୁ ଋଣ ସୁଧ ଛାଡ଼ ପାଇଁ ସମବାୟ ବ୍ୟାଙ୍କ ଓ ପ୍ୟାକ୍ସ ପାଇଁ ୩୦୦ କୋଟି ଟଙ୍କା ଏବଂ ସମବାୟ ସଂସ୍ଥାଗୁଡ଼ିକର ଭିତ୍ତିଭୂମି ବିକାଶ ପାଇଁ ୯୬ କୋଟି ଟଙ୍କାର ବ୍ୟୟବରାଦ ହୋଇଛି।
ସ୍ୱାସ୍ଥ୍ୟ ସେବା ଓ ସାମାଜିକ କ୍ଷେତ୍ରରେ ବିକାଶ ଉପରେ ଫୋକସ୍ ଦିଆଯାଇଛି। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଜାତୀୟ ସ୍ୱାସ୍ଥ୍ୟ ମିଶନ ପାଇଁ ୯୯୪ କୋଟି ଟଙ୍କା ପ୍ରଦାନ କରାଯାଇଛି। କଟକ ମେଡିକାଲ୍ କଲେଜରେ ନୂଆ ସ୍ନାତକୋତ୍ତର ପାଠ୍ୟକ୍ରମ ଆରମ୍ଭ କରିବା ପାଇଁ ଆବଶ୍ୟକୀୟ ଉନ୍ନତିକରଣ ନିମନ୍ତେ ୫୦ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ଅଧୀନରେ ସୁଲଭ ତୃତୀୟକ ସ୍ୱାସ୍ଥ୍ୟ ସେବା ଉପଲବ୍ଧ କରିବା ପାଇଁ ୪୦ କୋଟି ଟଙ୍କା ଆବଣ୍ଟନ କରାଯାଇଛି। ଯକ୍ଷ୍ମା ନିୟନ୍ତ୍ରଣ କାର୍ଯ୍ୟକ୍ରମ ପାଇଁ ୧୩ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ସେହିପରି ଜାତୀୟ ଗ୍ରାମୀଣ ଜୀବିକା ମିଶନ ପାଇଁ ୪୨୬ କୋଟି, ରାସ୍ତା ଓ ସେତୁ ରକ୍ଷଣାବେକ୍ଷଣ ପାଇଁ ୨୫୦ କୋଟି, ଗ୍ରାମୀଣ ପାଇପ ଜଳ ଯୋଗାଣ ପ୍ରକଳ୍ପ ପାଇଁ ୧୧୬ କୋଟି ଓ ଜାତୀୟ ବିପର୍ଯ୍ୟୟ ବିପଦ ପ୍ରଶମନ ପାଣ୍ଠି ୧୭୧ କୋଟି ବ୍ୟୟବରାଦ କରାଯାଇଛି।
ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ବାମପନ୍ଥୀ ଉଗ୍ରବାଦ ପ୍ରଭାବିତ କ୍ଷେତ୍ରରେ ସଡ଼କ ପୁନଃନିର୍ମାଣ ଯୋଜନା ପାଇଁ ୨୮ କୋଟି ଟଙ୍କା ଆବଣ୍ଟନ କରାଯାଇଛି । ଓସ୍ୱାନର ହରିଜଣ୍ଟାଲ୍ କନେକ୍ଟଭିଟି ପାଇଁ ୭୧ କୋଟି ଟଙ୍କା ଆବଣ୍ଟନ କରାଯାଇଛି। ଭାରତ ନେଟ ପ୍ରକଳ୍ପ ପାଇଁ ୨୨ କୋଟି ଟଙ୍କା ପ୍ରଦାନ କରାଯାଇଛି। ପୁରୀରେ ‘ସବ୍ମେରାଇନ୍ କେବୁଲ୍ ଲ୍ୟାଣ୍ଡିଂ ଷ୍ଟେସନ୍ ପାଇଁ ୪ କୋଟି ଟଙ୍କା