ଭୁବନେଶ୍ୱର: ଓଡିଶା ସରକାରଙ୍କ କାର୍ଯ୍ୟକାଳ ଦୁଇବର୍ଷ ପୂର୍ଣ୍ଣ ହେବାକୁ ନେଇ ଭଣ୍ଡ ପୂର୍ତ୍ତୀ ଉତ୍ସବ ପାଳନକୁ ନେଇ କଂଗ୍ରେସ କ୍ରମାଗତ ଭାବେ ସାମ୍ବାଦିକ ସମ୍ମିଳନୀ କରି ସରକାରଙ୍କ ଅସଲ ମୁଖା ଖୋଲୁଛି l ସେହି ପରିପେକ୍ଷୀରେ ଆଜି କଂଗ୍ରେସ ଭବନଠାରେ ପୂର୍ବତନ ମନ୍ତ୍ରୀ ଡଃ ପଞ୍ଚାନନ କାନୁନଗୋ ଏବଂ ପିସିସି ବରିଷ୍ଠ ମୁଖପାତ୍ର ମନୋରଞ୍ଜନ ଦାଶ ସରକାରଙ୍କ ଅପାରଗତାର ପର୍ଦାଫାଶ କରିଥିଲେ l
ଗଣମାଧ୍ୟମକୁ ସମ୍ବୋଧିତ କରି ଡଃ କାନୁନଗୋ କହିଲେ, ବିଜେପିର ସରକାର ମୋହନ ମାଝିଙ୍କ ମୁଖ୍ୟମନ୍ତ୍ରିତ୍ୱରେ 2 ବର୍ଷ ପୁରିଲା l ନାଗରିକ ବା ରାଜ୍ୟବାସୀଙ୍କ ମଙ୍ଗଳ ସହିତ ସୁରକ୍ଷା ଦେବା ପ୍ରତ୍ୟେକ ସରକାରର କାର୍ଯ୍ୟ ଓ ଦାୟିତ୍ୱ l ବଜାରରେ କମିବା ଦୂରେ ଥାଉ ଦରଦାମ ବୃଦ୍ଧିରେ ଲୋକେ ଅତିଷ୍ଠ ହୋଇ ଗଲେଣି l ଆଜି ନାରୀଙ୍କ ସୁରକ୍ଷା ଉପରେ ବଡ଼ ପ୍ରଶ୍ନବାଚୀ ??
ଗତ 24 ମାସରେ 11 ଗୋଟି ହାଜତ ମୃତ୍ୟୁ ସମ୍ପର୍କରେ ମକଦ୍ଦମା ଆରମ୍ଭ ହୋଇଛି l ଆହୁରି 13 ଟି ଅଭିଯୋଗ, ପୋଲିସ ମାଡ଼ରେ ମୃତ୍ୟୁ, ସରକାରୀ ଅଫିସରଙ୍କ ଘରେ ଆତ୍ମହତ୍ୟା, ପୋଲିସ ଉପସ୍ଥିତିରେ ହତ୍ୟା ଲୋକଲୋଚନକୁ ଗଣମାଧ୍ୟମ ଜରିଆରେ ଆସିଛି l
24 ମାସରେ 24 ଗୋଟି ହତ୍ୟା, ଏହା କଣ ନାଗରିକଙ୍କ ସୁରକ୍ଷା ? ଏହି ସମସ୍ତ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ବା ଆସାମୀ କିଏ ? ଗୃହ ବିଭାଗ, ପୋଲିସ ବିଭାଗ ମୁଖ୍ୟଙ୍କୁ ଅଭିଯୁକ୍ତ ଆସାମୀ ଭାବରେ ଗ୍ରହଣ କରାଯିବ ନା ନାହିଁ ବୋଲି ଶ୍ରୀ କାନୁନଗୋ ପ୍ରଶ୍ନ ପଚାରିବା ସହ ଆହୁରି କହିଛନ୍ତି ଯେ, ଜଣଙ୍କ ଘର ଭିତରେ ଥିବା ବ୍ୟକ୍ତିର ମୃତଦେହ କ୍ଷତ ବିକ୍ଷତ ଅବସ୍ଥାରେ ପୋଲିସ ଜବତ କଲା, ତେବେ ସେହି ହତ୍ୟାକାଣ୍ଡ ପାଇଁ ଘରର ମୁଖ୍ୟ ଓ ଉପସ୍ଥିତ ସଦସ୍ୟ ମାନଙ୍କ ବିରୁଦ୍ଧରେ ଅଭିଯୋଗ ଆଣିବ ନା ନାହିଁ, AG ଙ୍କୁ ପଚରାଯାଉ l
ସମସ୍ତ ହାଜତ ମୃତ୍ୟୁପାଇଁ ଗୃହ ବିଭାଗ ଦାୟିତ୍ୱରେ ଥିବା ମୁଖ୍ୟମନ୍ତ୍ରୀ ମୋହନ ମାଝୀ ପ୍ରଥମ ଅଭିଯୁକ୍ତ l ସେ ଇସ୍ତଫା ଦେଇ ତଦନ୍ତର ସମ୍ମୁଖୀନ ହୁଅନ୍ତୁ l ଭାରତୀୟ ନ୍ୟାୟ ସଂହିତା BNSS ର ଧାରା 101, 341, 61 ଅନୁସାରେ ତାଙ୍କ ବିରୋଧରେ ମକଦ୍ଦମା ଚାଲୁହେବା ଦରକାର l ଏହି ସବୁ ଧାରା ଆଇପିସିସି ଓ ସିଆରପିସିର ଧାରା 304,120A, 120B ପ୍ରଭୃତି ସହ ମିଳାଇ ଦେଖିବାକୁ ପଡ଼ିବ l
ତେଣୁ ଏସବୁ ଘଟଣାବଳୀକୁ ନେଇ ଓଡିଶା କଂଗ୍ରେସ ଦାବୀ କରୁଛି ଯେ, ରାଜ୍ୟ ସରକାର ନାଗରିକଙ୍କୁ ସୁରକ୍ଷା ଦେବାରେ ସମ୍ପୂର୍ଣ ବିଫଳ ହୋଇଛନ୍ତି l ଏବଂ ନିଜ ହାତରେ ଅତ୍ୟାଚାର କରି ନିର୍ମମ ଭାବେ ହତ୍ୟା କରିଛନ୍ତି lଏହାର କୈଫିୟତ ମୁଖ୍ୟମନ୍ତ୍ରୀ କିମ୍ବା ଆଇନ ମନ୍ତ୍ରୀ ଅବା ଆଡ଼ଭୋକେଟ ଜେନେରାଲ ଦିଅନ୍ତୁ ବୋଲି ଶ୍ରୀ କାନୁନଗୋ ଦାବୀ କହିଛନ୍ତି l ଉପସ୍ଥିତ ପିସିସି ବରିଷ୍ଠ ମୁଖପାତ୍ର ଶ୍ରୀ ଦାଶ କହିଲେ ବିଜେପି ସରକାର ଆସିବା ପରଠୁ ପୋଲିସ ପ୍ରଶାସନର ମଣିଷ ପଣିଆ, ମାନବିକତା ପୁରାପୁରି ଧୋଇ ଗଲାଣି l ଏବଂ ସରକାର କେଉଁ କ୍ଷେତ୍ରରେ କଣ ଉପଲବ୍ଧି ପାଇଛନ୍ତି ପ୍ରଥମେ ତାହା ଲୋକଙ୍କୁ ଦେଖାନ୍ତୁ ଓ ପରେ ଉତ୍ସବ ପାଳନ କରିବେ ବୋଲି ପ୍ରକାଶ କରିଛନ୍ତି l










