21.1 C
Bhubaneswar
Sunday, December 7, 2025
Homeଓଡିଶାଡିପିଆର ତ୍ରୁଟିରୁ ଦୁର୍ଘଟଣା; ସଡ଼କରେ ବର୍ଷକୁ ଯାଉଛି ୧ ଲକ୍ଷ ୮୦ ହଜାର ଜୀବନ :...

ଡିପିଆର ତ୍ରୁଟିରୁ ଦୁର୍ଘଟଣା; ସଡ଼କରେ ବର୍ଷକୁ ଯାଉଛି ୧ ଲକ୍ଷ ୮୦ ହଜାର ଜୀବନ : ଗଡ଼କରୀ

ଭୁବନେଶ୍ୱର: ଦେଶରେ କ୍ୟାନ୍ସର ପରେ ସର୍ବାଧିକ ମୃତ୍ୟୁ ସଡ଼କ ଦୁର୍ଘଟଣାରେ ହେଉଛି । ସଡ଼କ ଦୁର୍ଘଟଣା କାରଣରୁ ବର୍ଷକୁ ଦେଶର ୧ ଲକ୍ଷ ୮୦ ହଜାର ଲୋକଙ୍କ ପ୍ରାଣହାନି ହେଉଛି । ଡିପିଆରରେ ତ୍ରୁଟି କାରଣରୁ ଅନେକ ଦୁର୍ଘଟଣା ହେଉଛି । ଏହା କହିଛନ୍ତି କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀ । ଏଥିରେ ସୁଧାର ଆଣିବା ଲାଗି ଇଞ୍ଜିନିୟରଙ୍କୁ କେନ୍ଦ୍ରମନ୍ତ୍ରୀ ଅନୁରୋଧ କରିଛନ୍ତି । ଭୁବନେଶ୍ୱର ଜନତା ମଇଦାନରେ ଆଜିଠୁ ଆରମ୍ଭ ହୋଇଛି ଇଣ୍ଡିଆନ ରୋଡ୍ସ କଂଗ୍ରେସ । କାର୍ଯ୍ୟକ୍ରମକୁ ଉଦଘାଟନ କରି କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତୀନ ଗଡ଼କରୀ କହିଛନ୍ତି, “ସଡ଼କ ଦୁର୍ଘଟଣାରୁ ବର୍ଷକୁ ଦେଶରେ ୧ ଲକ୍ଷ ୮୦ ହଜାର ଲୋକଙ୍କ ଜୀବନ ଯାଉଛି । ଡିପିଆରରେ ତ୍ରୁଟି କାରଣରୁ ଅନେକ ଦୁର୍ଘଟଣା ହେଉଛି । ଏଥିରେ ସୁଧାର ଆଣିବା ଲାଗି ଇଞ୍ଜିନିୟର ଏବଂ ଅନ୍ୟ ପେସାଦାରଙ୍କୁ କେନ୍ଦ୍ରମନ୍ତ୍ରୀ ଅନୁରୋଧ କରିଛନ୍ତି । ସଡ଼କ ସୁରକ୍ଷା ପାଇଁ ସ୍ୱତନ୍ତ୍ର ବଜେଟ ପ୍ରସ୍ତୁତ କରାଯାଉଛି । ସଡ଼କ ଦୁର୍ଘଟଣାରେ ଆହତଙ୍କ ଜୀବନ ରକ୍ଷା କରୁଥିବା ସ୍ୱେଚ୍ଛାସେବୀଙ୍କୁ ପୋଲିସ ଜେରା କରିପାରିବ ନାହିଁ । ଏଥିପାଇଁ କେନ୍ଦ୍ର ସରକାର ଆଇନ ଆଣିଛନ୍ତି । କେନ୍ଦ୍ରମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି, “ଦେଶରେ ଉନ୍ନତ ସଡ଼କ ନିର୍ମାଣ କାରଣରୁ ଆର୍ଥିକ ବିକାଶ ତ୍ୱରାନ୍ୱିତ ହୋଇଛି । ଉପାନ୍ତ ଏବଂ ଆଦିବାସୀ ଅଞ୍ଚଳରେ ମଧ୍ୟ ଭଲ ରାସ୍ତା ନିର୍ମିତ ହୋଇଛି । ଭଲ ସଡ଼କ ନିର୍ମାଣ କାରଣରୁ ଦେଶରେ ଲଜିଷ୍ଟିକ୍ସ ଖର୍ଚ୍ଚ ୧୬ ପ୍ରତିଶତରୁ ୧୧ ପ୍ରତିଶତକୁ ହ୍ରାସ ପାଇଥିବା ପ୍ରତିଷ୍ଠିତ ଆଇଆଇଟିଗୁଡ଼ିକର ଅଧ୍ୟୟନ ରିପୋର୍ଟରୁ ଜଣାପଡ଼ିଛି ।

