ଭୁବନେଶ୍ୱର : ଓଡିଆ ଅସ୍ମିତାର ଦ୍ୱାହି ଦେଇ କ୍ଷମତାକୁ ଆସିଥିବା ବିଜେପି ଓଡ଼ିଶାକୁ ଲୁଟିବାରେ ଲାଗିଛି । ଏମଏମଡିଆର ଆମେଣ୍ଡମେଣ୍ଟ ଆକ୍ଟ ଦ୍ୱାରା ଓଡିଶାବାସୀଙ୍କ ହକ୍କୁ କେନ୍ଦ୍ର ସରକାର ଛଡ଼ାଇ ନେଇଛନ୍ତି । ଓଡ଼ିଶାବାସୀଙ୍କ ସ୍ୱାର୍ଥକୁ ଅଣଦେଖା କରି ଖଣି ମାଲିକଙ୍କ ଏଜେଣ୍ଟ ପରି କାମ କରୁଥିବାରୁ ଡବଲ ଇଞ୍ଜିନ ସରକାରକୁ କଡ଼ା ସମାଲୋଚନା କରିଛି ବିଜୁ ଜନତା ଦଳ ।ଆଜି ଶଙ୍ଖ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ପୂର୍ବତନ ମନ୍ତ୍ରୀ ତଥା ଦଳର ଉପସଭାପତି ଶ୍ରୀ ଅତନୁ ସବ୍ୟସାଚୀ ନାୟକ ଓ ମୁଖପାତ୍ର ତଥା ଗଣମାଧ୍ୟମ ସଂଯୋଜକ ଡ଼ ଲେନିନ ମହାନ୍ତି ଡବଲ ଇଞ୍ଜିନ ସରକାର ଉପରେ ବର୍ଷିଛନ୍ତି ।ଶ୍ରୀ ଅତନୁ ସବ୍ୟସାଚୀ ନାୟକ କହିଥିଲେ ଯେ, ରତ୍ନଗର୍ଭା ଓଡ଼ିଶାର ଖଣିଜ ସମ୍ପଦ ଉପରେ ଡବଲ ଇଞ୍ଜିନ ସରକାରର ଲୋଲୁପ ଦୃଷ୍ଟି ପଡ଼ିଛି । ଏମଏମଡିଆର ଆମେଣ୍ଡମେଣ୍ଟ ଆକ୍ଟ ଦ୍ୱାରା କେନ୍ଦ୍ର ସରକାର ରାଜ୍ୟର ଖଣି ଗୁଡ଼ିକ ନିଜ ଅଧିନକୁ ନେଇଯାଇଛନ୍ତି । ଏହି ଆକ୍ଟ ଯୋଗୁଁ ବାର୍ଷିକ ୧୨,୦୦୦ କୋଟିର ରାଜସ୍ୱ ହରାଇବା ସହ ୧ ଲକ୍ଷ କୋଟି ଟଙ୍କାରୁ ଊଦ୍ଧ୍ୱର୍ ବକେୟା ଟିକସ ହରାଇବ ଓଡ଼ିଶା । ଏହି ଆକ୍ଟ ଦ୍ୱାରା ଓଡ଼ିଶା କ୍ଷତି ସହିବ ଜାଣି ମଧ୍ୟ ବିଜେପିର ୨୦ ଲୋକସଭା ଓ ୫ ରାଜ୍ୟସଭା ସାଂସଦ ଏହାକୁ ସମର୍ଥନ କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ଦଳୀୟ ସ୍ୱାର୍ଥ ପାଇଁ ଓଡ଼ିଶାବାସୀଙ୍କ ସ୍ୱାର୍ଥକୁ ଭୁଲିଯାଇ ରାଜ୍ୟ ସରକାର ପାଟି ଖୋଲିଲେ ନାହିଁ । ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଓଡ଼ିଶାର ହକ୍ ପାଇଁ ପୂର୍ବରୁ ଅନେକ ଆଇନଗତ ଲଢେଇ କରିଛନ୍ତି । କିନ୍ତୁ ବିଜେପି ସରକାର ତାହା କରିବା ପାଇଁ ସାହାସ ଜୁଟାଇ ପାରୁନାହିଁ । ବିଜେଡି ଶାସନ ସମୟରେ ୨୦୨୧ରୁ ୨୦୨୩ ମଧ୍ୟରେ ବକେୟା ୨୨,୦୦୦ କୋଟି ଟଙ୍କାର ଟିକସ ପାଇଁ ଖଣି ମାଲିକ ମାନଙ୍କୁ ନୋଟିସ କରାଯାଇ ୧୬,୦୦୦ କୋଟି ଟଙ୍କା ଆଦାୟ କରାଯାଇଥିଲା । କିନ୍ତୁ ବର୍ତ୍ତମାନ ବିଜେପି ସରକାର ତାହା ନକରି କେବଳ କେନ୍ଦ୍ର ସରକାରଙ୍କ ନିଦେ୍ର୍ଦଶକୁ ଅନୁପାଳନ କରୁଛନ୍ତି । ପଡ଼ୋଶୀ ଝାଡ଼ଖଣ୍ଡ ସରକାର ୪୨,୦୦୦ କୋଟି ଟଙ୍କାର ବକେୟା ଖଣି ଟିକସ ଆଦାୟ କରିଛନ୍ତି । ଖଣି ମାଲିକଙ୍କ ପ୍ରତି ବିଜେପି ସରକାରଙ୍କ ଏତେ ପ୍ରୀତି କ’ଣ ପାଇଁ ? ଡବଲ ଇଞ୍ଜିନ ସରକାର ଉକ୍ତ କଳା ଆଇନ ରଦ୍ଦ ନ କଲେ ଏହା ବିରୁଦ୍ଧରେ ବିଜେଡ଼ିର ଲଢେଇ ଜାରି ରହିବ ।