ପ୍ରଦାନ କରାଯାଇଛି। ସେହିପରି ସଂସ୍କୃତି ଓ ପର୍ଯ୍ୟଟନ ପାଇଁ ପ୍ରୋତ୍ସାହନ ଦିଆଯାଇଛି। ବରପୁତ୍ର ଐତିହ୍ୟ ଗ୍ରାମ ଯୋଜନା ଅଧୀନରେ ୧୦୦ କୋଟି ଟଙ୍କା ଏବଂ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ ପାଇଁ ସଂସ୍କୃତି ନିର୍ଦ୍ଦେଶାଳୟକୁ ୩୦ କୋଟି ଟଙ୍କା ଆବଣ୍ଟନ କରାଯାଇଛି। କଳାମଣ୍ଡଳ ପ୍ରତିଷ୍ଠାନ ପାଇଁ ୨୦ କୋଟି ଟଙ୍କା, କଳା, ସଂସ୍କୃତି ଓ ଐତିହ୍ୟର ପ୍ରୋତ୍ସାହନ ପାଇଁ ସାଂସ୍କୃତିକ ଅନୁଷ୍ଠାନଗୁଡ଼ିକୁ ୬୦ କୋଟି ଟଙ୍କାର ଅନୁଦାନ ପ୍ରସ୍ତାବ, ରବୀନ୍ଦ୍ର ମଣ୍ଡପ ଓ କଳା ମଣ୍ଡପର ନବୀକରଣ ପାଇଁ ୧୦ କୋଟି ଟଙ୍କା ଏବଂ ରାଜ୍ୟ ସଂଗ୍ରହାଳୟ ଓ ଗବେଷଣା ପାଇଁ କୋଟି ଟଙ୍କା ଆବଣ୍ଟନ କରାଯାଇଛି। ପର୍ଯ୍ୟଟନ ସୂଚନା ଏବଂ ପ୍ରଚାର ପାଇଁ ୫୦ ଟଙ୍କା ବ୍ୟବସ୍ଥା କରାଯାଇଛି। ପର୍ଯ୍ୟଟନର ଉନ୍ନତିକରଣ ଏବଂ ନବୀକରଣ ପାଇଁ ୨୩ କୋଟି ଟଙ୍କା ପ୍ରଦାନ କରାଯାଇଛି।
ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଏଫ୍ଆରବିଏମ୍ ଆକ୍ଟର ଅନୁପାଳନ କରାଯାଇଛି। ସଞ୍ଚୟ କିମ୍ବା ସମର୍ପଣ ଆକାରରେ ଅତିରିକ୍ତ ସମ୍ୱଳ ବ୍ୟବସ୍ଥା କରାଯାଇଛି। ଏହି ଅତିରିକ୍ତ ବଜେଟ୍ ସହିତ ରାଜସ୍ୱ ବଳକା ସ୍ଥିତି ବଜାୟ ରହିବା ସହ ବିତ୍ତୀୟ ନିଅଣ୍ଟକୁ ଏଫ୍ଆର୍ବିଏମ୍ର ୩% ମଧ୍ୟରେ ସୀମିତ ରହିବ ଏବଂ ବର୍ଷ ଶେଷରେ ଋଣ-ଜିଏସ୍ଡିପିର ଅନୁପାତକୁ ୨୫% ମଧ୍ୟରେ ବଜାୟ ରହିବା ପାଇଁ ଆକଳନ କରାଯାଇଛି। ଅକ୍ଟୋବର ୨୦୨୫ ପର୍ଯ୍ୟନ୍ତ ଋଣ-ଜିଏସ୍ଡିପିର ଅନୁପାତ ୧୧.୯% ଏବଂ ସୁଧ ଦେୟ-ରାଜସ୍ୱ ପ୍ରାପ୍ତିର ଅନୁପାତ ୨.