ସଡ଼କ ଭିତ୍ତିଭୂମି ଦେଶର ଶିଳ୍ପ, ରପ୍ତାନି, ବ୍ୟବସାୟ ବାଣିଜ୍ୟକୁ ଗତିଶୀଳ କରିବ । ଏହା ଲୋକଙ୍କ ପାଇଁ ଅଧିକ ରୋଜଗାର ସୃଷ୍ଟି କରିବ । ଟେକ୍ନୋଲୋଜି ବ୍ୟବହାର କରି ଉତ୍ତମ ମାନର ସଡକ ନିର୍ମାଣ ପାଇଁ ପ୍ରୟାସ କରୁଛୁ । ଏଥିପାଇଁ ବିଶ୍ୱସ୍ତରୀୟ DPR ପ୍ରସ୍ତୁତି କରିବା ଆବଶ୍ୟକତା ରହିଛି । ନିଜ ନିଜ ଭିତରେ Best Practices, Research & Innovation କୁ ବିନିମୟ କରି ଭାରତର ନିର୍ମାଣ ବ୍ୟବସ୍ଥାକୁ ଆହୁରି ସୁଦୃଢ କରିବାକୁ ସେ ପରାମର୍ଶ ଦେଇଛନ୍ତି । କେନ୍ଦ୍ରମନ୍ତ୍ରୀ ଏହା ମଧ୍ୟ କହିଛନ୍ତି, “ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଦେଶ ସଡ଼କ ନିର୍ମାଣରେ ଐତିହାସିକ ପ୍ରଗତି ହାସଲ କରିଛି । ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟ ବର୍ତ୍ତମାନ ସୁଦ୍ଧା ସର୍ବାଧିକ ୨ ଲକ୍ଷ ୮୭ ହଜାର କୋଟି ଟଙ୍କାର ବଜେଟ ଆବଣ୍ଟନ ହାସଲ କରିଛି । ସଡ଼କ ନିର୍ମାଣ କ୍ଷେତ୍ରରେ ଅର୍ଥ କିମ୍ବା ସମ୍ବଳର ଅଭାବ ନାହିଁ । ସଡ଼କ ନେଟୱର୍କର ମୁଦ୍ରୀକରଣ ଦ୍ୱାରା ୧୫ ଲକ୍ଷ କୋଟି ଟଙ୍କାରୁ ଅଧିକ ସଂଗ୍ରହ କରାଯାଇପାରିବ । ଏଥିପାଇଁ ସ୍ୱଚ୍ଛତା, ସଚ୍ଚୋଟତା, ସକାରାତ୍ମକ ଆଭିମୁଖ୍ୟ ଏବଂ ଦ୍ରୁତ ନିର୍ଣ୍ଣୟ ପ୍ରକ୍ରିୟାର ଆବଶ୍ୟକତା ରହିଛି । କେନ୍ଦ୍ର ମନ୍ତ୍ରୀ କହିଥିଲେ, ସରକାର ଦ୍ରୁତ ଗତିରେ ରାଜପଥ ନିର୍ମାଣ କରୁଛନ୍ତି । ୨୦୧୪ରେ ୯୧ ହଜାର ୨୮୭ କିଲୋମିଟର ରାଜପଥ ଥିବା ବେଳେ ବର୍ତ୍ତମାନ ଏହା ୬୦% ବୃଦ୍ଧି ପାଇ ୧,୪୬,୩୪୨ କିଲୋମିଟରରେ ପହଞ୍ଚିଛି ।”