ଡ଼ ଲେନିନ ମହାନ୍ତି କହିଥିଲେ ଯେ, ରତ୍ନଗର୍ଭା ଓଡ଼ିଶାର ଖଣିଜ ସମ୍ପଦକୁ ଡବଲ ଇଞ୍ଜିନ ସରକାର ବାରମ୍ବାର ଲୁଟିବାରେ ଲାଗିଛି । ବିଜେପିର ୨୦ ଲୋକସଭା ଓ ୫ ଜଣ ରାଜ୍ୟସଭା ସାଂସଦ ଏହି ବିଲ୍ ପାରିତ ବେଳେ ପାଟି ଖୋଲିଲେ ନାହିଁ । କୌଣସି କ୍ଷେତ୍ରରେ ଶ୍ରେୟ ନେବାକୁ ହେଲେ ବିଜେପି ସରକାର ଆଗକୁ ଆସୁଥିବା ବେଳେ ଉକ୍ତ କଳା ଆଇନ ବାବଦରେ ଚୁପ ବସିଛନ୍ତି । ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଦୂରଦର୍ଶୀତା ପାଇଁ ଓଡ଼ିଶାର ଅର୍ଥନୀତି ସୁଦୃଢ଼ ହୋଇଛି, କିନ୍ତୁ ବିଜେପି ତାହାକୁ ନଷ୍ଟ କରିବାରେ ଲାଗିଛି । ଏହି କଳା ଆଇନ ଯୋଗୁଁ ରାଜ୍ୟର ଏତେ ବଡ କ୍ଷତି ହେଉଥିବା ଜାଣି ମଧ୍ୟ ମୁଖ୍ୟମନ୍ତ୍ରୀ ଚୁପ ବସିଛନ୍ତି । ଏହା କ’ଣ ଓଡ଼ିଆ ଅସ୍ମିତାର ପରିଚୟ ? ଜୁଲାଇ ୨୦୨୪ରେ ମାନ୍ୟବର ସର୍ବୋଚ୍ଚ ନ୍ୟାୟାଳୟର ୯ ଜଣିଆ ଖଣ୍ଡପୀଠ ଏହା ଉପରେ ବିଚାର କରି ଖଣି ଓ ଖଣିର ଜମି ଉପରେ ରାଜ୍ୟ ମାନଙ୍କର ଅଧିକାର ରହିଛି ବୋଲି ମତପ୍ରକାଶ କରିଥିଲେ । ରାଜ୍ୟ ମାନେ ଖଣିଜ ପଦାର୍ଥ ଉପରୁ ଲେଭି ଓ ଟ୍ୟାକ୍ସ ଆଦାୟ କରିପାରିବେ । କିନ୍ତୁ କେନ୍ଦ୍ର ସରକାର ଏମଏମଡିଆର ଆମେଣ୍ଡମେଣ୍ଟ ଆକ୍ଟ ବଳରେ ରାଜ୍ୟ ହକକୁ ଛଡ଼ାଇ ନେଇଛନ୍ତି । କେନ୍ଦ୍ର ସରକାର ବିନା ଆଲୋଚନାରେ ସଂସଦରେ ଏହି ବିଲ୍କୁ ପାରିତ କରାଇଛନ୍ତି । ଖଣି କ୍ଷେତ୍ରରୁ ଆଦାୟ ହେଉଥିବା ରାଜସ୍ୱ ରାଜ୍ୟର ବିକାଶରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ । କିନ୍ତୁ ଏମଏମଡିଆର ଆମେଣ୍ଡେମେଣ୍ଟ ଆକ୍ଟ ଜରିଆରେ ଓଡ଼ିଶାର ନ୍ୟାର୍ଯ୍ୟ ପ୍ରାପ୍ୟକୁ କେନ୍ଦ୍ର ସରକାର ହଡ଼ପ କରିନେବାକୁ ବସିଛନ୍ତି । ଡବଲ ଇଞ୍ଜିନ ସରକାର ଓଡ଼ିଶାର ଶତ୍ରୁ ସାଜିଛି । ଓଡ଼ିଶାବାସୀଙ୍କ ସ୍ୱାର୍ଥକୁ ଜଳାଞ୍ଜଳି ଦେଇ ଖଣି ମାଲିକଙ୍କୁ ସୁହାଇଲା ଭଳି କାର୍ଯ୍ୟ କରୁଥିବା ଡବଲ ଇଞ୍ଜିନ ସରକାର ବିରୁଦ୍ଧରେ ବିଜେଡିର ଲଢ଼େଇ ଆଗକୁ ଆହୁରି ତୀବ୍ରତର ହେବ ।










