ଭୁବନେଶ୍ୱର: ୨୦୨୪-୨୫ ଶିକ୍ଷାବର୍ଷରେ ପିଜି ନାମଲେଖା ପାଇଁ ହୋଇଥିବା ଏକକ ପିଜି ପ୍ରବେଶିକା ପରୀକ୍ଷା(ସିପିଇଟି-୨୦୨୪) ରେଜଲ୍ଟ ସୋମବାର ପ୍ରକାଶ ପାଇଛି । ଏଥିରେ ମୋଟ ୬୫,୦୫୬ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ । ସେମାନଙ୍କ ମଧ୍ୟରୁ ୫୪,୯୦୪ଜଣଙ୍କୁ ର୍ୟାଙ୍କ ପ୍ରଦାନ କରାଯାଇଛି । ପରୀକ୍ଷାର୍ଥୀମାନେ ସାମ୍ସ ୱେବ୍ସାଇଟ୍ରେ ନିଜର ପରୀକ୍ଷା ରୋଲ୍ ନମ୍ବର ଦେଇ ମାର୍କ ଓ ର୍ୟାଙ୍କ ଜାଣିପାରିବେ । ପ୍ରବେଶିକା ପରୀକ୍ଷାରେ ରଖିଥିବା ମାର୍କ ଓ କ୍ୟାରିଅର ମାର୍କକୁ ମିଶାଇ ମୋଟ୍ ମାର୍କ ଦିଆଯାଇଛି । ସେହିପରି ସଂରକ୍ଷିତ ବର୍ଗ ୱାରୀ ରାଜ୍ୟସ୍ତରୀୟ ର୍ୟାଙ୍କ ମଧ୍ୟ ପ୍ରଦାନ କରାଯାଇଛି । ମଙ୍ଗଳବାରଠାରୁ ୧୨ତାରିଖ ମଧ୍ୟରେ ଛାତ୍ରୀଛାତ୍ରମାନେ ଚଏସ୍ ଫିଲିଙ୍ଗ କରିବେ । ଏହାପରେ ୨୦ତାରିଖ ଅପରାହ୍ନ ୪ଟାରେ ପିଜି ନାମଲେଖା ପାଇଁ ପ୍ରଥମ ପର୍ଯ୍ୟାୟ ମେଧା ତାଲିକା ବା ସିଟ୍ ଆବଣ୍ଟନ ତାଲିକା ପ୍ରକାଶ ପାଇବ । ମନୋନୀତ ଛାତ୍ରଛାତ୍ରୀମାନେ ୨୧ତାରିଖ ପୂର୍ବାହ୍ନ ୧୦ଟାରୁ ୨୪ତାରିଖ ସନ୍ଧ୍ୟା ୫ଟା ମଧ୍ୟରେ ନାମଲେଖାଇବେ । ୩୧ତାରିଖ ଅପରାହ୍ନ ୪ଟାରେ ଦ୍ୱିତୀୟ ପର୍ଯ୍ୟାୟ ମେଧା ତାଲିକା ପ୍ରକାଶ ପାଇବ । ଏଥିରେ ଚୟନ ହୋଇଥିବା ଛାତ୍ରଛାତ୍ରୀମାନେ ସେପ୍ଟେମ୍ବର ୨ ତାରିଖ ପୂର୍ବାହ୍ନ ୧୦ଟାରୁ ୪ତାରିଖ ସନ୍ଧ୍ୟା ୫ଟା ମଧ୍ୟରେ ନାମଲେଖାଇବାକୁ ପଡ଼ିବ । ସେପ୍ଟେମ୍ବର ୧୦ତାରିଖ ଅପରାହ୍ନ ୪ଟାରେ ତୃତୀୟ ପର୍ଯ୍ୟାୟ ମେଧା ତାଲିକା ପ୍ରକାଶ ପାଇବ । ମନୋନୀତ ଛାତ୍ରଛାତ୍ରୀମାନେ ୧୧ତାରିଖ ପୂର୍ବାହ୍ନ ୧୦ଟାରୁ ୧୩ତାରିଖ ସନ୍ଧ୍ୟା ୫ଟା ଭିତରେ ନାମଲେଖାଇବେ । ସେପ୍ଟେମ୍ବର ୨୪ରେ ଅପରାହ୍ନ ୨ଟାରେ ବଳକା ଛାତ୍ରଛାତ୍ରୀଙ୍କ ମଧ୍ୟରୁ ମେଧା ତାଲିକା ଶିକ୍ଷାନୁଷ୍ଠାନଗଡ଼ିକର ଇ-ସ୍ପେସ୍ରେ ପ୍ରକାଶ ପାଇବ । ଶିକ୍ଷାନୁଷ୍ଠାନଗୁଡ଼ିକ ମନୋନୀତ ହେଇଥିବା ଛାତ୍ରଛାତ୍ରୀ ନାମ ନିଜ ଶିକ୍ଷାନୁଷ୍ଠାନର ନୋଟିସ ବୋର୍ଡ, ୱେବ୍ସାଇଟ୍ରେ ପ୍ରକାଶ କରିବେ । ଏଥିସହିତ ସେହି ଛାତ୍ରଛାତ୍ରୀଙ୍କୁ ଫୋନ କଲ୍/ଏସ୍ଏମ୍ଏସ୍/ହ୍ୱାଟ୍ସ ଆପ୍ ଜରିଆରେ ମଧ୍ୟ ଜଣାଇବେ । ମନୋନୀତ ଛାତ୍ରଛାତ୍ରୀମାନେ ସେପ୍ଟମ୍ବର ୨୬ ପୂର୍ବାହ୍ନ ୧୦ଟାରୁ ୨୮ତାରିଖ ସନ୍ଧ୍ୟା ୫ଟା ଭିତରେ ନାମଲେଖାଇବେ । ତେବେ ସେପ୍ଟେମ୍ବର ୧୮ରେ ପିଜି ପ୍ରଥମ ବର୍ଷ ପାଠପଢ଼ା ଆରମ୍ଭ ହେବ । ସୂଚନାଯୋଗ୍ୟ, ରାଜ୍ୟରେ ଚଳିତ ଶିକ୍ଷାବର୍ଷ ୨୦୨୪-୨୫ରେ ପିଜି ନାମଲେଖା ପାଇଁ ମୋଟ ୧୧୪ଟି ଶିକ୍ଷାନୁଷ୍ଠାନ ଥିବା ବେଳେ ୨୮,୯୮୪ଟି ସିଟ୍ ରହିଛି ।