ହଙ୍ଗେରୀର ଏକ ଜାତୀୟ ରାଜପଥରେ ରବିବାର ସକାଳେ ପୋଲାଣ୍ଡର ଏକ ଯାତ୍ରୀବାହୀ ବସ୍ ଓଲଟି ପଡ଼ିବାରୁ ୧୨ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ୧୦ ଜଣ ଗୁରୁତର ଆହତ ହୋଇଛନ୍ତି । ସର୍ବିଆରୁ ପୋଲାଣ୍ଡ ଅଭିମୁଖେ ୫୭ ଜଣ ଯାତ୍ରୀ ଏବଂ ୨ ଜଣ ଚାଳକଙ୍କୁ ନେଇ ଯାଉଥିବା ଏହି ବସଟି ବୁଦାପେଷ୍ଟର ପୂର୍ବରେ ଥିବା ଏମ୍୩ ହାଇୱେରେ ନିୟନ୍ତ୍ରଣ ହରାଇ ରାସ୍ତା କଡ଼ ଖାଲକୁ ଓଲଟି ପଡ଼ିଥିଲା । ଘଟଣାସ୍ଥଳରେ ୧୧ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ହସ୍ପିଟାଲରେ ଜଣଙ୍କର ମୃତ୍ୟୁ ହୋଇଛି ।
ଏହାବ୍ୟତୀତ ୩୭ ଜଣ ଯାତ୍ରୀ ସାମାନ୍ୟ ଆହତ ହୋଇଥିବା ଜଣାପଡ଼ିଛି । ବସ୍ ଭିତରେ ଫସି ରହିଥିବା ଯାତ୍ରୀମାନଙ୍କୁ କାଚ ଭାଙ୍ଗି ଉଦ୍ଧାର କରାଯାଇଥିବା ବେଳେ କ୍ରେନ୍ ସାହାଯ୍ୟରେ ବସଟିକୁ ଉଠାଯାଇଛି। ୨୦୦୩ ମସିହା ପରେ ହାଙ୍ଗେରୀରେ ଏହାକୁ ସବୁଠାରୁ ଭୟଙ୍କର ସଡ଼କ ଦୁର୍ଘଟଣା ବୋଲି କୁହାଯାଉଛି । ହଙ୍ଗେରୀ ପ୍ରଧାନମନ୍ତ୍ରୀ ପିଟର ମାଗ୍ୟାର ଏବଂ ପୋଲାଣ୍ଡ ପ୍ରଧାନମନ୍ତ୍ରୀ ଡୋନାଲ୍ଡ ଟସ୍କ ଏହି ଘଟଣାରେ ଗଭୀର ଶୋକ ପ୍ରକାଶ କରିବା ସହ ମୃତକଙ୍କ ପରିବାର ପ୍ରତି ସମବେଦନା ଜଣାଇଛନ୍ତି । ପୋଲାଣ୍ଡର ବୈଦେଶିକ ମନ୍ତ୍ରୀ ରାଡୋସ୍କୋ ସିକୋରସ୍କି ସ୍ଥିତି ଉପରେ ନଜର ରଖିବା ସହ ହଙ୍ଗେରୀ ପ୍ରଶାସନ ସହ ସମ୍ପର୍କରେ ଥିବା କହିଛନ୍ତି।