୨% ରହିଛି। ଅତିରିକ୍ତ ବ୍ୟବସ୍ଥା ସହିତ ୨୦୨୫-୨୬ ଆର୍ôଥକ ବର୍ଷ ପାଇଁ ପୁଞ୍ଜି ବ୍ୟୟବରାଦ ଜିଏସ୍ଡିପିର ୬ ପ୍ରତିଶତରୁ ଅଧିକ ହେବ। ଏହା ଅର୍ଥନୈତିକ ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବାରେ ସହାୟକ ହେବ ଏବଂ ଏଥିସହିତ ରାଜ୍ୟ ବିଭିନ୍ନ ବିକାଶମୂଳକ ଏବଂ କଲ୍ୟାଣମୂଳକ କାର୍ଯ୍ୟକ୍ରମକୁ ଆଗକୁ ନେବାରେ ସକ୍ଷମ ହେବ ବୋଲି ମୁଖ୍ୟମନ୍ତ୍ରୀ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। ଅତିରିକ୍ତ ବଜେଟ୍ ଆଗତ ପରେ ବାଚସ୍ପତି ସୁରମା ପାଢ଼ୀ ଶନିବାର ସାଢ଼େ ଦଶ ପର୍ଯ୍ୟନ୍ତ ଗୃହକୁ ମୁଲତବି କରିଥିଲେ।
କେଉଁ ପ୍ରମୁଖ କ୍ଷେତ୍ରକୁ କେତେ
– କୃଷି ଓ ଆନୁସଙ୍ଗିକ କ୍ଷେତ୍ର- ୧୬୭୩ କୋଟି
– ସ୍ୱାସ୍ଥ୍ୟ କ୍ଷେତ୍ର ପାଇଁ ସମୁଦାୟ ୧୧୬୪ କୋଟି
– ଶିକ୍ଷା କ୍ଷେତ୍ରକୁ ସମୁଦାୟ ୨୩୨୭ କୋଟି
– ଅନୁସୂଚିତ ଜାତି, ଜନଜାତି, ଓବିସି, ସଂଖ୍ୟାଲଘୁଙ୍କ ବିକାଶ ପାଇଁ ୫୩୧ କାଟି
– ଜଙ୍ଗଲ, ପରିବେଶ, ଜଳବାୟୁ ପରିବର୍ତ୍ତନ ପାଇଁ ୫୭୬ କୋଟି
– ବୃକ୍ଷରୋପଣ କ୍ଷତିପୂରଣ ପାଣ୍ଠି ପାଇଁ ୨୪୨ କୋଟି
– ଭିତ୍ତିଭୂମି ବିକାଶ ପାଇଁ ୧୯୫୫ କୋଟି
– ସହରୀ ବିକାଶ ପାଇଁ ୩୦୩ କୋଟି
– ଖାଦ୍ୟ ଯୋଗାଣ, ଗ୍ରାହକ କଲ୍ୟାଣ ପାଇଁ ୪୩୨୯ କୋଟି
– ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ପାଇଁ ୧୯୫୫ କୋଟି
– ପଞ୍ଚାୟତିରାଜ ଓ ଗ୍ରାମ୍ୟ ଉନ୍ନୟନ ପାଇଁ ୬୧୬ କୋଟି
– ମିହିଳା ଓ ଶିଶୁ ବିକାଶ ପାଇଁ ୩୦୩ କୋଟି
– ସୁଭଦ୍ରା ଯୋଜନା ପାଇଁ ୨୯୫ କୋଟି
– ଶିଳ୍ପ, ଏମଏସ୍ଏସ୍ଇ ବିକାଶ ପାଇଁ ୩୩୭ କୋଟି
– ଓଡ଼ିଆ ଭାଷା, ସଂସ୍କୃତି, ହସ୍ତତନ୍ତ ବୟନଶିଳ୍ପ ପାଇଁ ୩୬୩ କୋଟି
– ବରପୁତ୍ର ଐତିହ୍ୟ ଗ୍ରାମ ଯୋଜନା ଅଧୀନରେ ୧୦୦ କୋଟି
– ଆଭ୍ୟନ୍ତରୀଣ ସୁରକ୍ଷା, ଆଇନ ପାଇଁ ୩୧୬ କୋଟି
– ପୁରୀରେ ‘ସବମେରାଇନ୍ କେବୁଲ୍ ଲ୍ୟାଣ୍ଡିଂ ଷ୍ଟେସନ୍ ପାଇଁ ୪ କୋଟି