କେନ୍ଦ୍ର ସଡକ ପରିବହନ ମନ୍ତ୍ରୀ ଓଡିଶା ପାଇଁ ୧୦୦୦ କୋଟି ଟଙ୍କାର କେନ୍ଦ୍ରୀୟ ସଡକ ଭିତ୍ତିଭୂମି ପାଣ୍ଠି ଘୋଷଣା କରିଛନ୍ତି । ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ବର୍ଜ୍ୟବସ୍ତୁକୁ ବ୍ୟବହାର କରି ସଡକ ନିର୍ମାଣ କରାଯାଉଛି । ତେଣୁ ଭୁବନେଶ୍ୱରର କଠିନ ବର୍ଜ୍ୟବସ୍ତୁକୁ ସଡକ ନିର୍ମାଣ କ୍ଷେତ୍ରରେ ଉପଯୋଗ କରି ସ୍ୱଚ୍ଛ ଭୁବନେଶ୍ୱର ଗଠନ କରିବାକୁ ସେ ପରାମର୍ଶ ଦେଇଛନ୍ତି । ସ୍ୱାଧୀନତା ପରଠୁ ୨୦୧୪ ମସିହା ସୁଦ୍ଧା ଦେଶରେ ମାତ୍ର ୯୧ ହଜାର କିଲୋମିଟର ରାଜପଥ ନିର୍ମାଣ ହୋଇଥିବା ବେଳେ ୨୦୧୪ ରୁ ୨୦୨୪ ଅର୍ଥାତ ମାତ୍ର ଦଶ ବର୍ଷରେ ୫୫ ହଜାର କିଲୋମିଟର ରାଜପଥ ନିର୍ମାଣ ହୋଇଛି । କେନ୍ଦ୍ର ମନ୍ତ୍ରୀ ଗଡକରୀଙ୍କ କାର୍ଯ୍ୟଦକ୍ଷତା ଓ ଦୂରଦୃଷ୍ଟୀ ଚିନ୍ତାଧାରା ଯୋଗୁଁ ଦେଶରେ ବିଶ୍ୱସ୍ତରୀୟ ସଡକ ନିର୍ମାଣର ଅଗ୍ରଗତି ସମ୍ଭବ ହୋଇଛି ।

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି, “୨୦୨୫-୨୬ ଆର୍ଥିକ ବର୍ଷରେ କେନ୍ଦ୍ର ସରକାର ଓଡିଶା ପାଇଁ ୧୩ ହଜାର ୬୯ କୋଟି ଟଙ୍କାର ଜାତୀୟ ରାଜପଥ ମଞ୍ଜୁର କରିଛନ୍ତି । କେନ୍ଦ୍ର ରାଜପଥ ମନ୍ତ୍ରୀଙ୍କ ଦ୍ୱାରା ୪ ହଜାର କୋଟି ଟଙ୍କାର ୧୯ଟି ସଡକ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ହୋଇଛି । ୧୩ଟି ପ୍ରକଳ୍ପ ପାଇଁ ୯ ହଜାର କୋଟି ଟଙ୍କା ମଧ୍ୟ ସେ ପୂର୍ବରୁ ମଞ୍ଜୁର କରିଛନ୍ତି । ୫ ବର୍ଷ ମଧ୍ୟରେ ଆମ ସରକାର ୭୫ ହଜାର କିଲୋମିଟର ସଡକ ନିର୍ମାଣ ପାଇଁ ଲକ୍ଷ୍ୟ ରଖିଛନ୍ତି । ଓଡିଶାର ସଡକ ଗୁଡିକୁ ବିଶ୍ୱସ୍ତରୀୟ ମାନର କରିବା ପାଇଁ କେନ୍ଦ୍ର ମନ୍ତ୍ରୀ ଗୁରୁତ୍ୱ ଦେଉଛନ୍ତି । ଆଗାମୀ ଦିନରେ କେନ୍ଦ୍ର ମନ୍ତ୍ରୀଙ୍କର ଏହି ସହଯୋଗ ଓଡିଶାର ବିକାଶକୁ ଆହୁରି ତୀବ୍ର କରିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking