27.8 C
Bhubaneswar
Friday, June 12, 2026
Homeଓଡିଶାପ୍ରାକ୍-ରେରା ପ୍ରକଳ୍ପ ଗୁଡ଼ିକ ପାଇଁ ଆପାର୍ଟମେଣ୍ଟ ପଞ୍ଜୀକରଣ ପ୍ରକ୍ରିୟା ସରଳୀକରଣ

ପ୍ରାକ୍-ରେରା ପ୍ରକଳ୍ପ ଗୁଡ଼ିକ ପାଇଁ ଆପାର୍ଟମେଣ୍ଟ ପଞ୍ଜୀକରଣ ପ୍ରକ୍ରିୟା ସରଳୀକରଣ

ଭୁବନେଶ୍ୱର: ଓଡ଼ିଶାର ଘର କ୍ରେତା, ଜମି ମାଲିକ ଏବଂ ପ୍ରମୋଟରମାନଙ୍କୁ ଏକ ବଡ଼ ଆଶ୍ୱସ୍ତି ଦେଇ ରାଜ୍ୟ ସରକାର ଏକ ସ୍ୱତନ୍ତ୍ର ନିର୍ଦ୍ଦେଶନାମା ଜାରି କରିଛନ୍ତି। ଏହାଦ୍ୱାରା ୫ ଅକ୍ଟୋବର, ୨୦୧୬ ରେ ରିଅଲ୍ ଇଷ୍ଟେଟ୍ (ରେଗୁଲେସନ୍ ଆଣ୍ଡ ଡେଭେଲପମେଣ୍ଟ) ଆକ୍ଟ ବା ‘ରେରା’ (RERA) ଲାଗୁ ହେବା ପୂର୍ବରୁ ସମ୍ପୂର୍ଣ୍ଣ ହୋଇଥିବା ପ୍ରକଳ୍ପଗୁଡ଼ିକରେ ଆପାର୍ଟମେଣ୍ଟ ୟୁନିଟ୍ ଗୁଡ଼ିକର ପଞ୍ଜୀକରଣ ସହଜ ହୋଇପାରିବ । ଏହି ନିଷ୍ପତ୍ତି ସମ୍ପର୍କରେ ସୂଚନା ଦେଇ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡକ୍ଟର କୃଷ୍ଣ ଚନ୍ଦ୍ର ମହାପାତ୍ର କହିଛନ୍ତି ଯେ, ପୁରୁଣା ଆପାର୍ଟମେଣ୍ଟ ପ୍ରକଳ୍ପଗୁଡ଼ିକରେ କ୍ରେତା ଏବଂ ଅଂଶୀଦାରମାନେ ସାମ୍ନା କରୁଥିବା ଦୀର୍ଘଦିନର ପଞ୍ଜୀକରଣ ସମସ୍ୟାର ସମାଧାନ କରିବା ଏହି ପଦକ୍ଷେପର ମୁଖ୍ୟ ଉଦ୍ଦେଶ୍ୟ । ଓଡ଼ିଶା ଗେଜେଟ୍‌ର ଅସାଧାରଣ ସଂଖ୍ୟାରେ ପ୍ରକାଶିତ ଏହି ସ୍ୱତନ୍ତ୍ର ନିର୍ଦ୍ଦେଶନାମା, ପୂର୍ବରୁ ଥିବା ଦସ୍ତାବିଜ୍ ଏବଂ ନିୟମାନୁପାଳନ ଜନିତ ସମସ୍ୟାଗୁଡ଼ିକୁ ଦୂର କରିବା ପାଇଁ ଏକ ସ୍ପଷ୍ଟ ଆଇନଗତ ଆଧାର ପ୍ରଦାନ କରୁଛି, ଯାହା ଅନେକ ଆପାର୍ଟମେଣ୍ଟ ୟୁନିଟ୍‌ର ପଞ୍ଜୀକରଣରେ ବାଧା ସୃଷ୍ଟି କରୁଥିଲା ।

ମନ୍ତ୍ରୀ ପ୍ରକାଶ କରିଛନ୍ତି ଯେ, ଆପାର୍ଟମେଣ୍ଟ ମାଲିକାନା ଏବଂ ପରିଚାଳନାରେ ଅଧିକ ସ୍ୱଚ୍ଛତା ଓ ଦକ୍ଷତା ଆଣିବା ପାଇଁ ଓଡ଼ିଶା ଆପାର୍ଟମେଣ୍ଟ (ମାଲିକାନା ଏବଂ ପରିଚାଳନା) ଅଧିନିୟମ, ୨୦୨୩ (OAOM Act) ପ୍ରଣୟନ କରାଯାଇଥିଲା। ତଥାପି, ପ୍ରାକ୍-ରେରା ପ୍ରକଳ୍ପଗୁଡ଼ିକରେ ବହୁ ସଂଖ୍ୟକ ଆପାର୍ଟମେଣ୍ଟ କ୍ରେତା ହସ୍ତାନ୍ତର ଦଲିଲ (Deed of Transfer) ପଞ୍ଜୀକରଣ କରିବାରେ ଅସୁବିଧାର ସମ୍ମୁଖୀନ ହେଉଥିଲେ। ଯଦିଓ ୩ ଡିସେମ୍ବର, ୨୦୨୫ ରେ ଜାରି ହୋଇଥିବା ଏକ ସ୍ୱତନ୍ତ୍ର ନିର୍ଦ୍ଦେଶନାମା ବ୍ୟକ୍ତିଗତ ଆଲଟି (Allottees) ମାନଙ୍କୁ ଆଶ୍ୱସ୍ତି ଦେଇଥିଲା, କିନ୍ତୁ ପ୍ରମୋଟର ଏବଂ ଜମି ମାଲିକଙ୍କ ପାଖରେ ରହିଯାଇଥିବା ଆପାର୍ଟମେଣ୍ଟଗୁଡ଼ିକ ଏହାର ପରିସରଭୁକ୍ତ ହୋଇନଥିଲା । ଏହି ସମସ୍ୟାର ସମାଧାନ ପାଇଁ ସରକାର ‘ଓଡ଼ିଶା ଆପାର୍ଟମେଣ୍ଟ ଆକ୍ଟ, ୨୦୨୩’ ର ଧାରା ୩୫ ଅନ୍ତର୍ଗତ ତାଙ୍କ କ୍ଷମତାର ପ୍ରୟୋଗ କରିଛନ୍ତି ଏବଂ ଯୋଗ୍ୟ ପ୍ରକଳ୍ପଗୁଡ଼ିକ ପାଇଁ ଏକ ସ୍ୱତନ୍ତ୍ର ଛାଡ଼ ବ୍ୟବସ୍ଥା ଆରମ୍ଭ କରିଛନ୍ତି, ଯାହାଫଳରେ ଏଭଳି ଆପାର୍ଟମେଣ୍ଟଗୁଡ଼ିକର ପଞ୍ଜୀକରଣ ସମ୍ଭବ ହେବ ଏବଂ ଦୀର୍ଘ ଦିନରୁ ପଡ଼ି ରହିଥିବା ପୁରୁଣା ମାମଲାଗୁଡ଼ିକର ସମାଧାନ ହୋଇପାରିବ ।

ସ୍ୱତନ୍ତ୍ର ନିର୍ଦ୍ଦେଶନାମା ଅନୁଯାୟୀ, ଏହି କୋହଳ ବ୍ୟବସ୍ଥା କେବଳ ୫ ଅକ୍ଟୋବର, ୨୦୧୬ ପୂର୍ବରୁ ସମ୍ପୂର୍ଣ୍ଣ ହୋଇଥିବା ପ୍ରକଳ୍ପଗୁଡ଼ିକର ଆପାର୍ଟମେଣ୍ଟ ପାଇଁ ଲାଗୁ ହେବ । ଏହି ସୁବିଧା କେବଳ ସେହି କ୍ଷେତ୍ରରେ ଉପଲବ୍ଧ ହେବ ଯେଉଁଠାରେ ପ୍ରକଳ୍ପର ଅତିକମରେ ୫୦ ପ୍ରତିଶତ ଆପାର୍ଟମେଣ୍ଟ ୟୁନିଟ୍ ରେରା କଟ୍-ଅଫ୍ ତାରିଖ (RERA cut-off date) କିମ୍ବା ତା’ ପୂର୍ବରୁ ପଞ୍ଜୀକୃତ ବିକ୍ରୟ ଦଲିଲ (Registered Sale Deeds) ମାଧ୍ୟମରେ ହସ୍ତାନ୍ତର କରାଯାଇ ସାରିଥିବ । ଏହା ବ୍ୟତୀତ, ପଞ୍ଜୀକରଣ ପାଇଁ ପ୍ରସ୍ତାବିତ ଆପାର୍ଟମେଣ୍ଟଟି ଓଡ଼ିଶା ବିକାଶ କର୍ତ୍ତୃପକ୍ଷ ଅଧିନିୟମ, ୧୯୮୨ (Odisha Development Authorities Act, 1982) କିମ୍ବା ଓଡ଼ିଶା ସହର ଯୋଜନା ଏବଂ ଉନ୍ନୟନ ଟ୍ରଷ୍ଟ ଅଧିନିୟମ, ୧୯୬ (Odisha Town Planning and Improvement Trust Act, 1956) ଅଧୀନରେ ସକ୍ଷମ କର୍ତ୍ତୃପକ୍ଷଙ୍କ ଦ୍ୱାରା ବିଧିବଦ୍ଧ ଭାବେ ଅନୁମୋଦିତ ବିଲ୍ଡିଂ ପ୍ଲାନର ଅଂଶ ବିଶେଷ ହୋଇଥିବା ଆବଶ୍ୟକ ।

ସ୍ୱଚ୍ଛତା ସୁନିଶ୍ଚିତ କରିବା ଏବଂ କ୍ରେତାମାନଙ୍କ ସ୍ୱାର୍ଥ ରକ୍ଷା କରିବା ପାଇଁ, ପ୍ରମୋଟର କିମ୍ବା ଜମି ମାଲିକମାନଙ୍କୁ ପ୍ରକଳ୍ପ ପରିସର ମଧ୍ୟରେ ଅନୁମୋଦିତ ବିଲ୍ଡିଂ ପ୍ଲାନକୁ ସ୍ପଷ୍ଟ ଭାବରେ ପ୍ରଦର୍ଶିତ କରିବାକୁ ହେବ । ଅବଶିଷ୍ଟ ବିକ୍ରି ହୋଇନଥିବା ଆପାର୍ଟମେଣ୍ଟର ପ୍ରଥମ ବିକ୍ରୟ ଦଲିଲ ପଞ୍ଜୀକରଣ ପୂର୍ବରୁ, ଆଲଟି ଆସୋସିଏସନ ଠାରୁ ଏକ ଅନାପତ୍ତି ପ୍ରମାଣପତ୍ର ହାସଲ କରିବାକୁ ହେବ, ଯାହା ପ୍ରମାଣିତ କରିବ ଯେ ଅନୁମୋଦିତ ପ୍ଲାନରେ ଥିବା ଆପାର୍ଟମେଣ୍ଟ ନମ୍ବର ସଠିକ୍ ଅଛି। ପଞ୍ଜୀକରଣ କର୍ତ୍ତୃପକ୍ଷଙ୍କ ସମ୍ମୁଖରେ ସମସ୍ତ ଯୋଗ୍ୟତା ସର୍ତ୍ତ ପୂରଣ କରୁଥିବା ନେଇ ଏକ ଅଣ୍ଡରଟେକିଂ ମଧ୍ୟ ଦାଖଲ କରିବାକୁ ହେବ । ଏହି ନିର୍ଦ୍ଦେଶନାମାରେ ଆହୁରି ମଧ୍ୟ କୁହାଯାଇଛି ଯେ, ‘ଓଡ଼ିଶା ଆପାର୍ଟମେଣ୍ଟ ଆକ୍ଟ, ୨୦୨୩’ ଲାଗୁ ହେବା ପୂର୍ବରୁ ପୂର୍ବ ଆଇନ ଅନୁଯାୟୀ ଗଠିତ କୌଣସି ଆପାର୍ଟମେଣ୍ଟ ଆସୋସିଏସନ କିମ୍ବା ସୋସାଇଟିକୁ କେବଳ ଏହି ଅଧିନିୟମର ଧାରା ୧୫ ଅନୁଯାୟୀ ବାଏ-ଲ’ (Bye-laws) ଗ୍ରହଣ କରିବା ପରେ ହିଁ ସ୍ୱୀକୃତି ଦିଆଯିବ ।

ମନ୍ତ୍ରୀ ଡକ୍ଟର ମହାପାତ୍ର ଏହି କଥା ଉପରେ ଗୁରୁତ୍ୱ ଦେଇଛନ୍ତି ଯେ, ଏହି ଛାଡ଼ କେବଳ ପ୍ରକୃତ (Genuine) ଆପାର୍ଟମେଣ୍ଟଗୁଡ଼ିକର ପଞ୍ଜୀକରଣକୁ ସହଜ କରିବା ପାଇଁ ଉଦ୍ଦିଷ୍ଟ ଏବଂ ଏହାକୁ ବେଆଇନ ନିର୍ମାଣର ନିୟମିତକରଣ ବୋଲି ଧରାଯିବ ନାହିଁ । ବିଲ୍ଡିଂ ନିୟମାବଳୀର ଯେକୌଣସି ଉଲ୍ଲଂଘନ ପାଇଁ ପ୍ରଚଳିତ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଜାରି ରହିବ । ଆପାର୍ଟମେଣ୍ଟ ମାଲିକମାନଙ୍କ ଅଧିକାରର ସୁରକ୍ଷା ଏବଂ ସାଧାରଣ ସମ୍ପତ୍ତି ଉପରେ ସାମୁହିକ ମାଲିକାନା ବଜାୟ ରଖିବା ପାଇଁ, ଏହି ସ୍ୱତନ୍ତ୍ର ନିର୍ଦ୍ଦେଶନାମା ଅଧୀନରେ ନିଷ୍ପାଦିତ ପ୍ରତ୍ୟେକ ବିକ୍ରୟ ଦଲିଲରେ ସାଧାରଣ ସ୍ଥାନ ଏବଂ ସୁବିଧାଗୁଡ଼ିକରେ ଆଲଟିଙ୍କ ଆନୁପାତିକ ଅବିଭକ୍ତ ସ୍ୱାର୍ଥ/ଅଂଶର ହସ୍ତାନ୍ତର ସ୍ପଷ୍ଟ ଭାବରେ ଉଲ୍ଲେଖ ରହିବା ଆବଶ୍ୟକ । ଏଭଳି ସାଧାରଣ ସ୍ଥାନ ଏବଂ ସୁବିଧାଗୁଡ଼ିକର ମାଲିକାନା ଅଧିକାର ଓଡ଼ିଶା ଆପାର୍ଟମେଣ୍ଟ ଆକ୍ଟ, ୨୦୨୩ ର ପ୍ରାବଧାନ ଅନୁଯାୟୀ ଆଲଟି ଆସୋସିଏସନ ପାଖରେ ନ୍ୟସ୍ତ ରହିବ । ରାଜ୍ୟପାଳଙ୍କ ଆଦେଶକ୍ରମେ ଜାରି ଏବଂ ସରକାରଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଉଷା ପାଢ଼ୀଙ୍କ ଦ୍ୱାରା ବିଜ୍ଞପ୍ତିତ ଏହି ସ୍ୱତନ୍ତ୍ର ନିର୍ଦ୍ଦେଶନାମା, ଦୀର୍ଘ ଦିନରୁ ପଡ଼ିରହିଥିବା ସମ୍ପତ୍ତି ପଞ୍ଜୀକରଣ ସମସ୍ୟାର ସମାଧାନ ଏବଂ ଓଡ଼ିଶାରେ ସହରୀ ଗୃହ ନିର୍ମାଣ ଶାସନ ବ୍ୟବସ୍ଥାକୁ ସଦୃଢ଼ କରିବା ଦିଗରେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking