ମଣିପୁର : ମଣିପୁର ଜିରିବାମ ଜିଲାର ଜେରୱନ ଗାଁରେ ହୃଦୟ ବିଦାରକ ଘଟଣା । ଗୁରୁବାର ରାତିରେ ଜଣେ ୩୧ ବର୍ଷୀୟ ଆଦିବାସୀ ମହିଳାଙ୍କ ସହିତ ଦୁଷ୍କର୍ମ କରିବା ପରେ ଜୀବନ୍ତ ଜଳାଇ ଦେଇଛନ୍ତି ଦୁର୍ବୃତ୍ତ । ଏହାଛଡା ଗାଁରେ ଗୁଳି ଫୁଟାଇବା ସହିତ ମନଇଚ୍ଛା ସବୁ ଘର ଜାଳିଦେଇଛନ୍ତି । ଘରେ ଥିବା ସମସ୍ତ ଜିନିଷ ସିଲିଂ ଫ୍ୟାନଠାରୁ ଆରମ୍ଭ କରି ଫର୍ଣ୍ଣିଚର ଓ ମଟର ସାଇକେଲ ସବୁ ଘରୁ ବୋହି ନେଇ ଗାଡ଼ିରେ ଲଦିବାରେ ଲାଗିଥିଲେ। ସୂଚନା ଅନୁଯାୟୀ, ମଣିପୁର ଜିରିବାମ ଜିଲାର ଜେରୱନ ଗ୍ରାମରେ ଦୁର୍ବୃତ୍ତମାନେ ଗୁଳିଚାଳନା କରିଥିଲେ । ଗୁଳି ଶୁଣି ଗାଁ ଲୋକ ଜୀବନ ବିକଳରେ ଜଙ୍ଗଲକୁ ଦୌଡିଥିଲେ । କିନ୍ତୁ ଜଣେ ଆଦିବାସୀ ମହିଳା ଜୋସାଙ୍ଗକିମଙ୍କୁ ଧରିଦେଇଥିଲେ ଦୁର୍ବୃତ୍ତ ।
ଦୁର୍ବୃତ୍ତ ମାନେ ଦୁଷ୍କର୍ମ କରିବା ପରେ ମହିଳାଙ୍କୁ ଜୀବନ୍ତ ଜାଳି ଦେଇଥିଲେ । ଏହି ଘଟଣା ପରେ ଆଦିବାସୀ ସଂଗଠନ ମଣିପୁରରେ କୁକୀ-ଜୋମି-ହମାର ସମୁଦାୟ ସୁରକ୍ଷା ପାଇଁ କେନ୍ଦ୍ର ସରକାରଙ୍କୁ ହସ୍ତକ୍ଷେପ କରିବାକୁ ଦାବି କରିଛନ୍ତି । ଏହି କାଣ୍ଡ ପାଇଁ ଯେଉଁମାନେ ଦାୟୀ ସେମାନଙ୍କୁ ଗିରଫ କରିବାକୁ ଦାବି କରିଛନ୍ତି । ଏହାପୂର୍ବରୁ ମଣିପୁର ହିଂସାକୁ ନେଇ ଗୃହ ମନ୍ତ୍ରଣାଳୟ ହସ୍ତକ୍ଷେପ କରିଛି । କିନ୍ତୁ ସ୍ଥିତି ଲଗାତାର ବିଗିଡିବାରେ ଲାଗିଛି । ମଣିପୁରରେ ବହୁ ସଂଖ୍ୟକ ମତେଇ ଏବଂ ଆଦିବାସୀ କୁକି ସଂପ୍ରଦାୟର ମଧ୍ୟରେ ଲଗାତାର ସଂଘର୍ଷ ଜାରି ରହିଛି । ଏହି ସଂଘର୍ଷରେ ଏପର୍ଯ୍ୟନ୍ତ ୨୩୦ ଲୋକଙ୍କର ମୃତ୍ୟୁ ହୋଇସାରିଥିବା ବେଳେ ୫୦ ହଜାରରୁ ଅଧିକ ଲୋକ ବାସହରା ହୋଇଛନ୍ତି । ଏହି ଘଟଣା ପରେ ରାଜରେ ଉତ୍ତେଜନାପୂର୍ଣ୍ଣ ସ୍ଥିତି ରହିଛି। ଗତ ବର୍ଷ ମେ’ ୩ରୁ ମଣିପୁରରେ ମେତେଇ ଏବଂ କୁକି ସମ୍ପ୍ରଦାୟ ମଧ୍ୟରେ ଲଗାତାର ସଂଘର୍ଷ ଚାଲିଛି ।