30.1 C
Bhubaneswar
Wednesday, August 26, 2026
Homeଓଡିଶାକୃତ୍ରିମ ବୁଦ୍ଧିମତା ଓ ମାନବିକୀ ବିଜ୍ଞାନ ମଧ୍ୟରେ ସେତୁ ସ୍ଥାପନ ପାଇଁ ସୋଆରେ କମର୍ଶାଳା

କୃତ୍ରିମ ବୁଦ୍ଧିମତା ଓ ମାନବିକୀ ବିଜ୍ଞାନ ମଧ୍ୟରେ ସେତୁ ସ୍ଥାପନ ପାଇଁ ସୋଆରେ କମର୍ଶାଳା

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟ ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନିକାଲ ଏଜୁକେସନ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର) ପକ୍ଷରୁ ଆୟୋଜିତ ଦୁଇଦିନିଆ ଆନ୍ତଃବିଷୟକ କମର୍ଶାଳାରେ କୃତ୍ରିମ ବୁଦ୍ଧିମତା (ଏଆଇ), ମାନବିକୀ ବିଜ୍ଞାନ ଏବଂ ସାମାଜିକ ବିଜ୍ଞାନର ଉଦୀୟମାନ ସମନ୍ୱୟ ଓ ପାରସ୍ପରିକ ସଂପର୍କକୁ ନେଇ ବିଷଦ ଆଲୋଚନା ମାଧ୍ୟମରେ ନୂତନ ଦିଗ ଉନ୍ମୋଚିତ ହୋଇଛି । ଆଇଟିଇଆରର ହ୍ୟୁମାନିଟିଜ୍ ଆଣ୍ଡ ସୋସିଆଲ ସାଇନ୍ସେସ୍ ବିଭାଗ ପକ୍ଷରୁ ଅଗଷ୍ଟ ୨୧ ଓ ୨୨ ଦୁଇ ଦିନ ଧରି ଆୟୋଜିତ ‘ଏଆଇ ଆଣ୍ଡ ହ୍ୟୁମାନିଟିଜ୍‌: ବ୍ରିଜିଂ କମ୍ପ୍ୟୁଟେସ୍‌ନାଲ ଇନ୍‌ଟେଲିଜେନ୍ସ ଇନ୍ ହ୍ୟୁମାନିଟିଜ୍‌’ ଶୀଷର୍କ କର୍ମଶାଳାରେ ବିଶିଷ୍ଟ ଶିକ୍ଷାବିତ୍‌, ଗବେଷକ, ଅଧ୍ୟାପକ ଓ ଛାତ୍ରଛାତ୍ରୀମାନେ ଯୋଗ ଦେଇଥିଲେ । ମାନବିକୀ ବିଜ୍ଞାନ ଓ ଡାଟା ସାଇନ୍ସ ମଧ୍ୟରେ ସହଯୋଗକୁ ପ୍ରୋତ୍ସାହିତ କରିବା ସହିତ ଅଧ୍ୟାପକ ଓ ଛାତ୍ରଛାତ୍ରୀଙ୍କୁ କୃତ୍ରିମ ବୁଦ୍ଧିମତାର ଉଦୀୟମାନ ପ୍ରଯୁକ୍ତି ସଂପର୍କରେ ପରିଚିତ କରାଇବା ଏହି କର୍ମଶାଳାର ଅନ୍ୟତମ ଉଦ୍ଦେଶ୍ୟ ଥିଲା ।

ଶିକ୍ଷା, ଗବେଷଣା, ଭାଷା, ସାହିତ୍ୟ, ଇତିହାସ ଓ ସାମାଜିକ ବିଜ୍ଞାନ କ୍ଷେତ୍ରରେ ଏଆଇର ପ୍ରୟୋଗ ସଂପର୍କରେ ଆଲୋଚନା ହେବା ସହ ଏଆଇ ସାକ୍ଷରତା ଏବଂ ଦାୟିତ୍ୱବୋଧପୂର୍ଣ୍ଣ କୃତ୍ରିମ ବୁଦ୍ଧିମତା ବ୍ୟବହାର ଉପରେ ଗୁରୁତ୍ୱ ଦିଆଯାଇଥିଲା । କର୍ମଶାଳାର ଉଦ୍‌ଘାଟନୀ ସମାରୋହରେ ଭାରତୀୟ ବିଦ୍ୟା ଭବନର ଏମେରିଟସ୍ ପ୍ରଫେସର ପ୍ରଫେସର କେ. ସି. ମିଶ୍ର ଏବଂ ଦି ପାୟୋନିୟରର ବରିଷ୍ଠ ସାମ୍ବାଦିକ ଶ୍ରୀ ସୁଜ୍ଞାନ ଚୌଧୁରୀ ଅତିଥି ଭାବେ ଯୋଗଦେଇଥିଲେ । ଏହି ଅବସରରେ ଶ୍ରୀ ଚୌଧୁରୀ କହିଥିଲେ ଯେ ମାନବୀୟ ମୂଲ୍ୟବୋଧ ଓ ସୃଜନଶୀଳତାକୁ କେବେହେଲେ କୃତ୍ରିମ ବୁଦ୍ଧିମତା ପ୍ରତିସ୍ଥାପିତ କରିପାରିବ ନାହିଁ । ବୁଦ୍ଧିମତା କେବେ କୃତ୍ରିମ ହୋଇପାରିବ ନାହିଁ ବୋଲି ମତ ଦେଇ ସେ କହିଥିଲେ ଯେ କୃତ୍ରିମ ବୁଦ୍ଧିମତା ହେଉଛି ଏକ ସାଧନ, ଯାହା ମାନବର କାର୍ଯ୍ୟକୁ ସହଜ ଓ ଦ୍ରୁତ କରିଥାଏ । ଉଦ୍‌ଘାଟନୀ କାର୍ଯ୍ୟକ୍ରମକୁ ଡକ୍ଟର ପ୍ରାଚୀଶ୍ରୀ ମିଶ୍ର ପରିଚାଳନା କରିଥିବା ବେଳେ ମୁଖ୍ୟ ସଂଯୋଜିକା ଓ କନ୍‌ଭେନର ଡକ୍ଟର ସ୍ୱୟଂପ୍ରଭା ଶତପଥି ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଡକ୍ଟର ସ୍ଥିତପ୍ରଜ୍ଞା ଧନ୍ୟବାଦ ଅପର୍ଣ କରିଥିଲେ ।

ବିଭିନ୍ନ ଶିକ୍ଷାଭିତିକ ଅଧିବେଶନରେ ଆଇଆଇଟି ଖଡ଼ଗପୁରର ହ୍ୟୁମାନିଟିଜ୍ ଆଣ୍ଡ ସୋସିଆଲ ସାଇନ୍ସେସ୍ ବିଭାଗର ପ୍ରଫେସର ରବୀନ୍ଦ୍ର କୁମାର ପ୍ରଧାନ ମାନବ ଆଚରଣକୁ ବୁଝିବା କ୍ଷେତ୍ରରେ ବ୍ୟବହାରଗତ ବିଜ୍ଞାନ ସହ ଏଆଇର ପ୍ରାସଙ୍ଗିକତା ଏବଂ ଏହାର ବିଭିନ୍ନ ପ୍ରୟୋଗ ସଂପର୍କରେ ଆଲୋଚନା କରିଥିଲେ । ଆଇଆଇଏମ୍ ସମ୍ବଲପୁରର ପ୍ରଫେସର ଶିଖା ଭରଦ୍ୱାଜ ଅନ୍ୟତମ ଅଧିବେଶନରେ ମାନବିକୀ ଗବେଷଣାରେ କଂପ୍ୟୁଟେସନାଲ ପଦ୍ଧତି ଓ ଏଆଇର ଭୂମିକା ଉପରେ ଆଲୋକପାତ କରିଥିଲେ । ସେ ସାହିତ୍ୟ, ଭାଷା, ଇତିହାସ, ସଂସ୍କୃତି ଓ ଯୋଗାଯୋଗ କ୍ଷେତ୍ରରେ ଏଆଇର ପ୍ରୟୋଗ ସଂପର୍କରେ ବିସ୍ତୃତ ଆଲୋଚନା କରିଥିଲେ । ‘ଏଥିକ୍ସ ଆଣ୍ଡ ରେସ୍‌ପନ୍ସିବଲ ଏଆଇ’ ଶୀର୍ଷକ ଅଧିବେଶନରେ ଆଇଆଇଆଇଟି ଭୁବନେଶ୍ୱରର କଂପ୍ୟୁଟର ସାଇନ୍ସ ବିଭାଗର ପ୍ରଫେସର ରାକେଶ ଚନ୍ଦ୍ର ବଳବନ୍ତରାୟ ଏଆଇ କ୍ଷେତ୍ରରେ ପକ୍ଷପାତ, ନ୍ୟାୟସଙ୍ଗତତା, ଗୋପନୀୟତା, ଶିକ୍ଷାଗତ ସତ୍ୟନିଷ୍ଠା, ହାଲୁସିନେସନ୍‌, ଦାୟିତ୍ୱବୋଧପୂର୍ଣ୍ଣ ବ୍ୟବହାର ଏବଂ ମାନବୀୟ ତତ୍ୱାବଧାନ ଭଳି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ମତ ରଖିଥିଲେ । ଏହି କର୍ମଶାଳାର ବିଶେଷତ୍ୱ ଥିଲା ଏହାର ପ୍ରକୃତ ଆନ୍ତଃବିଷୟକ ଦୃଷ୍ଟିଭଙ୍ଗୀ । ଏଆଇକୁ କେବଳ ଏକ ପ୍ରଯୁକ୍ତିଗତ ଉଦ୍‌ଭାବନ ଭାବେ ଦେଖିବା ପରିବର୍ତେ ଏହାର ବ୍ୟବହାର ଓ ପ୍ରଭାବକୁ ବ୍ୟବହାରଗତ ବିଜ୍ଞାନ, ସାହିତ୍ୟ, ଭାଷା, ସଂସ୍କୃତି, ଯୋଗାଯୋଗ, ନୈତିକତା, ଗବେଷଣା ଓ ଏଥ୍ନୋଗ୍ରାଫି ଭଳି ବିଭିନ୍ନ କ୍ଷେତ୍ରରେ ଅନୁଧ୍ୟାନ କରାଯାଇଥିଲା ।

