କାଠମାଣ୍ଡୁ: ନେପାଳ ରସୁୱା ଜିଲାର ତ୍ରିଶୂଳୀ-୩ଏ ଜଳବିଦ୍ୟୁତ୍ କେନ୍ଦ୍ରର ସୁଡ଼ଙ୍ଗରେ ଅନେକ ଲୋକ ଫସି ରହିଥିବା ଆଶଙ୍କା କରାଯାଉଛି। ଏମାନଙ୍କୁ ବଞ୍ଚାଇବା ପାଇଁ ଭାରତର ଏକ ଉଦ୍ଧାରକାରୀ ଦଳ ତ୍ରିଶୂଳୀରେ ପହଞ୍ଚି ଯାଇଛି। ଭାରତୀୟ ଟିମ୍ ପ୍ରଥମେ ହେଲିକପ୍ଟରରେ ଚିଲିମେ ଓ ଲାଙ୍ଗଟାଙ୍ଗ ଅଞ୍ଚଳର ସର୍ବେକ୍ଷଣ କରିବ। ଏହା ପରେ ସ୍ଥିତିକୁ ଦେଖି ଉଦ୍ଧାର କାର୍ଯ୍ୟ ଆରମ୍ଭ କରାଯିବ। ସୁଡ଼ଙ୍ଗରେ ଫସିଥିବା ଲୋକଙ୍କୁ ଉଦ୍ଧାର କରିବା ପାଇଁ ଦୁଇ ଦିନ ହେଲା ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଏହି ସୁଡ଼ଙ୍ଗର ମୁହଁ ଖୋଲିବା ପାଇଁ ଅବଶେଷ ଓ କାଦୁଅ ହଟାଇବାର କାର୍ଯ୍ୟକୁ ଜୋରଦାର କରାଯାଇଛି। ଆଜି ଭାରତ ଏକ ୬ ଜଣିଆ ଫରେନସିକ ଟିମକୁ କାଠମାଣ୍ଡୁ ପଠାଇଛି। ଅନ୍ୟପଟେ ରିଲିଫ ସାମଗ୍ରୀ ପଠାଇବାକୁ ନେଇ ନେପାଳ ରାଷ୍ଟ୍ରପତି ରାମଚନ୍ଦ୍ର ପୌଡେଲ ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ କୃତଜ୍ଞତା ଜଣାଇଛନ୍ତି। ଭାରତ ଦେଇଥିବା ସହଯୋଗ, ସମର୍ଥନ ପାଇଁ ନେପାଳ ସରକାର ଓ ଜନତାଙ୍କ ପକ୍ଷରୁ ସେ ଧନ୍ୟବାଦ ଜଣାଇଛନ୍ତି।










