28.1 C
Bhubaneswar
Saturday, August 29, 2026
Homeଓଡିଶାଉପକୂଳ ଅବକ୍ଷୟରୁ ସୁରକ୍ଷା, ପରିବେଶ ପୁନରୁଦ୍ଧାର ଓ ନୀଳ ଅର୍ଥନୀତିକୁ ମିଳିବ ପ୍ରୋତ୍ସାହନ

ଉପକୂଳ ଅବକ୍ଷୟରୁ ସୁରକ୍ଷା, ପରିବେଶ ପୁନରୁଦ୍ଧାର ଓ ନୀଳ ଅର୍ଥନୀତିକୁ ମିଳିବ ପ୍ରୋତ୍ସାହନ

ଭୁବନେଶ୍ୱର: ଓଡ଼ିଶାର ଉପକୂଳ ଅଞ୍ଚଳକୁ ଅବକ୍ଷୟରୁ ସୁରକ୍ଷା, ଜଳବାୟୁ ପରିବର୍ତ୍ତନଜନିତ ବିପଦର ମୁକାବିଲା ଏବଂ ଉପକୂଳବର୍ତ୍ତୀ ଅଞ୍ଚଳର ସ୍ଥାୟୀ ଆର୍ଥିକ ବିକାଶକୁ ଅଧିକ ସୁଦୃଢ଼ କରିବା ନେଇ Adaptive Resilience Investment in Coastal Systems on Economics (ARISE) Project ସମ୍ପର୍କିତ ଏକ ଉଚ୍ଚସ୍ତରୀୟ ବୈଠକ ଲୋକସେବା ଭବନଠାରେ ଅନୁଷ୍ଠିତ ହୋଇଯାଇଛି। ମାନ୍ୟବର ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀ ଏହି ବୈଠକରେ ଅଧ୍ୟକ୍ଷତା କରି ଉପକୂଳବର୍ତ୍ତୀ ଅଞ୍ଚଳକୁ ଅବକ୍ଷୟରୁ ସୁରକ୍ଷା ତଥା ପରିବେଶ ସୁରକ୍ଷା ସହିତ ଉପକୂଳବାସୀଙ୍କ ଜୀବିକା, ଜୈବବିବିଧତା ଓ ଅର୍ଥନୈତିକ ସ୍ଥିରତାକୁ ସୁଦୃଢ଼ କରିବା ନେଇ ଏହି ପ୍ରକଳ୍ପର କାର୍ଯ୍ୟକାରିତା ସମ୍ପର୍କରେ ଗୁରୁତ୍ୱାରୋପ କରିଥିଲେ l ସୂଚନାଯୋଗ୍ୟ ଯେ, Asian Development Bank ଏବଂ OSDMAର ମିଳିତ ପ୍ରୟାସରେ ଓଡ଼ିଶାର ୫୭୩ କିମିର ସମୁଦ୍ର ତଟରେଖାକୁ ନେଇ ପ୍ରାଥମିକ ତଦନ୍ତ କରାଯାଇଥିଲା l ସାମୁଦ୍ରିକ ତଟ କ୍ଷୟ ରୋକିବା, ନଦୀ ଶଯ୍ୟାକୁ ଆବର୍ଜନା ଓ ପଟୁମାଟି ମୁକ୍ତ କରିବା, ଉପକୂଳବର୍ତ୍ତୀ ଗ୍ରାମର ଲୋକଙ୍କ ଜୀବନ ଏବଂ ଜୀବିକାର ସୁରକ୍ଷା ସଂକ୍ରାନ୍ତରେ Asian Development Bank ସହ ଜଳସମ୍ପଦ ବିଭାଗ, ଜଙ୍ଗଲ ବିଭାଗ, ମତ୍ସ୍ୟ ଓ ପଶୁସମ୍ପଦ ବିଭାଗ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗକୁ ନେଇ ପୂର୍ବରୁ ଆଲୋଚନା ହୋଇ ADB ଏବଂ OSDMA ଦ୍ଵାରା ପ୍ରାଥମିକ ରିପୋର୍ଟ ପ୍ରସ୍ତୁତ କରାଯାଇଥିଲା, ଯାହା ଆଧାରରେ ଆଜିର ବୈଠକରେ ବିସ୍ତୃତ ଆଲୋଚନା କରାଯାଇଛି l କେରଳ, କର୍ଣ୍ଣାଟକ ଏବଂ ତାମିଲନାଡ଼ୁରେ ମଧ୍ଯ ADB ସମ୍ପୃକ୍ତ ରାଜ୍ୟସରକାରଙ୍କ ସହ ମିଶି ଉପକୂଳ ସୁରକ୍ଷା ପ୍ରକଳ୍ପ ସଂକ୍ରାନ୍ତରେ କାର୍ଯ୍ୟ ଆରମ୍ଭ କରିଥିବା ବେଳେ କର୍ଣ୍ଣାଟକରେ ପ୍ରଥମ ପର୍ଯ୍ୟାୟ ପ୍ରକଳ୍ପ ଇତିମଧ୍ୟରେ କାର୍ଯ୍ୟ ସମ୍ପନ୍ନ ହୋଇଛି l ଓଡ଼ିଶା ଉପକୂଳ ନେଇ ଚୂଡ଼ାନ୍ତ ରିପୋର୍ଟ ପ୍ରସ୍ତୁତ ହେବା ପରେ ଏହାକୁ ପର୍ଯ୍ୟାୟକ୍ରମେ କାର୍ଯ୍ୟକାରୀ କରାଯାଇ ଉପକୂଳ ସୁରକ୍ଷା ବ୍ୟବସ୍ଥା ସୁଦୃଢ଼ କରିବା ପାଇଁ ବ୍ୟବସ୍ଥା କରାଯିବ ବୋଲି ମାନ୍ୟବର ମନ୍ତ୍ରୀ ସୂଚନା ଦେଇଛନ୍ତି l

ଓଡ଼ିଶାର ସମୁଦ୍ର ତଟରେ ଅବକ୍ଷୟ ରୋକିବା, ଉପକୂଳୀୟ ପରିବେଶ, ଅର୍ଥନୀତି ଓ ଜୀବିକାକୁ ଜଳବାୟୁ ପରିବର୍ତ୍ତନଜନିତ ପ୍ରଭାବରୁ ଅଧିକ ସହନଶୀଳ ଓ ସ୍ଥାୟୀ କରିବା ଉଦ୍ଦେଶ୍ୟରେ ‘Adaptive Resilience Investment in Coastal Systems on Economics (ARISE)’ ପ୍ରକଳ୍ପ ଅଧୀନରେ ସମନ୍ୱିତ ପଦକ୍ଷେପ ଗ୍ରହଣ କରାଯିବା ନେଇ ବୈଠକରେ ବିସ୍ତୃତ ଆଲୋଚନା ହୋଇଛି lବୈଠକରେ ଓଡ଼ିଶାର ସମଗ୍ର ଉପକୂଳରେ ଦେଖାଦେଉଥିବା ଉପକୂଳ କ୍ଷୟ (Coastal Erosion) ସମସ୍ୟା ଉପରେ ବିସ୍ତୃତ ଆଲୋଚନା ହୋଇଥିଲା। ଉପକୂଳ କ୍ଷୟର ପ୍ରଭାବକୁ ହ୍ରାସ କରିବା, ସମୁଦ୍ର ଓ ଉପକୂଳବର୍ତ୍ତୀ ତଟର ସୁରକ୍ଷା କରିବା ସହିତ ଦୀର୍ଘମିଆଦୀ ଉପକୂଳ ସୁରକ୍ଷା ପାଇଁ ବୈଜ୍ଞାନିକ ଓ ପ୍ରଯୁକ୍ତିବିଦ୍ୟା ଭିତ୍ତିକ ପଦକ୍ଷେପ ଉପରେ ଗୁରୁତ୍ୱ ଦିଆଯାଇଥିଲା।

ଓଡ଼ିଶାର ବିପୁଳ ସାମୁଦ୍ରିକ ସମ୍ପଦ ଓ ସମ୍ଭାବନାକୁ ଆଧାର କରି ‘ବ୍ଲୁ ଇକୋନୋମି’ (Blue Economy)ର ବିକାଶ ନେଇ ମଧ୍ୟ ବୈଠକରେ ଆଲୋଚନା କରାଯାଇଥିଲା। ସାମୁଦ୍ରିକ ସମ୍ପଦର ସୁଗମ ଓ ଦାୟିତ୍ୱପୂର୍ଣ୍ଣ ବ୍ୟବହାର ସହିତ ଉପକୂଳବର୍ତ୍ତୀ ଲୋକଙ୍କ ଜୀବିକା, ଅର୍ଥନୈତିକ ସୁଯୋଗ ଏବଂ ରାଜ୍ୟର ସାମଗ୍ରିକ ଆର୍ଥିକ ବିକାଶକୁ ଆଗେଇ ନେବା ଉପରେ ଗୁରୁତ୍ୱ ଦିଆଯାଇଥିଲା। ସେହିପରି, ଜଳବାୟୁ ପରିବର୍ତ୍ତନ ଓ ବଢ଼ୁଥିବା ପ୍ରାକୃତିକ ବିପଦର ପ୍ରଭାବକୁ ଦୃଷ୍ଟିରେ ରଖି ଜଳବାୟୁ ସହନଶୀଳ ଉପକୂଳ ପର୍ଯ୍ୟଟନ (Climate-Resilient Coastal Tourism)ର ବିକାଶ ଉପରେ ମଧ୍ୟ ଆଲୋଚନା ହୋଇଥିଲା। ପରିବେଶ ସୁରକ୍ଷା ସହିତ ଉପକୂଳ ପର୍ଯ୍ୟଟନର ସମ୍ଭାବନାକୁ ସୁଦୃଢ଼ କରିବା ଏବଂ ସ୍ଥାୟୀ ପର୍ଯ୍ୟଟନ ମଡେଲ୍ ବିକଶିତ କରିବା ନେଇ ବିଚାରବିମର୍ଶ କରାଯାଇଥିଲା। ବୈଠକରେ ଉପକୂଳ ସୁରକ୍ଷା (Coastal Protection) ଓ ଅବକ୍ଷେପ ପରିଚାଳନା (Sediment Management)କୁ ମଧ୍ୟ ବିଶେଷ ପ୍ରାଥମିକତା ଦିଆଯାଇଥିଲା। ଉପକୂଳର ପ୍ରାକୃତିକ ଗତିଶୀଳତାକୁ ବୁଝି ବୈଜ୍ଞାନିକ ଆଧାରରେ ଅବକ୍ଷେପ ପ୍ରବାହ ଓ ସଞ୍ଚୟକୁ ପରିଚାଳନା କରିବା, ପ୍ରାକୃତିକ ଉପକୂଳ ପ୍ରତିରୋଧକ ବ୍ୟବସ୍ଥାକୁ ସୁଦୃଢ଼ କରିବା ଏବଂ ଆବଶ୍ୟକସ୍ଥଳେ ଉପଯୁକ୍ତ ସୁରକ୍ଷାମୂଳକ ପଦକ୍ଷେପ ଗ୍ରହଣ ନେଇ ଆଲୋଚନା ହୋଇଥିଲା।

ଏହି ପ୍ରକଳ୍ପର ସଫଳ କାର୍ଯ୍ୟାନ୍ୱୟନ ପାଇଁ ପ୍ରତିଷ୍ଠାନଗତ ସୁଦୃଢ଼ୀକରଣ (Institutional Strengthening), ଦକ୍ଷତା ବିକାଶ (Capacity Building) ଏବଂ ଅତ୍ୟାଧୁନିକ ବୈଷୟିକ ବ୍ୟବସ୍ଥା (Technological Systems) ବିକାଶ ଉପରେ ମଧ୍ୟ ବିଶେଷ ଗୁରୁତ୍ୱ ଦିଆଯାଇଥିଲା।ଉପକୂଳ ପରିଚାଳନା ସହ ସମ୍ପୃକ୍ତ ବିଭିନ୍ନ ବିଭାଗ ଓ ଅନୁଷ୍ଠାନଗୁଡ଼ିକର ସାମର୍ଥ୍ୟ ବୃଦ୍ଧି, ଅଧିକାରୀ ଓ କର୍ମଚାରୀଙ୍କ ଦକ୍ଷତା ବିକାଶ, ଜ୍ଞାନ ଓ ଅଭିଜ୍ଞତାର ଆଦାନପ୍ରଦାନ ସହିତ ଆଧୁନିକ ପ୍ରଯୁକ୍ତି, ତଥ୍ୟ ଓ ଡିଜିଟାଲ୍ ପ୍ଲାଟଫର୍ମର ସର୍ବାଧିକ ଉପଯୋଗ ଉପରେ ଆଲୋଚନା ହୋଇଥିଲା। ଉପକୂଳ କ୍ଷୟର ନିରୀକ୍ଷଣ, ବିପଦର ପୂର୍ବାନୁମାନ, ତଥ୍ୟଭିତ୍ତିକ ନିଷ୍ପତ୍ତି ଗ୍ରହଣ ଏବଂ ପ୍ରଭାବଶାଳୀ ଉପକୂଳ ପରିଚାଳନା ପାଇଁ ଏକ ସମନ୍ୱିତ ଓ ଦୃଢ଼ ବୈଷୟିକ ନିରୀକ୍ଷଣ ବ୍ୟବସ୍ଥା ବିକଶିତ କରିବା ଉପରେ ମଧ୍ୟ ଗୁରୁତ୍ୱାରୋପ କରାଯାଇଥିଲା। ଓଡ଼ିଶାର ଦୀର୍ଘ ଉପକୂଳରେ ଜଳବାୟୁ ସହନଶୀଳତା ବୃଦ୍ଧି ସହିତ ପରିବେଶ ସୁରକ୍ଷା, ବିପର୍ଯ୍ୟୟ ମୁକାବିଲା କ୍ଷମତା ଏବଂ ଆର୍ଥିକ ବିକାଶକୁ ସମନ୍ୱିତ ଭାବେ ଆଗେଇ ନେବା ପାଇଁ ARISE ପ୍ରକଳ୍ପ ଅଧୀନରେ ଦୀର୍ଘମିଆଦୀ, ବୈଜ୍ଞାନିକ ଓ ସ୍ଥାୟୀ ରଣନୀତି ଗ୍ରହଣ ଉପରେ ବୈଠକରେ ଗୁରୁତ୍ୱାରୋପ କରାଯାଇଥିଲା। ବୈଠକରେ ସ୍ପେଶାଲ୍ ରିଲିଫ୍ କମିଶନର୍ ତଥା OSDMAର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ରାଜେଶ ପ୍ରଭାକର ପାଟିଲ୍, ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷଙ୍କର ବରିଷ୍ଠ ଅଧିକାରୀବୃନ୍ଦ ଏବଂ Asian Development Bankର ବରିଷ୍ଠ ଅଧିକାରୀବୃନ୍ଦ ଉପସ୍ଥିତ ଥିଲେ l

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking