କୋଲକାତା: ଓଡ଼ିଶାକୁ ଆଳୁ ବନ୍ଦ କରିବା ପରେ ଏବେ ଅଡୁଆରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଦିଦିଙ୍କୁ ନାଲିଆଖି ଦେଖାଇଛନ୍ତି ବେଙ୍ଗଲ ଆଳୁ ବ୍ୟବସାୟୀ । ଓଡ଼ିଶା ପରି ପଶ୍ଚିମବଙ୍ଗରେ ମଧ୍ୟ ଆଳୁ ସଙ୍କଟ ସୃଷ୍ଟି ହୋଇପାରେ ବୋଲି ଆଶଙ୍କା ସୃଷ୍ଟି ହୋଇଛି । କାରଣ ଦିଦିଙ୍କୁ ଆଳୁ ବ୍ୟବସାୟୀମାନେ ଚେତାବନୀ ଦେଇଛନ୍ତି ଯେ, ଓଡ଼ିଶାକୁ ଆଳୁ ନ ଦେଲେ ସାରା ଦେଶକୁ ରପ୍ତାନୀ ବନ୍ଦ କରିଦେବୁ ।
ଦୁଇ ରାଜ୍ୟ ମଧ୍ୟରେ ଆଳୁ ବିବାଦର ଶୀଘ୍ର ସମାଧାନ ନହେଲେ ଦେଶର ଅନ୍ୟ ରାଜ୍ୟକୁ ଆଳୁ ରପ୍ତାନୀ ବନ୍ଦ କରିବାକୁ ଚେତାବନୀ ଦେଇଛି ପଶ୍ଚିମବଙ୍ଗ ପ୍ରଗତିଶୀଳ ଅଳୁ ବ୍ୟବସାୟୀ ସମିତି ସଂଘ । ଏନେଇ ବାଙ୍କୁରା ଜିଲାରେ ଅନୁଷ୍ଠିତ ଏକ ବୈଠକରେ ରାଜ୍ୟର ୨୫୦ ଜଣ ଆଳୁ ବ୍ୟବସାୟୀ ଯୋଗଦେଇଥିଲେ । ଓଡ଼ିଶା ଓ ପଶ୍ଚିମବଙ୍ଗ ମଧ୍ୟରେ ଆଲୋଚନା ସଫଳ ନ ହେଲେ ରାଜ୍ୟର ୪୭୦ ଶୀତଳ ଭଣ୍ଡରରେ ଥିବା ଆଳୁ କଢାଯିବ ନାହିଁ ବୋଲି ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି । ପଶ୍ଚିମବଙ୍ଗର ବିଭିନ୍ନ ଶୀତଳ ଭଣ୍ଡରରେ ଏବେ ୮ କୋଟି ୬୯ ଲକ୍ଷ ବସ୍ତା ଆଳୁ ଗଚ୍ଛିତ ରହିଛି ।