କର୍ମଶାଳାରେ ଏଆଇର ଦାୟିତ୍ୱବୋଧପୂର୍ଣ୍ଣ ଓ ମାନବକୈନ୍ଦ୍ରିକ ବ୍ୟବହାର ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଥିଲା । ଏଆଇକୁ କେବଳ ପ୍ରଯୁକ୍ତିଗତ ସାଧନର ସମାହାର ଭାବେ ନ ଦେଖି ଏହାକୁ ସାମାଜିକ, ସାଂସ୍କୃତିକ, ନୈତିକ ଓ ବୌଦ୍ଧିକ କ୍ଷେତ୍ରରେ ସୁଦୂରପ୍ରସାରୀ ପ୍ରଭାବ ପକାଉଥିବା ଏକ ଉଦୀୟମାନ ଶକ୍ତି ଭାବେ ବୁଝିବାକୁ ଅଂଶଗ୍ରହଣକାରୀମାନଙ୍କୁ ଉତ୍ସାହିତ କରାଯାଇଥିଲା । ଶେଷ ଶିକ୍ଷାଭିତିକ ଅଧିବେଶନରେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର କଂପ୍ୟୁଟର ସାଇନ୍ସ ବିଭାଗର ପ୍ରଫେସର ମାନସ ରଞ୍ଜନ ପାତ୍ର ‘କମ୍ପ୍ୟୁଟେସ୍‌ନାଲ୍ ଏଆଇ ଆଣ୍ଡ ଡିଜିଟାଲ୍ ଏଥନୋଗ୍ରାଫି: ଫ୍ରମ୍ ଡିଜିଟାଲ୍ ଫୁଟପ୍ରିଂଟ ଟୁ ହ୍ୟୁମାନିଟିଜ୍‌’ ବିଷୟ ଉପରେ ଆଲୋଚନା କରିଥିଲେ । ମାନବିକୀ ଗବେଷଣାରେ କଂପ୍ୟୁଟେସନାଲ ଏଆଇର ପ୍ରୟୋଗ, ଏଆଇ ସହାୟତାପ୍ରାପ୍ତ ଏକାଡେମିକ ଯୋଗାଯୋଗ ଏବଂ ଏଥ୍ନୋଗ୍ରାଫିକ ଗବେଷଣାରେ କଂପ୍ୟୁଟେସନାଲ ପଦ୍ଧତି ସଂର୍ପକରେ ସେ ଆଲୋକପାତ କରିଥିଲେ । ଉଦ୍‌ଯାପନୀ ଅଧିବେଶନରେ ସୋଆ ବିଶ୍ୱବିଦ୍ୟାଳୟର ପରୀକ୍ଷା ନିୟନ୍ତ୍ରକ ପ୍ରଫେସର ମଞ୍ଜୁଳା ଦାସ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ପ୍ରଫେସର ପାତ୍ର ସମ୍ମାନିତ ଅତିଥି ଥିଲେ । ଡକ୍ଟର ମୌସୁମୀ ଦାଶ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଡକ୍ଟର ସ୍ୱୟଂ ପ୍ରଭା ଶତପଥୀ ଧନ୍ୟବାଦ ଅର୍ପଣ କରିଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking