ଭୋପାଳ: ମଧ୍ୟପ୍ରଦେଶରୁ ଏକ ଲୋମହର୍ଷଣକାରୀ ଘଟଣା ସାମ୍ନାକୁ ଆସିଛି । ଏକ ବ୍ୟସ୍ତବହୁଳ ସଡ଼କରେ ଜଣେ ଯୁବତୀଙ୍କୁ ଦୁଷ୍କର୍ମ କରାଯାଇଛି । ପରିତାପର ବିଷୟ ହେଉଛି ଯେ, ଏହି ଦୁଷ୍କର୍ମ ଘଟଣାର ପ୍ରତ୍ୟକ୍ଷଦର୍ଶୀମାନେ ଯୁବତୀଙ୍କୁ ବଞ୍ଚାଇବା ପରିବର୍ତ୍ତେ ଏକ ଭିଡିଓ ସୁଟ୍ କରି ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି, ଯାହାକି ଏବେ ଭାଇରାଲ୍ ହେଉଛି । ବୁଧବାର ଅପରାହ୍ନରେ ଘଟିଥିବା ଏହି ଅଘଟଣ ସମ୍ପର୍କୀତ ଭିଡିଓ ଭାଇରାଲ୍ ହେବା ପରେ ସବୁକିଛି ପଦାକୁ ଆସିଛି । ସହରର ସବୁଠୁ ବ୍ୟସ୍ତବହୁଳ ଛକ କୋଏଲା ଫାଟକ ନିକଟରେ ଏହି ଘଟଣା ଘଟିଛି । ଏହି ଘଟଣାରେ ଲୋକେଶ ନାମକ ଅଭିଯୁକ୍ତକୁ ପୁଲିସ୍ ଗିରଫ କରିଥିବା ସୂଚନା ମିଳିଛି । ପୁଲିସ୍ ରିପୋର୍ଟ ଅନୁସାରେ ଅଭିଯୁକ୍ତ ଯୁବକଜଣକ ଏହି ଅଞ୍ଚଳରେ ପୀଡିତାଙ୍କୁ ଭେଟିଥିଲେ । ପୀଡ଼ିତାଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ତାଙ୍କୁ ସାଙ୍ଗରେ ନେଇଯାଇଥିଲେ । ଏହାପରେ ସେ ପୀଡ଼ିତାଙ୍କୁ ବଳପୂର୍ବକ ମଦ୍ୟପାନ କରାଇଥିଲେ । ପୀଡ଼ିତା ଅଚେତ ହୋଇଯିବା ପରେ ସେ ତାଙ୍କୁ ରାସ୍ତାକଡ଼କୁ ନେଇ ଦୁଷ୍କର୍ମ କରିଥିଲେ । ତେବେ ଏହି ଘଟଣାକୁ ନେଇ ରାଜ୍ୟ ରାଜନୀତି ସରଗରମ ହୋଇଯାଇଛି । ବିରୋଧୀ କଂଗ୍ରେସ ଶାସକ ଭାଜପାକୁ ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ବିଗିଡି ଯାଉଛି ବୋଲି ଦାୟୀ କରିଛି । ପୁଲିସ୍ ଏବେ ଭିଡିଓ ପୋଷ୍ଟ କରିଥିବା ବ୍ୟକ୍ତିଙ୍କୁ ଖୋଜୁଥିବା ସୂଚନା ଦେଇଛି ।