ପୁରୀ: ନୌସେନା ଦିବସ ପାଇଁ ପୁରୀ ବେଳାଭୂମିରେ ଯୁଦ୍ଧକାଳୀନ ପ୍ରସ୍ତୁତି । ବ୍ଲୁ-ଫ୍ଲାଗ ବିଚରେ ନୌସେନାର ଯୁଦ୍ଧ ଜାହାଜଗୁଡ଼ିକ ପରାକ୍ରମ ଦେଖାଇବା ପାଇଁ ପହଞ୍ଚି ସାରିଲେଣି । ଏପର୍ଯ୍ୟନ୍ତ ୨୦ରୁ ଅଧିକ ଯୁଦ୍ଧ ଜାହାଜ ପହଞ୍ଚିଥିବା ବେଳେ ଆଜିଠାରୁ ଆରମ୍ଭ ହୋଇଛି ସମରାଭ୍ଯାସ । ସେପଟେ ବେଳାଭୂମିରେ ସ୍ଥିତି ସମୀକ୍ଷା କରିଛନ୍ତି ପୂର୍ତ୍ତ ସଚିବ ଓ ଜିଲ୍ଲାପାଳ । ନୌସେନା ଦିବସରେ ପୁରୀ ସମୁଦ୍ରରେ ଦମ୍ ଦେଖାଇବ ନୌସେନା । ଏଥିପାଇଁ ପୁରୀ ବେଳାଭୂମିର ବ୍ଲୁଫାଗ୍ ଅଞ୍ଚଳ ରଣଭୂମିରେ ପରିଣତ ହୋଇଯାଇଛି। ଗର୍ଜୁଛି ହେଲିକପ୍ଟର ଓ ପଇଁତରା ମାରୁଛି ଯୁଦ୍ଧ ଟ୍ଯାଙ୍କ । ସମୁଦ୍ର ଭିତରେ ଗୋଟିଏ ପରେ ଗୋଟିଏ ୨୦ରୁ ଅଧିକ ଯୁଦ୍ଧ ଜାହାଜ ପରାକ୍ରମ ଦେଖାଇବା ପାଇଁ ପ୍ରସ୍ତୁତ ହେଉଛନ୍ତି । ଏୟାରକ୍ରାଫ୍ଟ ଶୋ’ ପାଇଁ ଏୟାରଟ୍ରାଫିକ କଣ୍ଟ୍ରୋଲ ରୁମ୍ ସହ ଯୁଦ୍ଧ ଜାହାଜର ସମରାଭ୍ୟାସ ପାଇଁ ନାଭାଲ କଣ୍ଟ୍ରୋଲ ରୁମ୍ କାର୍ଯ୍ୟକ୍ଷମ ହୋଇସାରିଲାଣି । ବେଳାଭୂମିରେ ତିନି ସେନାର ସମନ୍ୱୟରେ ଚାଲିଛି ପ୍ରସ୍ତୁତି । ସ୍ବତନ୍ତ୍ର ଏନକ୍ଲୋଜର ଭିତରେ ସ୍ଥଳସେନାର ଯୁଦ୍ଧ ଟ୍ୟାଙ୍କର ପ୍ରଦର୍ଶିତ ହୋଇଛି ।